ନିର୍ବାଚନ ପୂର୍ବରୁ କେତେ ଜଣଙ୍କୁ ଜେଲ୍ ପଠାଇବ?

ନୂଆଦିଲ୍ଲୀ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ୟୁଟ୍ୟୁବର ସତ୍ତାଇ ଦୁରାଇମୁରୁଗାନଙ୍କୁ ମିଳିଥିବା ଜାମିନକୁ ସୋମବାର ସୁପ୍ରିମ୍‌କୋର୍ଟ କାଏମ ରଖିଛନ୍ତି। ଅଦାଲତ କହିଛନ୍ତି, ଯଦି ନିର୍ବାଚନ ପୂର୍ବରୁ ଆମେ ୟୁଟ୍ୟୁବ୍‌ରେ ଅଭିଯୋଗ କରୁଥିବା ସମସ୍ତଙ୍କୁ ଜେଲ୍ ପଠାଇବା ଆରମ୍ଭ କରୁ, ତେବେ କଳ୍ପନା କରନ୍ତୁ କେତେ ଜଣ ଜେଲ୍‌ରେ ରହିବେ। ଜଷ୍ଟିସ ଏଏସ୍ ଓକା ଓ ଜଷ୍ଟିସ ଉଜ୍ଜ୍ବଳ ଭୂୟାଁଙ୍କୁ ନେଇ ଗଠିତ ଖଣ୍ଡପୀଠ ଜାମିନ ମଞ୍ଜୁର କରି କହିଛନ୍ତି, ଆମେ ଭାବୁନାହୁଁ ଯେ ପ୍ରତିବାଦ ଓ ମତ ପ୍ରକାଶ କରି ସେ ନିଜ ସ୍ୱାଧୀନତାର ଅପବ୍ୟବହାର କରିଛନ୍ତି ବୋଲି କୁହାଯାଇପାରିବ।

ପୂର୍ବରୁ ମାଡ୍ରାସ ହାଇକୋର୍ଟ ଜାମିନ ନାମଞ୍ଜୁର କରି ଦର୍ଶାଇଥିଲେ ଯେ, ଆଉ ଏମିତି କରିବି ନାହିଁ ବୋଲି କୋର୍ଟରେ ପ୍ରତିଶ୍ରୁତି ଦେବାର କିଛି ଦିନ ମଧ୍ୟରେ ସେ ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିଲେ। ତାମିଲନାଡ଼ୁ ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ମୁକୁଲ ରୋହତାଗି ଦାବି କରିଥିଲେ ଯେ ୟୁଟ୍ୟୁବରଙ୍କୁ ଅପମାନଜନକ ମନ୍ତବ୍ୟ ଦେବାରୁ ରୋକିବା ପାଇଁ ତାଙ୍କ ଉପରେ କଠୋର ସର୍ତ୍ତ ଲାଗୁ କରାଯାଉ। ଏହାର ଜବାବରେ ଖଣ୍ଡପୀଠ କହିଛନ୍ତି, କ’ଣ ଅପମାନଜନକ ଓ କ’ଣ ନୁହେଁ ତାହା ଏହି ଅଦାଲତ ସ୍ଥିର କରିବେ।

ଉଲ୍ଲେଖଯୋଗ୍ୟ, ଶାନ୍ତି ଶୃଙ୍ଖଳା ଭଙ୍ଗ କରିବା ଉଦ୍ଦେଶ୍ୟରେ ସତ୍ତାଇ ଷ୍ଟାଲିନଙ୍କ ବିରୋଧରେ ଅପମାନସୂଚକ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଥିଲା। ଜଣେ ଡିଏମକେ ନେତା ଏ ନେଇ ଅଭିଯୋଗ କରିବା ପରେ ପୁଲିସ ୨୦୨୧ ଅକ୍ଟୋବରରେ ତାଙ୍କୁ ଗିରଫ କରିଥିଲା। ୨୦୨୧ ନଭେମ୍ବରରେ ମାଡ୍ରାସ ହାଇକୋର୍ଟ ତାଙ୍କୁ ପ୍ରଥମେ ଜାମିନ ଦେଇଥିଲେ। କିନ୍ତୁ ପରେ ହାଇକୋର୍ଟର ଏକ ଖଣ୍ଡପୀଠ ତାହାକୁ ପ୍ରତ୍ୟାହାର କରିନେଇଥିଲେ। ଏହାକୁ ସେ ସୁପ୍ରିମ୍‌ କୋର୍ଟରେ ଚାଲେଞ୍ଜ କରିଥିଲେ।

Spread the love