ଡାକ୍ତରଖାନା ପରିସରରୁ ଠାବ ହେଲା କବରସ୍ତାନ, ଚଢ଼ଉ ବେଳେ ପୋଲିସ ଜବତ କଲା ୧୨ଟି ଖପୁରି ୫୪ଟି ହାଡ଼

ନୂଆଦିଲ୍ଲୀ ୧୪/୦୧ :  ମହାରାଷ୍ଟ୍ରର ୱାର୍ଦ୍ଧା ଜିଲ୍ଲାର ଅରୱୀ ଅଞ୍ଚଳରେ ଡାକ୍ତରଖାନାରେ ଚାଲିଥିବା ଏକ ଗର୍ଭପାତ କେନ୍ଦ୍ରର ଖୁଲାସା ହୋଇଛି । ଆଶ୍ଚର୍ଯ୍ୟଜନକ କଥାହେଉଛି ଏହି ଗର୍ଭପାତ କେନ୍ଦ୍ର ହତା ଭିତରୁ ଏକ କବରସ୍ତାନର ସନ୍ଧାନ ମିଳିଛି। ସେଠାରୁ ୧୨ଟି ଖପୁରି ଓ ୫୪ଟି ଭୃଣର ହାଡ଼ ଉଦ୍ଧାର କରାଯାଇଛି। ଏହି କବରସ୍ତାନକୁ ଗର୍ଭପାତ କେନ୍ଦ୍ରରେ ଥିବା ଏକ ପୁରୁଣା ବାୟୋଗ୍ୟାସ ପ୍ଲାଣ୍ଟ ଭିତରୁ ଠାବ କରାଯାଇଛି। ପୋଲିସ ଗୁରୁବାର ଏହି ଚିକିତ୍ସାଳୟରେ ଚଢ଼ାଉକରି ନିର୍ଦ୍ଦେଶିକା ରେଖା କଦମ ଓ ଚାରିଜଣ କର୍ମଚାରୀଙ୍କୁ ଗିରଫ କରିଛି।

ଜଣେ ୧୩ ବର୍ଷୀୟା ନାବାଳିକାର ବେଆଇନ ଗର୍ଭପାତ ଯାଞ୍ଚ କରିବା ସମୟରେ ଏହି ମାମଲାର ଖୁଲାସା  ହୋଇଛି।  ନାବାଳିକା ଜଣଙ୍କ ଜଣେ ୧୭ ବର୍ଷୀୟ ନାବାଳକ ସହିତ ସମ୍ବନ୍ଧ ରଖିବା ପରେ ଗର୍ଭବତୀ ହୋଇଥିଲେ। ଅଭିଯୁକ୍ତମାନେ ପୀଡ଼଼ିତାଙ୍କ ଠାରୁ ୩୦ ହଜାର ଟଙ୍କା ନେଇଥିଲେ ।

ପୋଲିସ କହିଛି ଚଢ଼ଉ ସମୟରେ ଡାକ୍ତରଖାନା ପରିସରରୁ ଦାଗଥିବା କପଡ଼ା, ବ୍ୟାଗ, ଖୋଳିବା ପାଇଁ ବ୍ୟବହାର କରାଯାଉଥିବା ଯନ୍ତ୍ରପାତି ଓ ଅନ୍ୟ ମେଡ଼ିକାଲ ପ୍ରମାଣ ଜବତ କରି ଫରେନ୍ସିକ ଯାଞ୍ଚ ପାଇଁ ପଠାଯାଇଛି। ଜଣେ ସ୍ଥାନୀୟ ଡାକ୍ତରଙ୍କ ଅନୁସାରେ ବେଆଇନ ଗର୍ଭପାତ, ପ୍ରତିବନ୍ଧିତ ଲିଙ୍ଗ ନିରୁପଣ ପରୀକ୍ଷା, କନ୍ୟା ଭୃଣ ହତ୍ୟାର ସୂଚନା ଡାକ୍ତରଖାନାରେ ଆଖପାଖରେ ରହୁଥିବା ଲୋକମାନେ ଜାଣିଥିଲେ କିନ୍ତୁ କେହିବି ଏହି ବେଆଇନ କାର୍ଯ୍ୟ ବିରୋଧରେ ଅଭିଯୋଗ କରିବା କିମ୍ବା ଖୁଲାସା କରିବାକୁ ସାହସ କରିନଥିଲେ।

Spread the love