ହିନ୍ଦୀ ଶିକ୍ଷକ ନିଯୁକ୍ତିରେ ଲାଗିଲା ରହିତାଦେଶ

କଟକ: ସର୍ଭିସ ସିଲେକସନ୍‌ ବୋର୍ଡ ଦ୍ୱାରା ଚାଲିଥିବା ହିନ୍ଦୀ ଶିକ୍ଷକ ନିଯୁକ୍ତି ଉପରେ ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଲଗାଇଛନ୍ତି। ବିଚାରପତି ବିରଜା ପ୍ରସନ୍ନ ଶତପଥୀ ଏ ସଂକ୍ରାନ୍ତୀୟ ମାମଲାର ଶୁକ୍ରବାର ଶୁଣାଣି କରି ଅଦାଲତଙ୍କ ବିନା ଅନୁମତିରେ ଚୁଡାନ୍ତ ମେଧା ତାଲିକା ପ୍ରକାଶ ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟ ଏ ନେଇ ଜବାବ ଦାଖଲ ପାଇଁ ରାଜ୍ୟ ସରକାର ଓ ବୋର୍ଡକୁ ନୋଟିସ ଜାରି କରିଛନ୍ତି। ମାମଲାର ପରବର୍ତ୍ତି ଶୁଣାଣି ନିମନ୍ତେ ଆସନ୍ତା ୨୬କୁ ଧାର୍ଯ୍ୟ କରାଯାଇଛି।
ମାମଲାର ବିବରଣୀ ଅନୁସାରେ, ହିନ୍ଦୀ ଶିକ୍ଷକ ନିଯୁକ୍ତି ନିମନ୍ତେ ଗଣଶିକ୍ଷା ବିଭାଗ ପକ୍ଷରୁ ୨୦୨୦ ନଭେମ୍ବର ୧୮ରେ ପ୍ରସ୍ତାବ ପାରିତ ହୋଇଥିଲା। ସରକାରଙ୍କ ତରଫରୁ ପାରିତ ଏହି ପ୍ରସ୍ତାବରେ ହିନ୍ଦୀ ଶିକ୍ଷକଙ୍କ ଯୋଗ୍ୟତା ନିମନ୍ତେ ସାଧାରଣ ବିଏଡ୍‌ ନଥିଲା।  ପୁଣି ୪ମାସ ପରେ ଆର୍ଥାତ୍‌ ୨୦୨୩ ଡିସେମ୍ବର ୧୩ରେ ରାଜ୍ୟର ସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ସ୍ନାତକ ତାଲିମପ୍ରାପ୍ତ ଶିକ୍ଷକ ନିଯୁକ୍ତି ଲାଗି ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏଥିରେ ହିନ୍ଦୀ ଶିକ୍ଷକଙ୍କ ନିମନ୍ତେ ସାଧାରଣ ବିଏଡ୍‌କୁ ଯୋଗ୍ୟତା ଭାବେ ସାମିଲ କରାଯାଇଥିଲା। ଏନେଇ ନେତ୍ରାନନ୍ଦ ବାଗ ଓ ଅନ୍ୟମାନଙ୍କ ପକ୍ଷରୁ ହାଇକୋର୍ଟରେ ଏକ ମାମଲା ଦାୟର ହୋଇଥିଲା। କାହିଁକି ଏହି ବିଏଡ୍‌ ଯୋଗ୍ୟତାକୁ ଯୋଡ଼ାଗଲା ବହୁବାର ଅଭିଯୋଗ ପରେ ମଧ୍ୟ ସରକାର ସ୍ପଷ୍ଟ କରିନଥିଲେ। ଫଳରେ ଆବେଦନକାରୀମାନେ ହାଇକୋର୍ଟଙ୍କ ଦ୍ବାରସ୍ଥ ହେବା ସହ ସାଧାରଣ ବିଇଡିକୁ ହିନ୍ଦୀ ଶିକ୍ଷକ ଯୋଗ୍ୟତାରୁ ବାଦ ଦେବାକୁ ପ୍ରାର୍ଥନା କରିଛନ୍ତିି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ କୁନାଲ କୁମାର ସ୍ବାଇଁ ମାମଲା ପରିଚାଳନା କରୁଛନ୍ତି।
Spread the love