କେଉଁ କେଉଁ ପ୍ରକଳ୍ପ କେତେ ବାଟ ଆଗେଇଛି ? ବ୍ୟାପକ ଫିଲ୍‌ଡ ଭିଜିଟ୍‌ ସହ ବିଭିନ୍ନ ପ୍ରକଳ୍ପ ଓ ଯୋଜନାର ସମୀକ୍ଷା କରୁଛନ୍ତି ରାଜ୍ୟର ପ୍ରଶାସନିକ ଅଧିକାରୀ

ଆକ୍ସନ ମୋଡରେ ରାଜ୍ୟ ପ୍ରଶାସନ । ଗ୍ରାଉଣ୍ଡ ଜିରୋରେ ବିଭିନ୍ନ ବିଭାଗର ସଚିବ ଓ ବରିଷ୍ଠ ଅଧିକାରୀ । କେଉଁ କେଉଁ ପ୍ରକଳ୍ପ କେତେ ବାଟ ଆଗେଇଛି ? କେବେ ସୁଦ୍ଧା ସରିବ ପ୍ରକଳ୍ପ କାମ ? ବିଭିନ୍ନ ଯୋଜନାରୁ ହିତାଧିକାରୀଙ୍କୁ ଫାଇଦା ମିଳୁଛି କି ନାହିଁ ? ବ୍ୟାପକ ଫିଲ୍‌ଡ ଭିଜିଟ୍‌ ସହ ବିଭିନ୍ନ ପ୍ରକଳ୍ପ ଓ ଯୋଜନାର ସମୀକ୍ଷା କରୁଛନ୍ତି ସଚିବ ଓ ବରିଷ୍ଠ ଅଧିକାରୀ । ପ୍ରତି ମାସର ତୃତୀୟ ସପ୍ତାହରେ ସଚିବ ଓ ବରିଷ୍ଠ ଅଧିକାରୀଙ୍କୁ ଲୋକସେବା ଭବନରେ ରାଜ୍ୟସ୍ତରୀୟ ବୈଠକ ମନା କରିଥିଲେ ଉନ୍ନୟନ କମିଶନର । ଏନେଇ ସବୁ ସଚିବ, ସ୍ୱତନ୍ତ୍ର ସଚିବ ଓ ଅତିରିକ୍ତ ମୁଖ୍ୟ ସଚିବଙ୍କୁ ଚିଠି ଲେଖିଥିଲେ ଉନ୍ନୟନ କମିଶନର । ଆଉ ଏବେ ଏହାର ପ୍ରତିଫଳନ ଦେଖିବାକୁ ମିଳିଛି। ନିଜେ ଉନ୍ନୟନ କମିଶନର ଅନୁ ଗର୍ଗ ବଲାଙ୍ଗୀର ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପର ଅନୁଧ୍ୟାନ କରିଛନ୍ତି। ଦୁଇଦିନିଆ ଗସ୍ତରେ ଯାଇ ଲୋୟର ସୁକତେଲ ପ୍ରକଳ୍ପ ଏବଂ ଅନ୍ୟ ପ୍ରୋଜେକ୍ଟଗୁଡ଼ିକର ତଦାରଖ କରିଛନ୍ତି।
ସ୍ୱାସ୍ଥ୍ୟ ସଚିବ ଶାଲିନୀ ପଣ୍ଡିତ ଦୁଇ ଦିନିଆ ମୟୂରଭଞ୍ଜ ଗସ୍ତରେ ଯାଇ ସ୍ୱାସ୍ଥ୍ୟ ଭିତ୍ତିଭୂମିର ତଦାରଖ କରିଛନ୍ତି। ବାରିପଦା ଦେବେନ୍ଦ୍ରପୁର ସ୍ଥିତ ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପରିଦର୍ଶନ କରିଥିଲେ । ଏଠାରେ ରୋଗୀଙ୍କୁ ଉନ୍ନତ ଚିକିତ୍ସା ଯୋଗାଇଦେବା ଉପରେ ଅଧିକାରୀଙ୍କ ସହ ଆଲୋଚନା କରଛନ୍ତି । ଏହାସହ ଘରୋଇ ଚିକିତ୍ସାଳୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର କାର୍ଯ୍ୟକାରିତା ନେଇ ତଦାରଖ କରିଛନ୍ତି । ଗ୍ରାମ୍ୟ ଉନ୍ନୟନ ଓ ଶକ୍ତି ସଚିବ ସଂଜୟ ସିଂ କେନ୍ଦୁଝରର ଯୋଡା ନିର୍ମାଣାଧୀନ କାନପୁର ଜଳସେଚନ ପ୍ରକଳ୍ପ ବୁଲି ଦେଖିଛନ୍ତି। ଧାର୍ଯ୍ୟ ସମୟ ମଧ୍ୟରେ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସମବାୟ ବିଭାଗର ସଚିବ ସଂଜୀବ ଚଢ୍ଡା ବଲାଙ୍ଗୀର ଗସ୍ତରେ ଯାଇ ବେଲପଡ଼ାରେ ତରଭୁଜ କ୍ଲଷ୍ଟର ବୁଲି ଦେଖିଛନ୍ତି। ମହିଳା ଚାଷୀଙ୍କୁ ସେ ପ୍ରଶଂସା କରିଥିଲେ। ବିପର୍ଯ୍ୟୟ ମୁକାବିଲା ନେଇ ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ ବାଲେଶ୍ୱର ଗସ୍ତରେ ଯାଇ ଭୋଗରାଇରେ ଜୟରାମପୁର ପଞ୍ଚାୟତର ଗୋଷ୍ଠୀ ସ୍ୱେଚ୍ଛାସେବୀମାନଙ୍କ ସହ ଆଲୋଚନା କରିଥିଲେ।

ଗତ ଶନିବାର ଦିନ ଫାଇଭ ଟି ସଚିବ ଭିକେ ପାଣ୍ଡିଆନଙ୍କ ପୁରୀ ଗସ୍ତରେ ଯାଇ ଶ୍ରୀସେତୁ ଓ ବାସେଳୀ ସାହି ଧର୍ମଶାଳା ଓ ସମଙ୍ଗ ପାର୍କିଂ କାମର ଅଗ୍ରଗତି ନେଇ ସମୀକ୍ଷା କରିିଥିଲେ । ନିର୍ଦ୍ଧାରିତ ସମୟରେ କାର୍ଯ୍ୟ ଶେଷ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି। ବାସେଳୀ ସାହିରେ ୧୦ ଏକର ଜମିରେ ନିର୍ମିତ ଧର୍ମଶାଳା କାମ ବୁଲି ଦେଖିଥିଲେ । ଏହି ଧର୍ମଶାଳାରେ ଚାରି ହଜାର ଲୋକ ରହିବାର ବ୍ୟବସ୍ଥା ରହିଛି । ଏହାସହ ସମଙ୍ଗ ଠାରେ ୪୩ ଏକର ଜମିରେ ନିର୍ମିତ କାର ଓ ବସ ପାର୍କିଂ କାର୍ଯ୍ୟ ମଧ୍ୟ ଫାଇଭ ଟି ସଚିବ ବୁଲି ଦେଖିଥିଲେ । ଏ ସମସ୍ତ କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ରଥଯାତ୍ରା ପୂର୍ବରୁ ଶେଷ କରିବା ପାଇଁ ପ୍ରଶାସନକୁ ପରାମର୍ଶ ଦେଇଛନ୍ତି।

Spread the love