ମୋଦୀଙ୍କୁ ବଦନାମ କରିବାକୁ ଆଦାନିଙ୍କୁ ଟାର୍ଗେଟ୍‌ କରୁଥିଲେ ମହୁଆ

ନୂଆଦିଲ୍ଲୀ: ଟିଏମ୍‌ସି ସାଂସଦ ମହୁହା ମୈତ୍ରଙ୍କ ବିରୋଧରେ ଲାଞ୍ଚ ନେଇ ସଂସଦରେ ପ୍ରଶ୍ନ କରିବା ମାମଲାରେ ଏକ ନୂଆ ମୋଡ଼ ଆସିଛି। ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀ ନିଜେ ଏକ ସତ୍ୟପାଠ ଦ୍ବାରା ଘୋଷଣା କରିଛନ୍ତି ଯେ ଏହି ଅଭିଯୋଗ ସତ। ମହୁଆ ମୈତ୍ର ହିଁ ତାଙ୍କ ସଂସଦ ଆକାଉଣ୍ଟର ଲଗ୍‌-ଇନ୍‌ ଏବଂ ପାସ୍‌ୱାର୍ଡ ସେୟାର କରିଥିଲେ ବୋଲି ହୀରାନନ୍ଦାନୀ କହିଛନ୍ତି। ସତ୍ୟପାଠରେ ସେ ଦର୍ଶାଇଛନ୍ତି ଯେ ସଂସଦରେ ପଚରାଯାଉଥିବା ପ୍ରଶ୍ନ ସେ ନିଜେ (ଦର୍ଶନ ହୀରାନନ୍ଦାନୀ) ହିଁ ସଂସଦର ୱେବ୍‌ସାଇଟ୍‌ରେ ମହୁଆଙ୍କ ଆକାଉଣ୍ଟରେ ଅପ୍‌ଲୋଡ କରୁଥିଲେ। ‘ମୁଁ ଆଦାନି ଗ୍ରୁପ୍‌କୁ ଟାର୍ଗେଟ୍‌ କରିବାପାଇଁ ପ୍ରଶ୍ନ ପଠାଇଥିଲି। ଅସମର୍ଥିତ ସୂତ୍ରକୁ ଆଧାର କରି ମହୁଆଙ୍କ ସଂସଦ ଆକାଉଣ୍ଟରେ ପ୍ରଶ୍ନ ପୋଷ୍ଟ୍‌ କରୁଥିଲି’ ବୋଲି ହୀରାନନ୍ଦାନୀ କହିଛନ୍ତି। ସେ ସ୍ବୀକାର କରିଛନ୍ତି ଯେ ମହୁଆ ରାଜନୀତିରେ ତ୍ବରିତ ସଫଳତା ହାସଲ କରିବା ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍‌ କରିବାକୁ ଚାହୁଥିଲେ ଏବଂ ଏହି କାରଣରୁ ସେ ଆଦାନିଙ୍କୁ ଟାର୍ଗେଟ୍‌ କରୁଥିଲେ। ମୋଦୀ ଏବଂ ଆଦାନିଙ୍କୁ ଟାର୍ଗେଟ୍‌ କରିବା ପାଇଁ ମହୁଆ ଲଗାତାର କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧିଙ୍କ ସଂପର୍କରେ ରହୁଥିଲେ ବୋଲି ହୀରାନନ୍ଦାନୀ କହିଛନ୍ତି।

ହରାନନ୍ଦାନୀ ଗ୍ରୁପ୍‌ର ସିଇଓ ହୀରାନନ୍ଦାନୀ ଦାବି କରିଛନ୍ତି ଯେ ଏହି କାମରେ ମହୁଆଙ୍କୁ ସୁଚେତା ଦଲାଲ, ସାଦୁର୍ଲ ଶ୍ରଫ୍‌ ଏବଂ ପଲ୍ଲବୀ ଶ୍ରଫ୍‌ ସହାୟତା କରୁଥିଲେ। ଏହା ସହିତ ମହୁଆଙ୍କୁ ବିରୋଧୀ ଦଳ ନେତା ଶଶି ଥରୁର ଏବଂ ପିନାକୀ ମିଶ୍ର ମଧ୍ୟ ସହାୟତା କରୁଥିଲେ। ମହୁଆ ଏହି କାମରେ ବିଦେଶୀ ସାମ୍ବାଦିକଙ୍କ ସହାୟତା ମଧ୍ୟ ନେଉଥିଲେ। ଏହି ସାମ୍ବାଦିକମାନେ ବିବିସି, ନ୍ୟୁୟର୍କ ଟାଇମ୍ସ ଏବଂ ଫାଇନାନ୍‌ସିଆଲ ଟାଇମ୍ସ ସହିତ ସଂପୃକ୍ତ ବୋଲି ସେ କହିଛନ୍ତି। ସେମାନଙ୍କ ସହିତ କିଛି ଭାରତୀୟ ଗଣମାଧ୍ୟମ ମଧ୍ୟ ମହୁଆଙ୍କ ସହ ସଂପର୍କରେ ରହୁଥିଲେ ବୋଲି ହୀରାନନ୍ଦାନୀ କହିଛନ୍ତି। ହୀରାନନ୍ଦାନୀ କହିଛନ୍ତି ଯେ ମହୁଆଙ୍କ ବିରୋଧରେ ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ଅଭିଯୋଗ ପରେ ତାଙ୍କୁ ନେଇ ଏହି ମାମଲା ବହୁତ ବଡ଼ ରାଜନୈତିକ ବିବାଦର ରୂପ ନେବାରୁ ସେ ସତ୍ୟପାଠ ଦାଖଲ କରିବାକୁ ନିଷ୍ପତ୍ତି ନେଲେ। ୩ ପୃଷ୍ଠାର ସତ୍ୟପାଠରେ ସେ ସ୍ବୀକାର କରିଛନ୍ତି ଯେ ଆଦାନି ଗ୍ରୁପ୍‌ ସହିତ ବ୍ୟବସାୟିକ ଶତ୍ରୁତା କାରଣରୁ ସେ ଏଭଳି କାର୍ଯ୍ୟରେ ସାମିଲ ହୋଇଥିଲେ ଏବଂ ମହୁଆଙ୍କ ମାଧ୍ୟମରେ ପ୍ରାୟ ୫୦ ପ୍ରଶ୍ନ କରିଥିଲେ। ପ୍ରଶ୍ନ କରିବା ପାଇଁ ମହୁଆ ବହୁତ କିଛି ଫାଇଦା ଚାହୁଥିଲେ ଏବଂ ମହୁଆଙ୍କ ସମର୍ଥନ ପାଇଁ ସେ ତାଙ୍କ ଦାବି ପୂରଣ କରୁଥିଲେ ବୋଲି ହୀରାନନ୍ଦାନୀ ସତ୍ୟପାଠରେ ଦର୍ଶାଇଛନ୍ତି।

Spread the love