ଏଫ୍ଆଇଏଚ୍ ହକି ପ୍ରୋ-ଲିଗ୍ ପାଇଁ ଅଫଲାଇନ୍ ଟିକେଟ ବିକ୍ରି ଜାରି

ରାଉରକେଲା: ଏଫ୍ଆଇଏଚ୍ ହକି ପ୍ରୋ-ଲିଗ୍ ପାଇଁ ଆଜିଠାରୁ ଅଫଲାଇନ୍ ଟିକେଟ ବିକ୍ରି ଆରମ୍ଭ ହୋଇଛି। ଟିକେଟପାଇବା ଲାଗି ଲୋକଙ୍କର ଲମ୍ବାଧାଡ଼ି ଦେଖିବାକୁ ମିଳିଛି। ବିର୍ସା ମୁଣ୍ଡା ଷ୍ଟାଡିୟମର ଗେଟ୍ ନଂ ୨ ଓ ଗେଟ୍ ନଂ ୬ରେ ଦୁଇଟି ପୃଥକ୍ କାଉଣ୍ଟରରେ ଟିକେଟ ବିକ୍ରିର ବ୍ୟବସ୍ଥା ହୋଇଛି। ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୭ଟା ଯାଏ ଟିକେଟ୍ ବିକ୍ରି ହେଉଛି। ତେବେ ମାର୍ଚ୍ଚ ୮ ତାରିଖରେ ହୋଲି ଉତ୍ସବ ଥିବାରୁ ଉକ୍ତ ଦିନ ଅପରାହ୍ନ ୪ଟାରୁ ୭ଟା ଯାଏ ଟିକେଟ୍ ଉପଲବ୍ଧ ହେବ। ଏହାସହ ପ୍ରଶଂସକମାନେ ଅନଲାଇନରେ କିଣିଥିବା ଟିକେଟ୍ ମଧ୍ୟ ଏଠାରୁ ନେଇପାରିବେ।
ରାଉରକେଲାସ୍ଥ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ମାର୍ଚ୍ଚ ୧୦ ତାରିଖରୁ ଆରମ୍ଭ ହେବାକୁ ଥିବା ଏଫ୍ଆଇଏଚ୍ ହକି ପ୍ରୋ-ଲିଗ୍ ପ୍ରତିଯୋଗିତା ପାଇଁ ଗତ ୨୭ ତାରିଖରେ ଅନଲାଇନ ଟିକେଟ ବିକ୍ରି କରାଯାଇଥିଲା। ମାତ୍ର କେଇ ମିନିଟପରେ ଅନଲାଇନ୍ ବିକ୍ରି ପ୍ରକ୍ରିୟାରେ ଯାବତୀୟ ତ୍ରୁଟି ଦେଖିବାକୁ ମିଳିବାରୁ ବହୁ ହକିପ୍ରେମୀ ଟିକେଟ୍ ପାଇବାରୁ ବଞ୍ଚିତ ହୋଇଥିଲେ। ତେବେ ସୋମବାରଠାରୁ ଅଫ୍ଲାଇନ ଟିକେଟ ବିକ୍ରି ଆରମ୍ଭ ହେବା ନେଇ ଆଜି ହକି ଇଣ୍ଡିଆ ପକ୍ଷରୁ ଘୋଷଣା କରାଯିବାପରେ, ହକିପ୍ରେମୀ ମହଲରେ ଖୁସି ଖେଳିଯାଇଥିଲା।

ଭାରତ ସମେତ ବିଶ୍ବବିଜୟୀ ଜର୍ମାନୀ ଓ ବିଶ୍ବ ରୢାଙ୍କିଂର ଚତୁର୍ଥ ସ୍ଥାନରେ ଥିବା ଅଷ୍ଟ୍ରେଲିଆ ମଧ୍ୟରେ ୬ଟି ମ୍ୟାଚ୍ ଖେଳାଯିବ। ପ୍ରତ୍ୟେକ ଦଳ ପରସ୍ପର ବିପକ୍ଷରେ ଦୁଇଟି ଲେଖାଏ ମ୍ୟାଚ୍ ଖେଳିବେ। ମାର୍ଚ୍ଚ ୧୦ ତାରିଖରେ ଭାରତ ତା’ର ପ୍ରଥମ ମ୍ୟାଚରେ ଜର୍ମାନୀକୁ ଭେଟିବ। ସେହିଭଳି ମାର୍ଚ୍ଚ ୧୧ ତାରିଖରେ ଜର୍ମାନୀ ଓ ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚ୍ ଖେଳାଯିବାକୁ ଥିବାବେଳେ ୧୨ରେ ଭାରତ ଓ ଅଷ୍ଟ୍ରେଲିଆ, ୧୩ରେ ଭାରତ ଓ ଜର୍ମାନୀ, ୧୪ରେ ଜର୍ମାନୀ ଓ ଅଷ୍ଟ୍ରେଲିଆ ଏବଂ ମାର୍ଚ୍ଚ ୧୫ରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚ୍ ଖେଳାଯିବ। ପ୍ରତ୍ୟେକ ମ୍ୟାଚ୍ ସନ୍ଧ୍ୟା ୭ଟାରେ ଆରମ୍ଭ ହେବ।

Spread the love