ବର୍ଷକୁ କେତେ ଥର ସୁନାବେଶ ହୁଅନ୍ତି ମହାପ୍ରଭୁ? କେତେ ଥର ଦିଅନ୍ତି ରାଜରାଜେଶ୍ୱର ବେଶରେ ଦର୍ଶନ?

ଆଜି ମହାପ୍ରଭୁଙ୍କ ସୁନାବେଶ । ମହଣ ମହଣ ସୁନାରେ ସଜେଇ ହେବେ ଶ୍ରୀଜୀଉ । ବାହୁଡ଼ା ଯାତ୍ରା ସାରି ଫେରିବା ପରେ ସିଂହଦ୍ୱାରରେ ରଥ ଉପରୁ ଅଗଣିତ ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେବେ ତିନି ଠାକୁର । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହେଇସାରିଛ । ଆଉ ମାତ୍ର କିଛି ସମୟ ପରେ ଆରମ୍ଭ ହେବ ସୁନାବେଶ ଦର୍ଶନ । ଅପରାହ୍ନ ୫ଟାରୁ ବେଶ ଆରମ୍ଭ ହେବାକୁ ସମୟ ଧାର୍ଯ୍ୟ କରାଯାଇଥିବାବେଳେ, ରାତି ୧୧ଟା ପର୍ଯ୍ୟନ୍ତ ସୁନାବେଶ ଦର୍ଶନ ଚାଲିବ । ରଥ ଉପରେ ଭକ୍ତଜନଙ୍କୁ ଦର୍ଶନ ଦେଲେ ଶ୍ରୀଜିଉ । ତେବେ ଆପଣ ଜାଣିଛନ୍ତି କି ମହାପ୍ରଭୁ ଗୋଟିଏ ବର୍ଷରେ କେତେ ଥର ସୁନାବେଶ ହୁଅନ୍ତି?
ପ୍ରତିବର୍ଷ ସୁନାବେଶ ପାଞ୍ଚଥର ଅନୁଷ୍ଠିତ ହୋଇଥାଏ । ଏହା ସାଧାରଣତଃ ପୌଷ ପୂର୍ଣ୍ଣିମା (ପୁଷ୍ୟାଭିଷେକ), ଫାଲଗୁନ ପୂର୍ଣ୍ଣିମା (ଦୋଳ ପୂର୍ଣ୍ଣିମା), ହରିଶୟନ ଏକାଦଶୀ (ବାହୁଡ଼ା ଏକାଦଶୀ), କାର୍ତ୍ତିକ ପୂର୍ଣ୍ଣିମା (ରାଜରାଜେଶ୍ୱର ବେଶ) ଓ ବିଜୟାଦଶମୀ (ଦଶହରା) ଦିନ ଅନୁଷ୍ଠିତ ହୋଇଥାଏ । ଏଥିମଧ୍ୟରୁ ଶ୍ରୀମନ୍ଦିର ଭିତରେ ରତ୍ନସିଂହାସନ ଉପରେ ଶ୍ରୀଜୀଉମାନେ କାର୍ତ୍ତିକ ପୂର୍ଣ୍ଣିମା, ପୌଷ ପୂର୍ଣ୍ଣିମା, ଦୋଳ ପୂର୍ଣ୍ଣିମା ଓ ଦଶହରା ତିଥିଗୁଡ଼ିକରେ ସୁନାବେଶରେ ସଜ୍ଜିତ ହୋଇଥାନ୍ତି ଓ କେବଳ ଥରେ ମାତ୍ର ସମସ୍ତବର୍ଗର ଜନତାଙ୍କ ପାଇଁ ଆଷାଢ଼ ଶୁକ୍ଲ ଏକାଦଶୀ ଦିନ ସିଂହଦ୍ୱାରଠାରେ ରଖାଯାଇଥିବା ତିନିରଥ ଉପରେ ସୁନାବେଶରେ ସଜ୍ଜିତ ହୋଇଥାନ୍ତି ମହାପ୍ରଭୁ । ଭିତରଚ୍ଛ ମହାପାତ୍ର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଡ଼ରେ, ତଳିଚ୍ଛ ମହାପାତ୍ର ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ବାଡ଼ରେ ଓ ପୁଷ୍ପାଳକ ସେବାୟତ ଦେବୀ ସୁଭଦ୍ରାଙ୍କ ବାଡ଼ରେ ଯଥାକ୍ରମେ ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ରଥରେ ଶ୍ରୀବିଗ୍ରହମାନଙ୍କୁ ସୁନାବେଶରେ ସଜ୍ଜିତ କରିବାର ପରମ୍ପରା ରହିଛି।

Spread the love