ହକି ବିଶ୍ବକପ୍‌: ଶୀର୍ଷ ସ୍ଥାନ ପାଇଁ ଲଢ଼େଇ, ଭାରତ-ଇଂଲଣ୍ଡ ମୁକାବିଲା ଆଜି

ରାଉରକେଲା : ବିର୍ସା ମୁଣ୍ଡା ଷ୍ଟାଡିୟମରେ ଶୁକ୍ରବାର ଅନୁଷ୍ଠିତ ବିଶ୍ବକପ୍‌ର ନିଜ ନିଜ ପ୍ରଥମ ମ୍ୟାଚ୍‌କୁ ଜିତିଥିବା ଉଭୟ ଭାରତ ଓ ଇଂଲଣ୍ଡ ଦଳର ମନୋବଳ ଉଚ୍ଚରେ। ରବିବାର ସନ୍ଧ୍ୟାରେ ବିଶ୍ବ ରାଙ୍କିଂ ତାଲିକାର ୫ମ ସ୍ଥାନରେ ଥିବା ଇଂଲଣ୍ଡ ଓ ଷଷ୍ଠ ସ୍ଥାନରେ ଥିବା ଭାରତ ମୁହାଁମୁହିଁ ହେବେ। ଗ୍ରୁପ୍‌ ଡି’ର ଦୁଇ ଶକ୍ତିଶାଳୀ ଦଳ ମଧ୍ୟରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ ବେଶ୍‌ ଗୁରୁତ୍ବ ବହନ କରେ। ଏହି ମ୍ୟାଚ୍‌କୁ ଜିତି ଗ୍ରୁପ୍‌ର ଶୀର୍ଷ ସ୍ଥାନ ଦଖଲ କରି ନକ୍ଆଉଟ୍ ପାଇଁ ଯୋଗ୍ୟତା ପାଇବାକୁ ଉଭୟ ଦଳ ପ୍ରାଣପଣେ ଚେଷ୍ଟା କରିବେ। କାରଣ ପରବର୍ତ୍ତୀ ମ୍ୟାଚ୍‌ରେ ଉଭୟ ଦଳ ଅପେକ୍ଷାକୃତ କମ୍‌ ଶକ୍ତିଶାଳୀ ଦଳ ବିପକ୍ଷରେ ଖେଳିବେ। ଗ୍ରୁପ୍‌ର ଶୀର୍ଷ ସ୍ଥାନ ଦଖଲକାରୀ ଦଳ ସିଧାସଳଖ କ୍ବାର୍ଟର ଫାଇନାଲ ପର୍ଯ୍ୟାୟକୁ ଉନ୍ନୀତ ହେବ।

ୱେଲ୍ସ ବିପକ୍ଷରେ ଏକତରଫା ଭାବେ ୫-୦ ଗୋଲ୍‌ରେ ବିଜୟୀ ହୋଇଥିବା ଇଂଲଣ୍ଡକୁ ପରାସ୍ତ କରିବା ଆୟୋଜକ ଭାରତ ପାଇଁ ଏତେଟା ସହଜ ହୋଇନପାରେ। ପୂର୍ବ ମ୍ୟାଚ୍‌ରେ ପଲ୍ ରେଭିଙ୍ଗଟନଙ୍କ ଦଳ ଚମତ୍କାର ପ୍ରଦର୍ଶନ କରିଥିଲା। ପେନାଲଟି କର୍ଣ୍ଣର୍‌କୁ ଗୋଲ୍‌ରେ ସଫଳ ରୂପାୟନ ହିଁ ଇଂଲଣ୍ଡକୁ କିଛି ମାତ୍ରାରେ ଆଗୁଆ ରଖିଛି। ତେବେ ନିଜ ମାଟିରେ ଖେଳୁଥିବାରୁ ଭାରତୀୟ ଦଳ ଉତ୍ସାହିତ ରହିଛି। ଏତଦ୍‌ବ୍ୟତୀତ ମାଟିର ପୁଅ ଅମିତ ରୋହିଦାସ ଓ ନୀଲମ ସଞ୍ଜୀପ ଖେସ ପ୍ରଥମ ମ୍ୟାଚ୍‌ରେ ଚିତ୍ତାକର୍ଷକ ପ୍ରଦର୍ଶନ କରି ସମସ୍ତଙ୍କର ଆଖିର ତାରା ପାଲଟିଯାଇଛନ୍ତି। ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ଦର୍ଶକଙ୍କ ସମର୍ଥନ ହିଁ ପୂର୍ବ ପ୍ରଦର୍ଶନ ଦୋହରାଇବାକୁ ଉଭୟଙ୍କୁ ଖୋରାକ୍‌ ଯୋଗାଇବ। ଉଭୟ ଦଳର ଖେଳାଳି ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି।

Spread the love