ଇତିହାସକୁ ବିକୃତ କରି ଲେଖା ଯାଇଛି, ଠିକ୍ କରିବାର ଏହା ପ୍ରକୃଷ୍ଟ ସମୟ: ଶାହ

ନୂଆଦିଲ୍ଲୀ: ଇତିହାସକାର ଭାରତର ଇତିହାସ ଭୁଲ୍ ଭାବେ ଲେଖିଛନ୍ତି। ଶୁକ୍ରବାର ଏହା କହିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହ। ପୁଣି ଥରେ ଇତିହାସ ଲେଖାଯିବା ଉପରେ ସେ ଜୋର ଦେଇଛନ୍ତି। ଶାହ ଭାରତୀୟ ସଂଦର୍ଭରେ ଇତିହାସକୁ ପୁଣି ଥରେ ଲେଖିବା ପାଇଁ ଇତିହାସକାରଙ୍କୁ ଅପିଲ୍ କରିଛନ୍ତି। ଏ ନେଇ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାରର ସହଯୋଗ ଯୋଗାଇ ଦିଆଯିବ ବୋଲି ସେ ଆଶ୍ଵାସନ ଦେଇଛନ୍ତି। ଅମିତ୍ ଶାହ ଦିଲ୍ଲୀରେ ଆସାମ ସରକାରଙ୍କ ଏକ ସମାରୋହରେ କହିଛନ୍ତି ଯେ, ମୁଁ ଇତିହାସ ବିଭାଗର ଛାତ୍ର ଏବଂ ମୁଁ ଅନେକ ଥର ଶୁଣିଛି ଯେ, ଆମର ଇତିହାସକୁ ଠିକ୍ ଭାବେ ନଲେଖି ବିକୃତ ଭାବେ ଲେଖା ହୋଇଛି। ବୋଧହୁଏ ଏହାକୁ ଠିକ୍ କରିବାର ଏହା ହେଉଛି ପ୍ରକୃଷ୍ଟ ସମୟ।

ଅମିତ୍ ଶାହ କହିଛନ୍ତି, ବିକୃତ କରି ଲେଖା ହୋଇଥିବା ଇତିହାସକୁ ସୁଧାରିବା ପାଇଁ କେହି ଅଟକାଇ ପାରିବେ  ନାହିଁ। ଇତିହାସକାର ତଥା ଛାତ୍ରଙ୍କୁ ଭାରତର ବିଭିନ୍ନ ଅଞ୍ଚଳରେ ୧୫୦ ବର୍ଷରୁ ଅଧିକ ଶାସନ କରିଥିବା ୩୦ ସାମ୍ରାଜ୍ୟ ଏବଂ ଦେଶର ସ୍ଵାଧୀନତା ପାଇଁ ବଳିଦାନ ଦେଇଥିବା ୩୦୦ରୁ ଅଧିକ ସଂଗ୍ରାମୀଙ୍କ ଉପରେ ଗବେଷଣା କରି ପ୍ରକୃତ ଇତିହାସ  ଲେଖିବା ଉଚିତ୍। ଯଦି ଲଚିତ୍ ବୋଡଫୁକନ ନଥାନ୍ତେ ତେବେ ପୂର୍ବୋତର ଭାରତର ଅଂଶ ହୋଇ ପାରିନଥାନ୍ତା। କାରଣ ସେହି ସମୟରେ ତାଙ୍କ ନିର୍ଣ୍ଣୟ ଏବଂ ସାହାସ କେବଳ ପୁର୍ବୋତର ନୁହେଁ ବରଂ ଦକ୍ଷିଣ ଏସିଆକୁ ଧର୍ମାନ୍ଧ ଆକ୍ରାନ୍ତଙ୍କ କବଳରୁ ବଞ୍ଚାଇଛି। ଶାହ କହିଛନ୍ତି, ଆମର ସ୍ଵାଧୀନତା ସଂଗ୍ରାମୀଙ୍କ ବଳିଦାନ ଏବଂ ସାହାସକୁ ଦେଶର କୋଣ ଅନୁକୋଣରେ ପହଞ୍ଚାଇଲେ ସେଥିରୁ ଆଗାମୀ ପିଢିକୁ ପ୍ରେରଣା ମିଳି ପାରିବ। ଯେଉଁ ଦେଶର ଜନତା ନିଜର ଇତିହାସ ଉପରେ ଗୌରବ ନାହିଁ, ସେ ନିଜର ସ୍ଵର୍ଣ୍ଣିମ ଭବିଷ୍ୟତ ଗଢି ପାରିବେ ନାହିଁ।

Spread the love