ଘୋଡ଼ାର ଜନ୍ମଦିନ ପାର୍ଟି ! ମାଲିକ କାଟିଲେ ୫୦ ପାଉଣ୍ଡର କେକ୍‌

ଆପଣ କେବେ କୌଣସି ଘୋଡ଼ାର ଜନ୍ମଦିନ ପାଳନ ହେଉଥିବାର ଶୁଣିଛନ୍ତି କି? କିନ୍ତୁ ଏବେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବିହାରର ସହରସା ଅଞ୍ଚଳରେ। ଏଠାରେ ଏକ ଘୋଡ଼ାର ଜନ୍ମଦିନ ପାଳନ କରାଯାଇଛି। ଏହି ଅବସରରେ ନା କେବଳ କେକ୍‌ କଟାଯାଇଥିଲା, ବରଂ ଏକ ବଡ଼ ପାର୍ଟି ବି ଦିଆଯାଇଥିଲା। ଏଥିରେ ବହୁ ସଂଖ୍ୟାରେ ଲୋକ ସାମିଲ ହୋଇ ବିଭିନ୍ନ ପ୍ରକାର ବ୍ୟଞ୍ଜନର ଆନନ୍ଦ ଉଠାଇଥିଲେ। ଜଣାପଡ଼ିଛି, ସହରସା ପଞ୍ଚବଟୀ ନିବାସୀ ରଜନୀଶ କୁମାର ସୋମବାର ସନ୍ଧ୍ୟାରେ ନିଜ ଘୋଡ଼ା ‘ଚେତକ’ର ଦ୍ୱିତୀୟ ଜନ୍ମଦିନକୁ ବଡ଼ ଧୁମ୍‌ଧାମରେ ପାଳନ କରିଥିଲେ। ରଜନୀଶ ଚେତକକୁ ନିଜ ପିଲା ଭଳି ପ୍ରେମ କରିଥାଆନ୍ତି। ସକାଳୁ ସେ ଚେତକକୁ ଗାଧୋଇ ଦେଇ ଜନ୍ମଦିନ ପାଇଁ ପ୍ରସ୍ତୁତ କରାଇଥିଲେ ଏବଂ ସନ୍ଧ୍ୟାରେ ଜନ୍ମଦିନ ସମାରୋହ ଆୟୋଜନ କରିଥିଲେ।
ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଘୋଡ଼ାର ଜନ୍ମଦିନ ପାର୍ଟିରେ ୫୦ ପାଉଣ୍ଡର କେକ୍‌ କଟାଯାଇଥିଲା। ଏଥିରେ ଚେତକର ନାଁ ମଧ୍ୟ ଲେଖାଯାଇଥିଲା। ରାଜନୀଶଙ୍କ ଦ୍ୱାରା ଏହି କେକ୍‌ କଟାଯାଇଥିଲା। ଏପରିକି, କେକ୍‌ କଟାଯିବା ପରେ ଆତସବାଜି ବ୍ୟବସ୍ଥା ମଧ୍ୟ ହୋଇଥିଲା। ଏହି ସମୟରେ ଲୋକେ ଖୁବ୍‌ ବାଣ ଫୁଟାଇଥିଲେ।
ମାଲିକ ରଜନୀଶ କୁହନ୍ତି, ‘ଚେତକ ଆମ ଘରର ସଦସ୍ୟ ଭଳି। ଏହାର ପ୍ରଥମ ଜନ୍ମଦିନକୁ ବି ଆମେ ପରିବାର ଲୋକ ମିଶି ବେଶ୍‌ ଆଡ଼ମ୍ବର ସହକାରେ ପାଳନ କରିଥିଲୁ। ଏହା ଯେତେବେଳେ ୬ ମାସର ଥିଲା, ମୁଁ ଏହାକୁ ନିଜ ଘରକୁ ଆଣିଥିଲି। ସେବେଠାରୁ ଏହାକୁ କ୍ଷୀର ଦେଇ ପାଳିଛି। ଜନ୍ମଦିନ ପାର୍ଟିରେ ଆମିଷ ଏବଂ ନିରାମିଷ ଉଭୟ ପ୍ରକାରର ବ୍ୟବସ୍ଥା ହୋଇଥିଲା।’ ତେବେ ରଜନୀଶ ନିରୀହ ପଶୁପକ୍ଷୀଙ୍କୁ ପ୍ରେମ କରିବାକୁ ନିବେଦନ କରି କହିଥିଲେ, ‘ପଶୁଙ୍କୁ କେବେ ବି ପଶୁ ବୋଲି ଭାବନ୍ତୁ ନାହିଁ। ସେମାନଙ୍କୁ ନିଜ ପରିବାର ସଦସ୍ୟ ବୋଲି ଭାବନ୍ତୁ।’

Spread the love