ହକି ବିଶ୍ୱକପ୍‌ ଟିକେଟ୍‌ କଳାବଜାର, ୪ ଅଟକ

ଭୁବନେଶ୍ୱର: ହକି ବିଶ୍ବକପ୍‌ର ଟିକେଟ୍‌ ଖଣ୍ଡିଏ ପାଇଁ କିଏ ଦିନତମାମ ଖରାରେ ଠିଆ ହୋଇ ହୋଇ ଖାଲି ହାତରେ ଫେରିଛି ତ କିଏ ଅନଲାଇନ୍‌ରେ କାଟିବାକୁ ଯାଇ ବାରମ୍ବାର ବିଫଳ ହୋଇଛି। ଭାରତ ନ ଖେଳୁ ପଛେ, ଯେକୌଣସି ମ୍ୟାଚ୍‌ର ପାସ୍‌ ଖଣ୍ଡିଏ ମିଳିଗଲେ କେମିତି ଭିତରୁ ଟିକେ ବୁଲି ଆସନ୍ତେ, ସେଥିପାଇଁ ଖେଳପ୍ରେମୀ ବିଭିନ୍ନ ପ୍ରକାର କସରତ ଚଳାଇଛନ୍ତି। କାହା ଭାଇର ସାଙ୍ଗର ସାଙ୍ଗ ପୁଲିସ୍‌ରେ ଅଛି, ତାକୁ ଫୋନ୍‌ରେ ଯୋଗାଯୋଗ କରି ପାସ୍‌ ଖଣ୍ଡେ ପାଇଁ ଗୁହାରି କରୁଛନଆଉ କେହି କେହି ନେତା, ସରକାରୀ ଅଧିକାରୀଙ୍କୁ ଗୁହାରି କରୁଛନ୍ତି। କିନ୍ତୁ ପାସ୍‌ ମିଳୁନି। ହେଲେ ଏପଟେ ପୁଳାପୁଳା ଟିକେଟ୍‌ କଳାବଜାର ଚାଲିଛି। ୧୦୦ ଟଙ୍କିଆ ଟିକେଟ୍‌ ୧ ହଜାରରେ, ୨୦୦ ଟଙ୍କିଆ ୨ହଜାରରେ ଓ ୫ଶହ ଟଙ୍କିଆ ଟିକେଟ୍‌ ୫ ହଜାରରେ ବିକ୍ରି ହେଉଛି। ଲୋକ ବି ବାଧ୍ୟବାଧକତାରେ ୧୦ ଗୁଣ ଅଧିକ ଟଙ୍କା ଦେଇ ଟିକେଟ୍‌ କିଣୁଛନ୍ତି। ଆଜି କଳିଙ୍ଗ ଷ୍ଟାଡିୟମ୍ ନିକଟରେ ଏଭଳି ଟିକେଟ୍‌ କଳାବଜାର କରୁଥିବା ୪ ଜଣଙ୍କୁ ସହିଦନଗର ଥାନା ପୁଲିସ କାବୁ କରିବା ପରେ ଏହି ଘଟଣା ପଦାକୁ ଆସିଛି। ପୁଲିସ୍ ସେମାନଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ସେମାନେ କେମିତି ଏତେ ଟିକେଟ୍‌ ପାଇଲେ, ଆଉ କେତେ ରଖିଛନ୍ତି, ସେ ନେଇ ପୁଲିସ୍‌ ତନାଘନା ଚଳାଇଛି।

Spread the love