ପାଉଁରୁଟି ବିକାଳିଙ୍କ ପାଇଁ ୫୦୦ଲୋକ କରୋନା ସଂକ୍ରମିତ !

ଦେଶରେ କରୋନା ସଂକ୍ରମିତ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଦେଶରେ ଏଯାବତ ୯୦,୦୦୦ରୁ ଅଧିକ କରୋନା ମହାମାରୀରେ ସଂକ୍ରମିତ ହୋଇଥିବା ବେଳେ ୨୮୭୨ଜଣଙ୍କ ମୃତ୍ୟୁ ହୋଇସାରିଲାଣି। ଏହି କ୍ରମରେ କେରଳରେ ଜଣେ ବ୍ୟକ୍ତିଙ୍କ କାରଣରୁ ପାଖାପାଖି ୫୦୦ଜଣଙ୍କୁ କରୋନା ସଂକ୍ରମିତ ହେବାର ଭୟ ଦେଖା ଦେଇଛି।

ପ୍ରକାଶିତ ରିପୋର୍ଟ ମୁତାବକ, କେରଳର ଡୁଡୁକିରେ ପାଉଁରୁଟି ଦୋକାନ କରିଥିବା ଜଣେ ବ୍ୟବସାୟୀଙ୍କ ଶରୀରରେ କରୋନା ପଜିଟିଭ୍‌ ଥିବା ଜଣାପଡ଼ିଛି। ଏହାପରେ ଜିଲ୍ଲାର ଦୁଇଟି ପଞ୍ଚାୟତକୁ କଣ୍ଟେଣ୍ଟମେଣ୍ଟ ଜୋନ୍‌ ଘୋଷଣା କରି ଦିଆଯାଇଛି। ତେବେ ଏହି ପାଉଁରୁଟି ବ୍ୟବସାୟୀଙ୍କ ସମ୍ପର୍କରେ ଆସିଥିବା ସମସ୍ତଙ୍କ ସନ୍ଧାନ ପାଇବା ପାଇଁ ଏକ ସ୍ୱତନ୍ତ୍ର ଟିମ୍‌ ସନ୍ଧାନ କାର୍ଯ୍ୟ ଜାରି ରଖିଛି।

ଆଶଙ୍କା କରାଯାଉଛି ଯେ, ଏହି ପାଉଁରୁଟି ବ୍ୟବସାୟୀ ପାଖାପାଖି ୫୦୦ଜଣ ଲୋକଙ୍କ ସଂସ୍ପର୍ଶରେ ଆସିଛନ୍ତି। ସଂସ୍ପର୍ଶରେ ଆସିଥିବା ଲୋକଙ୍କ ଶରୀରରେ କରୋନା ଭାଇରସ୍‌ ଥିବା ଆଶଙ୍କା କରାଯାଇ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି।

ଏପଟେ ଜିଲ୍ଲା ପ୍ରଶାସନ ଲୋକମାନଙ୍କୁ ଅନୁରୋଧ କରି କହିଛନ୍ତି, ଯେଉଁ ଲୋକମାନେ ଉକ୍ତ ପାଉଁରୁଟି ଦୋକାନୀ ପାଖକୁ ଯାଇଛନ୍ତି, ସେ ତୁରନ୍ତ ପ୍ରଶାସନକୁ ତାହାର ସୂଚନା ଦେଇ ନିଜେ ସାମ୍ନାକୁ ଆସନ୍ତୁ। ଏହା ଏକ ପ୍ରକାର ଗୋଷ୍ଠୀ ସଂକ୍ରମଣ ବି ହୋଇପାରେ ବୋଲି ପ୍ରଶାସନକୁ ଚିନ୍ତା ଘାରିଛି। କେରଳରେ ଗତ ଶନିବାର ୧୧ଜଣ କରୋନା ସଂକ୍ରମିତ ହେବା ଚିହ୍ନଟ ହେବା ପରେ ରାଜ୍ୟରେ କୋଭିଡ-୧୯ ରୋଗୀଙ୍କ ସଂଖ୍ୟା ୮୭ରେ ପହଞ୍ଚି ଯାଇଛି।

ସେହିପରି ୫୫ ହଜାର ଲୋକଙ୍କୁ ନୀରିକ୍ଷଣରେ ରଖାଯାଇଛି। ରାଜ୍ୟର ସ୍ୱାସ୍ଥ୍ୟ ବିଭାଗ କହିବାନୁସାରେ, କରୋନା ସଂକ୍ରମିତ ଥିବା ୪ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଥିରେ ଜଣେ ୮୧ବର୍ଷୀୟ ବ୍ୟକ୍ତି ବି ସାମିଲ ରହିଛନ୍ତି। ଯାହାଙ୍କୁ ୪୨ଦିନର ଚିକିତ୍ସା ପରେ ଘରକୁ ପଠାଇ ଦିଆଯାଇଥିଲା।

Spread the love