ରାଜ୍ୟର ୫୫ଟି ହ୍ରଦ ଓ ଜଳାଶୟ ପ୍ରଦୂଷିତ, ରାଜ୍ୟ ସରକାରଙ୍କୁ ଏନଜିଟିର ତାଗିଦ୍

ଭୁବନେଶ୍ଵର/ଜଗତସିଂପୁର: ରାଜ୍ୟରେ ଏବେ ୫୫ଟି ହ୍ରଦ ଏବଂ ଜଳାଶୟ ପ୍ରଦୂଷିତ। ଯାହାକୁ ନେଇ ଏନଜିଟି ରାଜ୍ୟସରକାରଙ୍କୁ ତାଗିଦ କରିବା ସହ ରିର୍ପୋଟ ତଲବ କରିଛନ୍ତି। ଏନଜିଟି ଛାଟ ବସିବା ପରେ ଜଳସମ୍ପଦ ବିଭାଗ ଆକ୍ସନ ମୋଡକୁ ଆସିଛି।  ପ୍ରଦୂଷଣ ରୋକିବା ପାଇଁ କଣ ପଦକ୍ଷେପ ନିଆଯାଇଛି ୨୩ ଜିଲ୍ଲାର ଜିଲ୍ଲାପାଳଙ୍କୁ  ରିପୋର୍ଟ ମଗାଯଇଛି । ଏପଟେ ଓ୍ବାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ବସାଇବା ଯୋଜନା କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି ପରିବେଶବିତ ।

ରାଜ୍ୟର ୫୫ଟି ହ୍ରଦ ଓ ଜଳାଶୟ ପ୍ରଦୂଷିତ। NGTର ରିର୍ପୋଟ ତଲବ ପରେ ଆକ୍ସନ ମୋଡ୍‌ରେ ରାଜ୍ୟ ସରକାର। ୨୩ ଜିଲ୍ଲାପାଳଙ୍କୁ ଆକ୍ସନ ଟେକେନ୍ ରିର୍ପୋଟ ମାଗିଛି ଜଳସମ୍ପଦ ବିଭାଗ। ଏନଜିଟି ରିପୋର୍ଟ ଅନୁସାରେ ରାଜ୍ୟର ୫୫ଟି ହ୍ରଦ ଓ ଜଳାଶୟର ପାଣି ନିତ୍ୟ ବ୍ୟବହାର ଯୋଗ୍ୟ ନୁହେଁ। କୋରାପୁଟ ଚଣ୍ଡଳାଗଡ଼ ସ୍ଥିତ କୋଲାବ ସବୁଠାରୁ ଅଧିକ ପ୍ରଦୂଷିତ।  ଗଞ୍ଜାମର ଟାମ୍ପରା ହ୍ରଦ, କଟକ ଜିଲ୍ଲା ବାଙ୍କୀର ଅଂଶୁପା, ଖୋର୍ଦ୍ଧାର କାଞ୍ଜିଆ ହ୍ରଦ ଏବଂ ପୁରୀର ଚିଲିକା ଭଳି ବଡ ହ୍ରଦ ପ୍ରଦୂଷଣ ତାଲିକାରେ ରହିଛି। ଏସବୁ ଜଳାଶୟରେ ପ୍ରଦୂଷଣ ମାତ୍ରା ବଢିବା ପରିବେଶ ପ୍ରତି ବିପଦ ସୃଷ୍ଟି କରିବାର ଆଶଙ୍କା କରାଯାଉଛି । ଏହା ଉପରେ ନିର୍ଭର କରୁଥିବା ଲୋକଙ୍କ ପ୍ରତି ମଧ୍ୟ ବିପଦ ବଢାଉଛି । ତେଣୁ ଆସନ୍ତା ୧୫ ତାରିଖ ସୁଦ୍ଧା ଏଟିଆର ଦେବାକୁ ଜଳସମ୍ପଦ ବିଭାଗ  ନିର୍ଦ୍ଦେଶ ଦେଇଛି।

ପ୍ଦୂଷିତ ତାଲିକାରେ ଥିବା ୫୫ ଟି ହ୍ରଦରୁ ୧୪ଟି ଜଳ ସମ୍ପଦ ବିଭାଗ ଅଧୀନରେ ଥିବାବେଳେ  ଆଉ ୪୧ ଟି ୨୩ ଜିଲ୍ଲାପାଳଙ୍କ ଅଧୀନରେ ରହିଛି। ଶିଳ୍ପାଞ୍ଚଳ ଏବଂ ମ୍ୟୁନିସିପାଲଟି ଅଞ୍ଚଳରୁ ରୁ ନିର୍ଗତ ହେଉଥିବା ବର୍ଜ୍ୟବସ୍ତୁ ସିଧାସଳଖ ହ୍ରଦ ଏବଂ ଜଳାଶୟରେ ପଡୁଛି । ଓ୍ବାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ବସାଇବା ଯୋଜନା ହୋଇଛି, ହେଲେ ଏସବୁ କାର୍ଯ୍ୟକାରୀ ନ ହୋଇ କାଗଜକଲମରେ ରହିଯାଇଛି ।

ରାଜ୍ୟର ୧୧ ଟି ନଦୀ  ଚିନ୍ତାଜନକଭାବରେ ପ୍ରଦୂଷିତ ହୋଇ ସାରିଛି । ଏବେ ରାଜ୍ୟର ୫୫ଟି ହ୍ରଦ ଏବଂ ଜଳଭଣ୍ଡାର ମଧ୍ୟ ମାତ୍ରାଧିକ ପ୍ରଦୂଷିତ ହୋଇ ଯାଇଛି। ଏହା ସତର୍କ ଘଣ୍ଟି । ରାଜ୍ୟସରକାର ସଚେତନ ନହେଲେ ଆଗାମି ଦିନରେ ବଡ ବିପଦ ଦେଖାଦେବ ନିଶ୍ଚୟ।

Spread the love