କୋର୍ଟକୁ ଯାଇ ଆଉ ଘରକୁ ଫେରିଲେନି

ଦେବଗଡ:  କୋର୍ଟକୁ ଯାଇ ଆଉ ଘରକୁ ଫେରିଲେନି। ଚାଷ ଜମିରୁ ମିଳିଲା ଗଲିତ ଶବ। ଶନିବାର ଦେବଗଡ ଆଦର୍ଶ ଥାନା ଅନ୍ତର୍ଗତ ବଣିଆକିଲିଣ୍ଡା ଗ୍ରାମରେ ଏକ ଚାଷ ଜମିରୁ ଗୋଟିଏ ଗଳିତ ମୃତ ଦେହ ଉଦ୍ଧାର କରାଯାଇଛି । ଉଦ୍ଧାର ପରେ ଶବକୁ ଚିହ୍ନଟ କରାଯାଇଛି । ମୃତକ ହେଲେ ବାରକୋଟ ଥାନା ଅନ୍ତର୍ଗତ ବଳିତା ଗ୍ରାମର ୪୮ ବର୍ଷ ବୟସ୍କ ଝସକେତନ ବେହେରା। ବଣିଆକିଲିଣ୍ଡା ଗ୍ରାମରୁ ପାହାଡ ଆଡକୁ ଯାଇଥିବା ରାସ୍ତାଠାରୁ ପ୍ରାୟ ଏକ କିଲୋମିଟର ଦୂରରେ ଏହି ଶବ ଉଦ୍ଧାର କରାଯାଇଛି ।

ମୃତ ଝସକେତନ ଗତ ଅଗଷ୍ଟ ୨୬ ତାରିଖ ଶୁକ୍ରବାର ଠାରୁ ନିଖୋଜ ଥିଲେ। ୨୬ ତାରିଖ ସକାଳୁ  ସେ ଏକ କେସରେ ହାଜର ହେବାପାଇଁ ଦେବଗଡ କୋର୍ଟକୁ ଆସି ସେହିଦିନଠାରୁ  ନିଖୋଜ ଥିଲେ। ତାଙ୍କ ସାଥୀରେ ଆସିଥିବା ଅନ୍ୟ ଜଣେ ବ୍ୟକ୍ତି ଘରକୁ ଫେରିଥିବା ବେଳେ ଝସକେତନ ଆଉ ଫେରି ନଥିଲେ । ପରିବାର ପକ୍ଷରୁ ବହୁ ଖୋଜାଖୋଜି କଲାପରେ ଦୁଇଟି ଭିନ୍ନ ଭିନ୍ନ ସ୍ଥାନରୁ ତାଙ୍କ ସାର୍ଟ ଓ ଗାମୁଛା ମିଳିଥିବା ବେଳେ ତାଙ୍କର କିଛି ଖୋଜଖବର ମିଳିନଥିଲା।

ଶନିବାର ବଣିଆକିଲିଣ୍ଡା ଗ୍ରାମର ଲୋକମାନେ ଚାଷ କାର୍ଯ୍ୟ ପାଇଁ ଜମିକୁ ଯାଇଥିବା ବେଳେ ପଚା ଗନ୍ଧ ପାଇ ଘଟଣାସ୍ଥଳରେ ପହଞ୍ଚି ଗଳିତ ମୃତ ଦେହ ଦେଖିଥିଲେ । ଖବରପାଇ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହର ବେକ ଓ ହାତରେ ବନ୍ଧା ଥିବା ସୁତାରୁ ଶବ ଚିହ୍ନଟ କରିଛନ୍ତି ।  ଜମି ମଧ୍ୟରେ ମରି ପଡିଥିବା ଅବସ୍ଥାରେ ମୃତ ଦେହ ଉଦ୍ଧାର କରାଯାଇଛି । ଦେବଗଡ ଆଦର୍ଶ ଥାନା ପୋଲିସ ପକ୍ଷରୁ ଶବ ଉଦ୍ଧାର କରାଯାଇ ବ୍ୟବଛେଦ ପାଇଁ ପଠାଯାଇଛି । ପୋଲିସ ମୃତ୍ୟୁ ର ପ୍ରକୃତ କାରଣ ସମ୍ପର୍କରେ ତଦନ୍ତ ଆରମ୍ଭ କରିଛନ୍ତି ।

Spread the love