ଭୋଟ ଦେବ ହିମାଚଳ ପ୍ରଦେଶ: ୪୧୨ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ରାଜ୍ୟବାସୀ

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର ସମସ୍ତ ୬୮ ବିଧାନସଭା ଆସନ ଉପରେ ଶନିବାର ନଭେମ୍ୱର ୧୨ରେ ମତଦାନ ହେବ । ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇ ସଂଧ୍ୟା ସାଢେ ୫ଟା ପର୍ଯ୍ୟନ୍ତ ଚାଲିବ । ଚଳିତ ଥର ରାଜ୍ୟର ୫୫,୯୨,୮୨୮ ମତଦାତା ନିର୍ବାଚନୀ ରଣକୁ ଓହ୍ଲାଇଥିବା ୪୧୨ ଜଣ ପ୍ରାର୍ଥୀଙ୍କ ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ କରିବେ । ୨୪ ଜଣ ମହିଳା ଏଥର ମୈଦାନରେ ଅଛନ୍ତି । ଡିସେମ୍ୱର ୮ରେ ମତଗଣନା ହେବ। ହିମାଚଳ ପ୍ରଦେଶରେ ମୋଟ ଭୋଟରଙ୍କ ମଧ୍ୟରୁ  ୬୭,୫୫୯  ସେବା ମତଦାତା, ୨୨ ପ୍ରବାସୀ ଭାରତୀୟ ତଥା ୫୫,୨୫,୨୪୭ ସାଧାରଣ ମତଦାତା ଅଛନ୍ତି । ରାଜ୍ୟରେ ପୁରୁଷଙ୍କ ଅପେକ୍ଷା ମହିଳା ମତଦାତାଙ୍କ ସଂଖ୍ୟା ଅଧିକ ଅଛି । ୨୮,୫୪,୯୪୫ ମହିଳା ଭୋଟର ଥିବା ବେଳେ ୨୭,୩୭,୮୪୫ ପୁରୁଷ ଭୋଟର ଅଛନ୍ତି । ଅନ୍ୟପଟେ ତୃତୀୟ ଲିଙ୍ଗର ୩୮ ଜଣ ଭୋଟର ଅଛନ୍ତି । ମତଦାନ ପାଇଁ ପ୍ରବାସୀ ଭୋଟରଙ୍କୁ ସେମାନଙ୍କ ପାସପୋର୍ଟ ଦେଖାଇବାକୁ ପଡିବ।

ରାଜ୍ୟରେ ମୁକ୍ତ ଏବଂ ଅବଧା ନିର୍ବାଚନ କରାଇବା ପାଇଁ ସୁରକ୍ଷା-ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଏଥିରେ ସୀମାରେ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି । ରାଜ୍ୟ ପୋଲିସର ୧୧,୮୮୦ ଯବାନ, ୮,୩୮୧ ହୋମାଗର୍ଡ ଯବାନଙ୍କ ସହ ରିଜର୍ଭ ପୋଲିସର ୬୭ କମ୍ପାନି ମୁତୟନ ହୋଇଛନ୍ତି । ମତଦାନ ପାଇଁ ରାଜ୍ୟ ସରକାରଙ୍କ ୩୧,୫୩୬ କର୍ମଚାରୀ ନିୟୋଜିତ ଅଛନ୍ତି । ନିର୍ବାଚନ ପାଇଁ ୭,୮୮୧ ମତଦାନ କେନ୍ଦ୍ର ସ୍ଥାପନ କରାଯାଇଛି । ଏଥିରେ ୭,୨୩୫ ଗ୍ରାମୀଣ ଏବଂ ୬୪୬ ସହରୀ କ୍ଷେତ୍ରରେ ରହିଛି । ୧୫୭ ମତଦାନ କେନ୍ଦ୍ର ମହିଳାକର୍ମୀ ଦ୍ୱାରା ପରିଚାଳିତ ହେବ।

Spread the love