ବୁଦ୍ଧି ହୀନ ମନୁଷ୍ୟ…

(ଜ୍ଯୋତିର୍ବିଦ୍ ରମେଶ ଚନ୍ଦ୍ର ପଣ୍ଡା) : ଜାମ୍ମୁ-କାଶ୍ମୀରର ଲୋକକଥା । ଏଠାରେ କାମଧନ୍ଦା ନ ମିଳିବାରୁ ଥରେ ଦଶ ଜଣ କୃଷକ ଅନ୍ୟତ୍ର କାମଧନ୍ଦାରେ ବାହାରିଗଲେ । ସେ ଅଂଚଳରେ ଶିକ୍ଷା ଦୀକ୍ଷାର ପ୍ରସାର ଘଟି ନଥିବାରୁ ସେମାନେ ପାଠପଢି ନଥିଲେ । ପ୍ରାୟତଃ ବୋକା ଭଳି ଆଚରଣ ପ୍ରଦର୍ଶନ କରୁଥିଲେ ।

ଦଶଜଣଯାକ କୃଷକ ଚାଲିଥାନ୍ତି । ହଠାତ୍ କାହିଁକି କ’ଣ ମନହେଲା, ସେମାନଙ୍କ ଭିତରୁ ଜଣେ ସେମାନଙ୍କର ସଂଖ୍ୟା ଗଣି ନଅ ବୋଲି ଜାଣିଲା । ସେ ଏକଥା ଅନ୍ୟମାନଙ୍କୁ କହିଲା, ସେମାନେ ବି ଜଣ ଜଣ କରି ଗଣିଲେ । ହେଲେ ସମସ୍ତଙ୍କର ଫଳାଫଳ ସେଇ ନଅ ।

ଅସଲକଥାଟି ହେଲା ସେମାନେ ପ୍ରତେକ ଥର ଗଣିଲାବେଳେ ନିଜ ନିଜକୁ ଛାଡି ଗଣୁଥିଲେ । ତେଣୁ ସବୁବେଳେ ଫଳାଫଳ ‘ନଅ’ ହେଉଥିଲା । ସୁତରାଂ ସେମାନେ ଭାବିଲେ ଆମମାନଙ୍କ ଭିତରୁ କିଏ ଜଣେ ବାଟରେ କେଉଁଠି ହଜିଯାଇଛି । ଆଉ ହଜିଯାଇଥିବା ଲୋକଟି କିଏ ଜାଣି ନ ପାରି ସମସ୍ତେ ମନଦୁଃଖ କଲେ । ଆଉ ଆଗକୁ ଯିବେ କ’ଣ ରାସ୍ତା କଡର ଗଛମୂଳେ ବସି ସମସ୍ତେ ଖୁବ୍ ବଡପାଟିରେ କାନ୍ଦିବାକୁ ଲାଗିଲେ ।

ଠିକ୍ ଏତିକିବେଳେ ସେ ବାଟ ଦେଇ ଗାଁ ଚାଟଶାଳୀ ଅବଧାନେ ଯାଉଥିଲେ । ଏକାବେଳକେ ଦଶଜଣ ଲୋକ ପାଟିକରି କାନ୍ଦିବା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ।

ତହୁଁ ଅବଧାନେ ପଚାରିଲେ, ”ଭାଇମାନେ! ଏଠାରେ ବସି କାନ୍ଦୁଛ କାହିଁକି?”

ଉତ୍ତର ମିଳିଲା, ”ଅବଧାନେ! ଆମେ ଦଶଜଣ ନିକିମା ମଣିଷ । କାମଧନ୍ଦା କରି ଅର୍ଥ ଉପାର୍ଜନ କରିବାପାଇଁ ବାହାରକୁ ଯାଉଥିଲୁ । ଆମେ ପରସ୍ପର ବନ୍ଧୁ ଭାବରେ ଏଭଳି ବାନ୍ଧି ହୋଇଛୁ ଯେ, କେହି କାହାରିକୁ ମୁହୂର୍ତ୍ତେ ଛାଡିଲେ ଚଳିପାରିବୁ ନାହିଁ । ଏବେ ଘଟଣାଟି ହେଲା, ଆମେ ସମସ୍ତେ ଜଣ ଜଣ କରି ଆମମାନଙ୍କର ସଂଖ୍ୟା ଗଣିବାରୁ ‘ନଅ’ ହେଉଛି । ଆମେ ତ ଗାଆଁରୁ ଦଶ ଆସିଥିଲୁ, ଏବେ ବାଟରେ ଜଣେ କେଉଁଠି ହଜିଗଲା, ସେଥିଲାଗି ବସି କାନ୍ଦୁଛୁ ।”

ଏକଥା ଶୁଣି ଅବଧାନେ ନିଜେ ଗଣିଲେ । ଦେଖିଲେ ଠିକ୍ ‘ଦଶ’ ହେଉଛି । ତହୁଁ ସେ ଲୋକମାନଙ୍କୁ ଆଉଥରେ ଭଲ ଭାବରେ ଗଣିବାକୁ କହିଲେ । ଏଥର ବି ସେମାନଙ୍କ ଗଣନା ଅନୁସାରେ ‘ନଅ’ ହେଲା । ଏବେ ଅବଧାନେ କହିଲେ, ”ଠିକ୍ ଅଛି । ତୁମମାନଙ୍କର ସଂଖ୍ୟା ଏବେ ବି ‘ଦଶ’ । ମାତ୍ର ଭୁଲ୍ ହେଲା, ତୁମେମାନେ ଗଣିଲାବେଳେ ନିଜକୁ ଛାଡି ଦେଉଛ । ଫଳରେ ସଂଖ୍ୟା ନଅ ହେଉଛି । ଏବେ ଦେଖ ମୁଁ ଗଣୁଛି ।” ଅବଧାନେ ସେହି ଲୋକଙ୍କ ଆଗରେ ଗୋଟି ଗୋଟି କରି ଗଣି ଦଶ ଦେଖାଇ ଦେବାରୁ ସେମାନେ ବୁଝିଗଲେ ।

ଏକଥାଟି ଯିଏ ଶୁଣିଲା ହସି ହସି ଗଡିଗଲା । ସୁତରାଂ ମୁଣ୍ଡରେ ଟିକିଏ ବୁଦ୍ଧି ବା ସାଧାରଣଜ୍ଞାନ ନ ଥିଲେ ଏମିତି ହଟହଟା ହେବାକୁ ହୁଏ ।

Spread the love