ପାନ ଦୋକାନରେ ମହୁମାଛିଙ୍କ ଆସର

ଆଳି: କେନ୍ଦ୍ରାପଡ଼ା ଜିଲ୍ଲା ଆଳି ନୂଆବଜାରର ଏକ ପାନ ଦୋକାନ। ସେଠାକୁ କାହିଁ କେତେଦୂରରୁ ପ୍ରତିଦିନ ସକାଳେ ଛୁଟି ଆସନ୍ତି ହଜାର ହଜାର ମହୁମାଛି। ପାନ ଦୋକାନୀଙ୍କ ଭଲପାଇବାରେ ପାଗଳ ଏହି ମହୁମାଛିମାନେ। ଗୋଟିଏ ଦିନ ବି ଛାଡ଼ି ରହି ପାରନ୍ତି ନାହିଁ ତାଙ୍କର ପ୍ରିୟ ପାନ ଦୋକାନୀଙ୍କୁ। ପ୍ରକୃତରେ ଆଖିରେ ନଦେଖିଲେ ଏ କଥାକୁ ବିଶ୍ୱାସ କରିହେବ ନାହିଁ। ଆଳି ନୂଆବଜ଼ାରରେ ରହିଛି ଗଣେଶ ଚନ୍ଦ୍ର ରାୟଙ୍କ ପାନ ଦୋକାନ। ଏଠାରେ ଏବେ ଏବେ ଜମୁଛି ମହୁମାଛିଙ୍କ ଆସର। ସକାଳେ ପାନ ଦୋକାନ ଖୋଲିବା ପରେ ପରେ ଏହି ମହୁମାଛିମାନେ ଦଳବାନ୍ଧି ଉଡ଼ିଉଡ଼ି ଆସିଥାନ୍ତି। ସେମାନେ ପହଞ୍ଚିବା ସଙ୍ଗେସଙ୍ଗେ ପାନ ଦୋକାନୀ ଗଣେଶ ପରଷି ଦେଇଥାନ୍ତି ମହୁମାଛି ଖାଉଥିବା ବିଭିନ୍ନ ସୁସ୍ୱାଦୁ ଖାଦ୍ୟ। ମନ ଖୁସିରେ ଖାଇଥାନ୍ତି ମହୁମାଛିମାନେ। ମହୁମାଛି ପ୍ରତି ସାଧାରଣତଃ ଲୋକମାନଙ୍କର ଭୟ ରହିଥାଏ। ମହୁମାଛି ଆକ୍ରମଣରରେ ମଣିଷ ଅନେକ ସମୟରେ ଘାଇଲା ବି ହୁଏ ହେଲେ ଗଣେଶ କିନ୍ତୁ ମହୁମାଛିମାନଙ୍କୁ ନିଜ ହାତରେ ଖାଇବାକୁ ଦିଅନ୍ତି। ମହୁମାଛିମାନେ ଆଦରରେ ଗଣେଶଙ୍କ ହାତ, ମୁହଁ, ସାରା ଦେହରେ ବସନ୍ତି। ତାଙ୍କର ଦିନ ସାରା ପାନ ଦୋକାନରୁ ଟିକିଏ ବିରତି ପାଇଲେ ମହୁମାଛିଙ୍କ ସେବାରେ ଲାଗି ପଡନ୍ତି। ଦିନସାରା ସୁସ୍ବାଦୁ ଖାଦ୍ୟ ଖାଇ, ଗଣେଶଙ୍କ ସହିତ ମିଳାମିଶା ପରେ ପୁଣି ସନ୍ଧ୍ୟାରେ ଘରବାହୁଡାରେ ଉଡ଼ି ଯାଆନ୍ତି ଏହି ମହୁମାଛି ମାନେ। ଗଣେଶଙ୍କ କହିବା ଅନୁଯାୟୀ ଗତ ରଜପର୍ବ ସମୟରେ ଅଳ୍ପକିଛି ମହୁମାଛି ତାଙ୍କ ଦୋକାନରେ ପହଞ୍ଚିଥିଲେ। ସେ ସେମାନଙ୍କୁ ଚେରିଫଳ ଖାଇବାକୁ ଦେଇଥିଲେ।ତା’ପରେ ଧୀରେଧୀରେ ବଢ଼ିଥିଲା ମହୁମାଛିଙ୍କ ସଂଖ୍ୟା। ସେ ଦିନସାରା ଠିକ୍ ଠିକ୍ ସମୟରେ ସେମାନଙ୍କୁ ଖାଇବାକୁ ଦିଅନ୍ତି। ପ୍ରେମରେ ପାଗଳ ଏଇ ମହୁମାଛିମାନେ କେବଳ ଗଣେଶଙ୍କୁ ଭଲ ପାଆନ୍ତି ନାହିଁ ଦୋକାନକୁ ଆସୁଥିବା ଶହଶହ ଲୋକଙ୍କର ମଧ୍ୟ କିଛି ବି କ୍ଷତି କରନ୍ତି ନାହିଁ। ଗଣେଶଙ୍କ ଦୋକାନରେ ଏଇ ନିଆରା ଦୃଶ୍ୟ ସାରା ଅଞ୍ଚଳରେ ଚର୍ଚାର ବିଷୟ ହୋଇଥିବା ବେଳେ ଗଣେଷ ଓ ମହୁମାଛି ପରସ୍ପର ପାଇଁ ଏବେ ବନ୍ଧୁ, ସାଥି ପାଲଟିଛନ୍ତି।

Spread the love