୫ ଘଣ୍ଟା ହସ୍ପିଟାଲକୁ ବନ୍ଦ କଲେ ଡାକ୍ତର, ରୋଗୀ ହା ହା କାର

କରଞ୍ଜିଆ : ଡାକ୍ତର ହେଉଛନ୍ତି ଭଗବାନଙ୍କ ଦ୍ୱିତୀୟ ଅବତାର, ଏହା ଲୋକେ କୁହନ୍ତି। କାହିଁକିନା ମୃତ୍ୟୁର ଅତି ନିକଟରୁ ରୋଗୀର ଜୀବନ ରକ୍ଷା କରିଦିଅନ୍ତି ଡାକ୍ତର। କିନ୍ତୁ ଏହି ଡାକ୍ତର ଯଦି ତାଙ୍କର କର୍ତ୍ତବ୍ୟ ଭୂଲିଯାନ୍ତି ଥରେ ଭାବିଲେ ରୋଗୀର ଅବସ୍ଥା କଣ ହେବ? ନିହାତି ଭାବରେ ରୋଗୀର ଜୀବନ ଚାଲିଯିବ। ହଁ ଆଜ୍ଞା ଏଠି ବି ଠିକ୍‌ ଏୟା ହୋଇଛି ଡାକ୍ତର ଦେଖିଲେନି ରୋଗୀଙ୍କୁ, ଆଉ ଚାଲିଗଲା ରୋଗୀର ଜୀବନ। ପୁଣି ଏହା ପଛର କାରଣ ଜାଣିଲେ ଆପଣ ନିହାତି ଭାବେ କ୍ରୋଧାନ୍ଵିତ ହୋଇଯିବେ। ଏ ଘଟଣା ଘଟିଛି କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ। ଏଠାରେ ହଠାତ୍‌ ୫ ଘଣ୍ଟା ବନ୍ଦ ହୋଇଗଲା ରୋଗୀ ସେବା। କେହି କିଏ ପଚାରି ବୁଝିବାରୁ ଜଣାପଡିଲା ମେଡିକାଲ କର୍ତ୍ତୃପକ୍ଷ ଏବଂ ଡାକ୍ତର ମିଟିଂ ପାଇଁ ପାଞ୍ଚଘଣ୍ଟା ଧରି ହସ୍ପିଟାଲକୁ ବନ୍ଦ କରିଛନ୍ତି।

ସୂଚନା ମୁତାବକ ଏଠାରେ କାର୍ଯ୍ଯ କରୁଥିବା ଜୈନେକ ଆମ୍ବୁଲାନ୍ସ ଡ୍ରାଇଭର ଲଷ୍ମୀଧରସିଂ ନିଜର ସମ୍ପର୍କୀୟଙ୍କ ବାହାଘର ଥିବାରୁ ଛୁଟି ଦରଖାସ୍ତ ନେଇ ଯାଇଥିଲେ। କିନ୍ତୁ ମେଡ଼ିକାଲ ଅଧୀକ୍ଷକଙ୍କ ଦୁର୍ବ୍ଯବହାର ଶିକାର ହେବା ପରେ କିଛି ସମୟ ପାଇଁ ଘଟଣା ସ୍ଥଳରେ ହୋ ହୋଲା କଲେ ଆମ୍ବୁଲାନ୍ସ ଡ୍ରାଇଭର ଏବଂ ତାଙ୍କ ସ୍ତ୍ରୀ। କଥା ସେତିକିରେ ସରିନଥିଲା ଏଇ ଘଟଣା ପରେ ଆମ୍ବୁଲାନ୍ସ ଡ୍ରାଇଭର ଏବଂ ତାଙ୍କ ସ୍ତ୍ରୀ ଗଣ ମାଧ୍ୟମର ସାହାରା ନେବାରୁ ଆମ୍ବୁଲାନ୍ସ ଡ୍ରାଇଭରକୁ ପାନେ ଦେବାପାଇଁ ମେଡ଼ିକାଲର ସମସ୍ତ କର୍ମଚାରୀ ଏବଂ ମେଡ଼ିକାଲ ଅଧୀକ୍ଷକ ରୁଦ୍ଧଦ୍ୱାର ବୈଠକ କରିଥିଲେ। ତେବେ ସେଠାରେ ମଧ୍ୟ କୌଣସି ସମାଧାନର ବାଟ ନ ବାହାରିପାରିବାରୁ ସନ୍ଧ୍ୟା ୪ ଟା ବେଳୁ ମେଡ଼ିକାଲ ସମ୍ପୂର୍ଣ୍ଣ ବନ୍ଦ କରିଦେଇଥିଲେ କରଂଜିଆ ଉପଖଣ୍ଡ ଚିକିତ୍ସା ଅଧିକାରୀ।

ଚିକିତ୍ସାଳୟ ବନ୍ଦ କରିବାର କାରଣ ଜଣା ପଡି ନଥିଲେ ବି ଗତକାଲି ସକାଳେ ଘଟଣାକୁ ନେଇ ବନ୍ଦ କରିଥିବା ଅନୁମାନ କରାଯାଇଥିଲା। ତେବେ ସେତେବେଳେ ଚିକିତ୍ସାଳୟକୁ ଆସୁଥିବା ସମସ୍ତ ରୋଗୀ ଚିକିତ୍ସା ନ ପାଇ କିଏ କେନ୍ଦୁଝରକୁ ପଳାଉଥିଲେ ତ ଆଉ କିଏ କଟକ ଚାଲିଯାଉଥିବା ଦେଖିବାକୁ ମିଳିଥିଲା। ତେବେ ଗତକାଲି ସନ୍ଧ୍ୟାରେ ୪.୩୦ ମିନିଟ ସମୟରୁ କରଂଜିଆ ଉପଖଣ୍ଡ ଚିକିତ୍ସାଳୟରେ ରୋଗୀସେବା ସମ୍ପୂର୍ଣ୍ଣ ଠପ ହୋଇଯାଇଥିଲା ଏହାକୁ ନେଇ ସ୍ଥାନୀୟ ଲୋକେ ବିରୋଧ କରିବା ସହିତ ଡାକ୍ତରଙ୍କୁ ଘେରିବା ପରେ ଉତ୍ତେଜନା ସୃଷ୍ଟି ହୋଇଥିଲା। କାରଣ ଦୀର୍ଘ ୫ ଘଣ୍ଟା ସ୍ୱାସ୍ଥ୍ୟସେବା ବନ୍ଦ ହେବା ଯୋଗୁଁ ଗୋଟିଏ ନିରୀହ ଜୀବନ ଚାଲିଯାଇଛି। ତେବେ ଉତେଜନାକୁ ଦୃଷ୍ଟିରେ ରଖି କରଂଜିଆ ଉପଖଣ୍ଡ ପୋଲିସ ଅଧିକାରୀ , କରଂଜିଆ ଥାନା ଅଧିକାରୀ ଏବଂ କରଞ୍ଜିଆ ଉପଜିଲ୍ଲାପାଳ ଘଟଣା ସ୍ଥଳରେ ପହଞ୍ଚି ଡାକ୍ତର ମାନଙ୍କ ସହିତ ରୁଦ୍ଧଦ୍ୱାର ବୈଠକ ପରେ ସମାଧାନର ବାଟ ବାହାର କରିଥିଲେ।

ଏହି ଉତ୍ତେଜନା ଏତେ ତୀବ୍ର ରୂପ ନେଇଥିଲା ଯେ ସୁରକ୍ଷାକୁ ଦୃଷ୍ଟି ରେ ରଖି ଗତକାଲି ଘଟଣା ସ୍ଥଳରେ ଗୋଟେ ପ୍ଲାଟୁନ ପୋଲିସ ଫୋର୍ସ ମଧ୍ୟ ମୁତୟନ ଥିଲେ। ତେବେ ଏ ସମ୍ପର୍କରେ ମେଡ଼ିକାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳି ପାରିନଥିବା ବେଳେ ସ୍ଥାନୀୟ ଉପଜିଲ୍ଲାପାଳ କହିଛନ୍ତି ବର୍ତ୍ତମାନ ଠାରୁ ସମସ୍ତ ପ୍ରକାର ଚିକିତ୍ସାସେବା ଜାରି ରହିବ।

୩ଦିନ ପୂର୍ବରୁ ଜୀବିତ ଛୁଆକୁ ମୃତ୍ୟୁ ଘୋଷଣା କରିଥିବା ଘଟଣା ପରେ ମେଡ଼ିକାଲ କର୍ତ୍ତୃପକ୍ଷ ଚାପରେ ଥିବାବେଳେ ବର୍ତ୍ତମାନ ଏଇ ଘଟଣା ଏବେ ଚର୍ଚ୍ଚାକୁ ଆହୁରି ସତେଜ କରିଛି। ସବୁଠୁ ବଡ କଥା ହେଉଛି ମେଡିକାଲ ଅଧିକ୍ଷକ କେତେବେଳେ କର୍ମଚାରୀଙ୍କୁ ଦୋଷ ଦେଉଛନ୍ତି ତ କେତେବେଳେ ଜନସାଧାରଣଙ୍କୁ। ଯାହା ଜଣେ ମେଡ଼ିକାଲ ଅଧୀକ୍ଷକଙ୍କ କାର୍ଯ୍ଯ ଦକ୍ଷତା ଉପରେ ପ୍ରଶ୍ନ ଉଠାଇଛି ?ସେହିପରି ଗତକାଲି ସମସ୍ତେ କାର୍ଯ୍ଯ ବନ୍ଦ କରିଥିବାରୁ ଜୈନେକ ମହିଳା ମେଡିକାଲରେ ଚିକିତ୍ସା ନ ପାଇ ମୃତ୍ୟୁ ବରଣ କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଜଣେ ମେଡ଼ିକାଲ ଅଧ୍ୟକ୍ଷଙ୍କୁ ଦୀର୍ଘପାଞ୍ଚ ଘଣ୍ଟାରୁ ଅଧିକ ସମୟ ସମ୍ପୂର୍ଣ୍ଣ ମେଡ଼ିକାଲ କୁ ବନ୍ଦ କରିବା ପାଇଁ କିଏ ଅଧିକାର ଦେଲା ? ଆଉ ଏଇ ବନ୍ଦ ଯୋଗୁଁ ମୃତ୍ୟୁ ବରଣ କରିଥିବା ମହିଳାଙ୍କ ପାଇଁ ଦାୟୀ କିଏ ହବ ? ଯୋଉଠି ଭଗବାନଙ୍କ ଦ୍ୱିତୀୟ ଅବତାର ଡାକ୍ତରଙ୍କୁ ମାନୁଥିବା ବେଳେ ଏଠାରେ ଡାକ୍ତର ମାନେ ଚିକିତ୍ସା ନ କରି ରୋଗୀକୁ ମାରିଥିବାରୁ ଏହାର ବିଧିବଦ୍ଧ ତଦନ୍ତ କରି ଦୁଷ୍ଟାନ୍ତ ମୂଳକ କାର୍ଯ୍ଯାନୁଷ୍ଠାନ ଦାବି କରିଛନ୍ତି ଅଞ୍ଚଳବାସୀ।

Spread the love