୬୩ ବର୍ଷରେ ପ୍ରଥମ: କଳାକାରଙ୍କ ଧର୍ମଘଟ ଯୋଗୁଁ ସମଗ୍ର ହଲିଉଡ୍‌ ବନ୍ଦ

ଲସ୍‌ ଏଞ୍ଜେଲସ୍‌: ଚୂଡ଼ାନ୍ତ ପର୍ଯ୍ୟାୟ ଆଲୋଚନା ବିଫଳ ହେବାରୁ ଲେଖକମାନଙ୍କ ସହିତ ମିଶି ଗୁରୁବାର ମଧ୍ୟରାତ୍ରରୁ ହଜାର ହଜାର ଅଭିନେତା ଅଭିନେତ୍ରୀ ଧର୍ମଘଟ ଆରମ୍ଭ କରିବାରୁ ସମଗ୍ର ହଲିଉଡ୍‌ରେ ଚଳଚ୍ଚିତ୍ର ଓ ଟେଲିଭିଜନ୍‌ ଶିଳ୍ପର ବ୍ୟବସାୟ ବନ୍ଦ ହୋଇଯାଇଥିବା କଥା ବିଭିନ୍ନ ଗଣମାଧ୍ୟମ ରିପୋର୍ଟ କରିଛନ୍ତି। ଏଥିଯୋଗୁଁ ଦୀର୍ଘ ୬୩ ବର୍ଷ ପରେ ହଲିଉଡ୍‌ରେ ପ୍ରାୟ ସମସ୍ତ ଚଳଚ୍ଚିତ୍ର ଓ ଟେଲିଭିଜନ୍‌ ପ୍ରସାରଣ ପାଇଁ ଉଦ୍ଦିଷ୍ଟ ନିର୍ମାଣ କାର୍ଯ୍ୟ ବନ୍ଦ ହୋଇଯାଇଛି। ‘ଏ’- ତାଲିକାଭୁକ୍ତ ଅଭିନେତା ଅଭିନେତ୍ରୀଙ୍କ ସମେତ ୧୬୦,୦୦୦ କଳାକାରଙ୍କର ପ୍ରତିନିଧିତ୍ବ କରୁଥିବା ‘ଦି ସ୍କ୍ରିନ୍‌ ଆକ୍ଟର୍ସ ଗିଲ୍‌ଡ୍‌’ (ସାଗ୍-ଆଫ୍‌ଟ୍ରା) କହିଛି ଯେ, ସେମାନଙ୍କ ଦାବି ଉପରେ କୌଣସି ରାଜିନାମା ହୋଇ ନ ପାରିବାରୁ ବୁଝାମଣା ବିଫଳ ହୋଇଛି। ପ‌ାରିଶ୍ରମିକ ମିଳିବାରେ ଅନିୟମିତା ଓ ‘ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍‌ସ୍‌’ ଯୋଗୁଁ ସୃଷ୍ଟି ହୋଇଥିବା ପେସାଗତ ବିପଦ ସଂକ୍ରାନ୍ତରେ କଳାକାରମାନେ ବୁଝାମଣା କରିବାକୁ ଦାବି କରିଛନ୍ତି।

ସଂଘର (ସାଗ୍-ଆଫ୍‌ଟ୍ରା) ମୁଖ୍ୟ ବୁଝାମଣାକାରୀ ଡନ୍‌କାନ୍‌ କ୍ରାବ୍‌ଟ୍ରି-ଆୟର୍ଲାଣ୍ଡ୍‌ କହିଛନ୍ତି, ଷ୍ଟୁଡିଓ ଏବଂ ଷ୍ଟ୍ରିମର୍‌ମାନଙ୍କ ବିପକ୍ଷରେ ଧର୍ମଘଟ ଚଳାଇବାକୁ ‘ସାଗ୍-ଆଫ୍‌ଟ୍ରା’ର ନ୍ୟାସ୍‌ନାଲ୍‌ ବୋର୍ଡ ସର୍ବସମ୍ମତକ୍ରମେ ମତ ଦେଇଛି। ଗୁରୁବାର ମଧ୍ୟରାତ୍ରରୁ ଧର୍ମଘଟ ଆରମ୍ଭ ହେବା ଅର୍ଥ ଶୁକ୍ରବାର ସକାଳୁ ଅଭିନେତା ଅଭିନେତ୍ରୀମାନେ ଲେଖକମାନଙ୍କ ସହିତ ‘ପିକେଟ୍‌ ଲାଇନ୍‌’ରେ (ପ୍ରତିଷ୍ଠାନ ଆଗରେ ଧାଡ଼ିବାନ୍ଧି ଧାରଣା ଦେବା) ଯୋଗଦେବେ। ୧୯୬୦ ପରେ ଏହା ହେଉଛି ହଲିଉଡ୍‌ରେ ‘ଡବଲ୍‌ ଷ୍ଟ୍ରାଇକ୍’। ଉଲ୍ଲେଖଯୋଗ୍ୟ, ଉପରୋକ୍ତ ଦାବି ନେଇ ହଲିଉଡ୍‌ ପାଇଁ ଲେଖୁଥିବା ଲେଖକମାନେ ୧୧ ସପ୍ତାହ ହେବ ‘ପିକେଟ୍‌ ଲାଇନ୍‌’ କଲେଣି।

Spread the love