ଶିକ୍ଷା ଦ୍ୱାରା ସମାଜରେ ନୂତନ ସୁଯୋଗ ସୃଷ୍ଟି ହୋଇପାରିବ : ଉଚ୍ଚଶିକ୍ଷା ମନ୍ତ୍ରୀ ଡ.ଅରୁଣ କୁମାର ସାହୁ

ଶିକ୍ଷା ଦ୍ୱାରା ସମାଜରେ ନୂତନ ସୁଯୋଗ ଓ ସମ୍ଭାବନା ସୃଷ୍ଟି ହୋଇପାରିବ । ତେଣୁ ଶିକ୍ଷକତାକୁ ଏକ ବୃତ୍ତି ନଭାବି ବ୍ରତ ଭାବରେ ଗ୍ରହଣ କରିବାକୁ ପଡ଼ିବ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ.ଅରୁଣ କୁମାର ସାହୁ ପ୍ରକାଶ କରିଛନ୍ତି ।
ଆଜି ଜୟଦେବ ଭବନଠାରେ ରାଜ୍ୟ ସିଲେକ୍‌ସନ୍‌ ବୋର୍ଡ ଦ୍ୱାରା ଚୟନ କରାଯାଇଥିବା ଅନୁଦାନପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟରେ ନବନିଯୁକ୍ତ ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କର ଦିଗ୍‌ଦର୍ଶନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଡ. ସାହୁ କହିଲେ ଯେ ଶିକ୍ଷକମାନେ ଛାତ୍ରମାନଙ୍କର ମାର୍ଗଦର୍ଶକ । ତେଣୁ ଶିକ୍ଷକମାନେ ପ୍ରଭାବଶାଳୀ ହେବା ଆବଶ୍ୟକ । ଜ୍ଞାନ ହିଁ ପ୍ରକୃତ ଶକ୍ତି । ଏଥି ନିମନ୍ତେ ସେମାନଙ୍କୁ ବିଭିନ୍ନ ବିଷୟରେ ଜ୍ଞାନ ଆହରଣ କରିବା ଦରକାର । ବ୍ୟକ୍ତିଗତ ସଫଳତାକୁ ସମାଜର ବୃହତ୍ତର ସ୍ୱାର୍ଥ ନିମନ୍ତେ ଉପଯୋଗ କରିବାର ମାନସିକତା ରହିଲେ ସଫଳତାର ଶୀର୍ଷରେ ପହଞ୍ଚିହେବ ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ ।
ଉଚ୍ଚଶିକ୍ଷାକୁ ଏକ ଉଚ୍ଚତର ସୋପାନରେ ପହଞ୍ଚାଇବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଅନେକଗୁଡ଼ିଏ ସଂସ୍କାରମୂଳକ ପଦକ୍ଷେପ ନିଆଯିବା ସହ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରବର୍ତ୍ତିତ 5 ‘ଟି’କୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରାଯାଇ ବିଭାଗରେ ସଂପୂର୍ଣ୍ଣ ସ୍ୱଚ୍ଛତା ଅବଲମ୍ବନ କରାଯାଉଛି ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ ।
କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶାଶ୍ୱତ ମିଶ୍ର ଯୋଗଦେଇ କହିଲେ ଯେ ଇଚ୍ଛାଶକ୍ତି ଦୃଢ଼ ଥିଲେ ଜୀବନରେ ଯେକୌଣସି ଆହ୍ୱାନକୁ ସମ୍ମୁଖୀନ କରିହେବ । ଅଧ୍ୟାପକମାନେ ସମୟାନୁବର୍ତ୍ତିତା ଅବଲମ୍ବନ କରି ନିଜ କର୍ତ୍ତବ୍ୟ ପ୍ରତି ନିଷ୍ଠାପର ହେଲେ ଶିକ୍ଷା ବ୍ୟବସ୍ଥା ସହିତ ସମାଜର ଉନ୍ନତି ସମ୍ଭବ ହୋଇପାରିବ । ଅଧ୍ୟାପକମାନେ ନିଜ ଭିତରେ ଥିବା ଶକ୍ତି ଓ ସାମର୍ଥ୍ୟକୁ ଚିହ୍ନି ତା’ର ଉପଯୋଗ କରିବା ଉପରେ ଶାସନ ସଚିବ ଶ୍ରୀ ମିଶ୍ର ଗୁରୁତ୍ୱାରୋପ କରିଥିଲେ ।
ଆଜିର ଏହି ଦିଗ୍‌ଦର୍ଶନ କାର୍ଯ୍ୟକ୍ରମକୁ ଉଚ୍ଚଶିକ୍ଷା ବିଭାଗର ଯୁଗ୍ମ ସଚିବ ସୁରେନ୍ଦ୍ର କୁମାର ପଣ୍ଡା ପରିଚାଳନା କରିଥିଲେ । ଏହି ଦିଗ୍‌ଦର୍ଶନ କାର୍ଯ୍ୟକ୍ରମରେ ଯୋଗଦେଇଥିବା 16 ଟି ବିଭାଗର 289 ଜଣ ଯୋଗ୍ୟ ବିବେଚିତ ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ ଅନୁଦାନପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟ ନିଯୁକ୍ତ ଦିଆଯିବ । ଏମାନଙ୍କ ମଧ୍ୟରେ ବାଣିଜ୍ୟରେ 2 ଜଣ, ରାଜନୀତି ବିଜ୍ଞାନରେ 2 ଜଣ, ଇଂରାଜୀରେ 95 ଜଣ, ଗଣିତରେ 38 ଜଣ, କମ୍ପୁ୍ୟଟର ସାଇନ୍ସରେ ଜଣେ, ତେଲୁଗୁରେ ଜଣେ, ଷ୍ଟାଟିସ୍‌ଟିକ୍ସରେ ଜଣେ, ହିନ୍ଦୀରେ 7 ଜଣ, ହୋମ୍‌ ସାଇନ୍ସରେ 7 ଜଣ, ସାଇକୋଲୋଜିରେ 8 ଜଣ, ଏଜୁକେସନ୍‌ରେ 29 ଜଣ, ଊର୍ଦ୍ଦୁରେ ଜଣେ, ସଂସ୍କୃତରେ 22 ଜଣ, ପଦାର୍ଥ ବିଜ୍ଞାନରେ 34 ଜଣ, ଜୁଲୋଜିରେ 29 ଜଣ ଏବଂ ସୋସିଓଲୋଜିରେ 12 ଜଣ ଅଧ୍ୟାପକ ଅନ୍ତର୍ଭୁକ୍ତ ।

Spread the love