କିଡନୀ ଚୋରୀ ମାମଲା : ଆପୋଲକୁ ନିସ୍ତାର ନାହିଁ, ରେଜିଷ୍ଟ୍ରେସନ ରଦ୍ଦ କର

କିଡନୀ ଚୋରୀ ମାମଲାରେ ଆପୋଲ ହସ୍ପିଟାଲକୁ ନିସ୍ତାର ନାହିଁ। ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଆପୋଲୋ ହସ୍ପିଟାଲ୍ ପକ୍ଷରୁ କରାଯାଇଥିବା ଯୁକ୍ତିକୁ କମିଶନ ଖାରଜ କରିଦେବା ସହ ହସ୍ପିଟାଲ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ  ମୁଖ୍ୟ ଶାସନ ସଚିବଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି । ଏହା ପୂର୍ବରୁ ହସ୍ପିଟାଲର ରେଜିଷ୍ଟ୍ରେସନ୍ ରଦ୍ଦ କରିବା ପାଇଁ କମିଶନ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ରାଜ୍ୟ ସରକାର କୌଣସି ପଦକ୍ଷେପ ନ ନେଇ ଚୁପ୍ ବସିଛନ୍ତି । ଏବେ କମିଶନ ପୁଣି ଥରେ ମୁଖ୍ୟଶାସନଙ୍କୁ କଡା ନିର୍ଦ୍ଦେଶ ଦେବା ପରେ ଉଭୟ ସରକାର ଓ ଆପୋଲୋ ହସ୍ପିଟାଲ୍ ଅଡୁଆରେ ପଡିଛନ୍ତି ।

ଉଲ୍ଲେଖଯୋଗ୍ୟ, ୨୦୧୩ରେ ବରଗଡ ଜିଲ୍ଲାର ଅନିଲ୍ କୁମାର ସ୍ୱାମୀଙ୍କ କିଡନୀକୁ ବେଆଇନ ଭାବେ ତାଙ୍କ ପଡୋଶୀ ରାଘବ ରାମ ଦୋରାଙ୍କ ଠାରେ ଆପୋଲ ହସ୍ପିଟାଲରେ ପ୍ରତିରୋପଣ କରାଯାଇଥିଲା । ଯାହା ସଂପୂର୍ଣ୍ଣ ଭାବେ ବେଆଇନ ଭାବେ କରାଯାଇଥିଲା । ଏହାକୁ ନେଇ ୨୦୧୬ ଜାନୁୟାରୀ ୩ରେ ଅନିଲ୍ ବରଗଡ ଟାଉନ ଥାନାରେ ଅଭିଯୋଗ କରିଥିଲେ । ସେହି ମାସ ୫ ତାରିଖରେ ମାନବାଧିକାର କର୍ମୀ ଶ୍ରୀ ଅଖଣ୍ଡ ଏହି ଘଟଣାରେ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ପିଟିସନ କରିଥିଲେ । ସ୍ୱାସ୍ଥ୍ୟ ସଚିବ ଓ ମୁଖ୍ୟ ଶାସନ ସଚିବଙ୍କୁ ଏ ନେଇ ରିପୋର୍ଟ ତଲବ କରାଯାଇଥିଲା । ସ୍ୱାସ୍ଥ୍ୟ ବିଭାଗ ରିପୋର୍ଟରୁ ଏହି କିଡନୀ ପ୍ରତ୍ୟାରୋପଣ ବେଆଇନ ବୋଲି ଜାଣିବା ପରେ କମିଶନ ଗତ ଅଗଷ୍ଟ ମାସରେ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇ କହିଥିଲେ ଯେ ଏହି ବେଆଇନ କାର‌୍ୟ୍ୟ ପାଇଁ ଆପୋଲୋ ହସ୍ପିଟାଲ୍ ରେଜିଷ୍ଟ୍ରେସନ ରଦ୍ଦ କରିବା ସହିତ ପିଡିତଙ୍କୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଉ ।

ଏହାପରେ ଏହି ନିର୍ଦ୍ଦେଶ ବିରୋଧରେ ଆପୋଲ ହସ୍ପିଟାଲ୍ ପକ୍ଷରୁ ହାଇକୋର୍ଟରେ ଏକ ମାମଲା କରାଯାଇଥିଲା । ଆପୋଲ ହସ୍ପିଟାଲକୁ ପକ୍ଷ ରଖିବା ଲାଗି ସୁଯୋଗ ଦେବା ଲାଗି କୋର୍ଟ କହିଥିଲେ । ସେହି ଅନୁସାରେ ଗତ ସେପ୍ଟେମ୍ବର ୧୨ ତାରିଖରେ ଆପୋଲୋ ହସ୍ପିଟାଲ୍ ପକ୍ଷରୁ କମିଶନଙ୍କ ପାଖରେ ଏକ ପିଟିସନ୍ ଦିଆଯାଇଥିଲା । ସେଥିରେ କୁହାଯାଇଥିଲା ଯେ ପ୍ରକୃତ କିଡନୀ ଦାତା ଜୟରାମ ଦୋରା ଥିଲେ । କିନ୍ତୁ ତାଙ୍କ ସ୍ଥାନରେ ଭୁଲରେ ଅନିଲ ସ୍ୱାମୀଙ୍କୁ ହସ୍ପିଟାଲ୍ କର୍ତୁପକ୍ଷ ଜୟରାମ ଦୋରା ବୋଲି ଭାବିଥିଲେ । କିନ୍ତୁ ଏହାକୁ କମିଶନ ଅଗ୍ରାହ୍ୟ କରିଦେବା ସହିତ କହିଛନ୍ତି ଯେ, ଜଣେ କିଡନୀ ଦାତଙ୍କ ଫଟୋ ଉଠାଯାଇଥିବା ବେଳେ ତାଙ୍କ ସ୍ଥାନରେ ଆଉ ଜଣଙ୍କର କିଡନୀ ସେହି ହସ୍ପିଟାଲରେ କାଢିବା କଳ୍ପନାତୀତ । ତେଣୁ ହସ୍ପିଟାଲ୍ ଯୁକ୍ତିରେ କୌଣସି ଆଧାର ନାହିଁ । ଟ୍ରାନସପ୍ଲାଂଟେସନ୍ ଅଫ୍ ହ୍ୟୁମାନ ଅର୍ଗାନ୍ ଓ ଟିସୁ ଆକ୍ଟ ୧୯୯୪ର ଧାର ୧୬ ଅନୁସାରେ  ହସ୍ପିଟାଲ୍ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ନେବା ସହିତ ଏ ସମ୍ପର୍କିତ ରିପୋର୍ଟ ଦାଖଲ କରିବା ପାଇଁ କମିଶନ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପିଡିତଙ୍କୁ ଛଅ ସପ୍ତାହ ମଧ୍ୟରେ ୨ ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ଦେବାକୁ ମଧ୍ୟ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ଏହି ନିର୍ଦ୍ଦେଶ ପାଳନ ନ ହେଲେ ମାନବାଧିକାର ସୁରକ୍ଷା ଆଇନ, ୧୯୯୩ ଧାରା ୧୩ ଅନୁସାରେ କଡା ପଦକ୍ଷେପ ନିଆଯିବ ବୋଲି କମିଶନ ତାଙ୍କ ନିର୍ଦ୍ଦେଶନାମାରେ କହିଛନ୍ତି ।

Spread the love