ହୋମଗାର୍ଡ ରଂଜନ ମଲ୍ଲିକଙ୍କୁ ନ୍ୟାୟ ଦିଅନ୍ତୁ ରାଜ୍ୟ ସରକାର :ବିଜେପି

ଯାଜପୁର ଜିଲ୍ଲା ବରି ବ୍ଲକର ଔପଡା ଗାଁର ଜଣେ ଅନୁସୁଚିତ ଜାତିର ଗରିବ ହୋମଗାର୍ଡ ରଂଜନ ମଲ୍ଲିକଙ୍କୁ ବରି ବିଧାୟିକା ସୁନନ୍ଦା ଦାସଙ୍କ ସ୍ୱାମୀ ଦେବେନ୍ଦ୍ର ଦାସ ଓ ଜିଲ୍ଲା ପରିଷଦ ସଭ୍ୟ ଅଶୋକ ସାମଲ ଏବଂ ସେହି ପଂଚାୟତର ସରପଂଚ ସନ୍ତୋଷ ସାମଲ ହତ୍ୟା ଧମକ ଦେଇ ମାଡ ମାରିଛନ୍ତି । ଏପରିକି ଶାସକ ଦଳର ନେତାମାନେ ଗତ ୯ ତାରିଖ ଦିନ ତାଙ୍କୁ ଆକ୍ରମଣ କରିବା ପରେ ବି ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିନାହିଁ । ଗତକାଲି ଏକ ଉଚ୍ଚସ୍ତରୀୟ ପ୍ରତିନିଧୀ ଦଳ ହୋମ ଗାର୍ଡ ରଂଜନ ବେହେରା ଘରକୁ ଯାଇ ଘଟଣାକୁ ଅନୁଧ୍ୟାନ କରିବା ସହ ସ୍ଥାନୀୟ ଥାନାକୁ ଯାଇ ପୋଲିସ ଅଧିକାରୀଙ୍କ ସହ ଘଟଣା ସଂର୍ପକରେ ବିସ୍ତୁତ ଭାବେ ଆଲୋଚନା କରିଛନ୍ତି । ରାଜ୍ୟ ସରକାର ୫-ଟି, ମୋ ସରକାର କଥା କହୁଥିବା ବେଳେ ଶାସକ ଦଳର ବିଧାୟିକାଙ୍କ ସ୍ୱାମୀ ଆଇନକୁ ହାତକୁ ନେଇ ଏକ ଅନୁସୂଚିତ ଜାତିର ହୋମଗାର୍ଡକୁ ହତ୍ୟା ଧମକ ଦେବା ସହ ଜାତିଆଣ ଆପେକ୍ଷ କରିବା ଅତ୍ୟନ୍ତ ର୍ଦୁଭାଗ୍ୟଜନକ ବୋଲି ପୂର୍ବତନ ସାଂସଦ ବିଭୁ ପ୍ରସାଦ ତରାଇ କହିଛନ୍ତି । ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ତରାଇ କହିଛନ୍ତି ଯେ, ନବୀନ ବାବୁଙ୍କ ସରକାର ଅନୁସୂଚିତ ଜାତି ଓ ଜନଜାତି ଏବଂ ମହିଳାଙ୍କ ଉପରେ ଅତ୍ୟାଚାର କରିଚାଲିଛି । ଅନ୍ୟପଟେ ରାଜ୍ୟସରକାର ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ହୋଇଥିବା ପ୍ରିଭେନସନ ଅଫ ଆଟ୍ରୋସିଟିସ ଆକ୍ଟକୁ କାର୍ଯ୍ୟକାରୀ କରୁନାହାଁନ୍ତି । ଏଥିପାଇଁ ଆଜି ଶାସକ ଦଳ ହୋମଗାର୍ଡ ରଂଜନ ମଲ୍ଲିକଙ୍କୁ ହତ୍ୟା ଧମକ ଦେବା ସହ ଜାତିଆଣ ଆକ୍ଷେପ କରାଯାଇଛି । ହୋମଗାର୍ଡର ଜୀବନ ପ୍ରତି ଏବେବି ବିପଦ ରହିଛି । ଶାସକ ଦଳର ଗୁଣ୍ଡାମାନେ ଏବେ ବିଧାୟିକାଙ୍କ ଇଙ୍ଗିତରେ ହୋମଗାର୍ଡକୁ ମାରିବା ପାଇଁ ଯୋଜନା କରୁଛନ୍ତି । ସମ୍ବିଧାନର ଧାରା ୧୮ ଅନୁଯାୟୀ ଏତଲା ଆଧାରରେ ଥାନା ଅଧିକାରୀ ଅଭିଯୁକ୍ତକୁ ଗିରଫ କରିବା କଥା । କିନ୍ତୁ ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ ନକରି ଓଲଟା ହୋମଗାର୍ଡଙ୍କ ବିରକୁଦ୍ଧରେ ମିଥ୍ୟା ମକୋଦ୍ଦମା ଲଗାଇଛି । ବିଜେଡି ସରକାର ସାଧାରଣ ଲୋକଙ୍କ ପାଇଁ ନୁହେଁ ବରଂ କିଛି ମୁଷ୍ଟିମେୟ ଲୋକଙ୍କ ସରକାର ପାଲଟିଛି । ଏଠି ନିରୀହ, ଦଳିତ ଲୋକଙ୍କ ଉପରେ ଅତ୍ୟାଚାର କରାଯାଉଛି । ହୋମଗାର୍ଡଙ୍କୁ ହତ୍ୟା ଧମକ ଦେଇ ଆକ୍ରମଣ କରିଥିବା ବରି ବିଧାୟିକା ସୁନନ୍ଦା ଦାସଙ୍କ ସ୍ୱାମୀ ଦେବେନ୍ଦ୍ର ଦାସ ଓ ଜିଲ୍ଲା ପରିଷଦ ସଭ୍ୟ ଅଶୋକ ସାମଲ ଏବଂ ସରପଂଚ ସନ୍ତୋଷ ସାମଲଙ୍କୁ ତୁରନ୍ତ ଗିରଫ କରାଯିବା ସହ ହୋମଗାର୍ଡ ରଂଜନ ମଲ୍ଲିକଙ୍କ ନାଁରେ ଥିବା ମିଥ୍ୟା ମକୋଦ୍ଦମାକୁ ହଟାଇ ତାଙ୍କୁ ରାଜ୍ୟସରକାର ତୁରନ୍ତ ସୁରକ୍ଷା ପ୍ରଦାନ କରନ୍ତୁ ବୋଲି ଶ୍ରୀ ତରାଇ ଦାବି କରିଛନ୍ତି ।

ରାଜ୍ୟସରକାର ହୋମଗାର୍ଡ ରଂଜନ ମଲ୍ଲିକଙ୍କୁ ନ୍ୟାୟ ପ୍ରଦାନ ନକଲେ ରାଜ୍ୟ ବିଜେପି ମାନବ ଅଧିକାର କମିଶନ, ପୋଲିସ ମହାନିର୍ଦ୍ଦେଶକ, ନ୍ୟାସନାଲ କମିସନ ଅଫ ସିଡ୍ୟୁଲ କାଷ୍ଟଙ୍କ ପାଖରେ ଅଭିଯୋଗ କରିବ ବୋଲି ଶ୍ରୀ ତରାଇ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଂପାଦକ ଦିଲୀପ ମଲ୍ଲିକ, ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ସୁଶାନ୍ତ ମଲ୍ଲିକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଶ୍ୱରଂଜନ ମଲ୍ଲିକ, ଯାଜପୁର ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ବବିତା ମଲିକ ପ୍ରମୁଖ ଉପସ୍ଥିତ ଥିଲେ

Spread the love