ମଣିଷ ଜୀବନ ଓ ଅର୍ଥନୀତି ମଧ୍ୟରେ ମଣିଷ ଜୀବନକୁ ଅଧିକ ଗୁରୁତ୍ଵ ଦେଇଛୁ: ନବୀନ

ଭୁବନେଶ୍ବର, ୯/୦୪: କରୋନା ଭୂତାଣୁ ବ୍ୟାପୁଥିବାରୁ ରାଜ୍ୟ ସରକାର ଲକ୍‌ଡାଉନ ଅବଧିକୁ ବୃଦ୍ଧି କରିଦେଇଛନ୍ତି। ଏପ୍ରିଲ ୧୪ ତାରିଖ ପରିବର୍ତ୍ତେ ଏହା ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ଗୁରୁବାର କ୍ୟାବିନେଟରେ ଏ ନେଇ ନିଷ୍ପତ୍ତି ନିଆଯିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି। ତେବେ ଲକ୍‌ଡାଉନ ବୃଦ୍ଧିକୁ ନେଇ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ କିଛି ସ୍ବତନ୍ତ୍ର ବାର୍ତ୍ତା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହ କଠିନ ସମୟରେ ଆମକୁ ମଣିଷ ଜୀବନ ଏବଂ ଅର୍ଥନୀତି ମଧ୍ୟରେ ନିଷ୍ପତ୍ତି ନେବାକୁ ପଡ଼ିଛି। ଆମେ ମଣିଷ ଜୀବନକୁ ଅଧିକ ଗୁରୁତ୍ଵ ନେଇ ଏହି ନିଷ୍ପତ୍ତି ନେଇଛୁ।

ନବୀନ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଆହୁରି କହିଛନ୍ତି ଯେ, ଆପଣମାନେ କରୋନାର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ଯେଉଁଭଳି ଭାବରେ ସହ​‌ଯୋଗ ଓ ସମର୍ଥନ କରିଛନ୍ତି ସେଥିପାଇଁ ମୁଁ ଧନ୍ୟବାଦ ଜଣାଉଛି। ଏଥିପାଇଁ ଆପଣମାନଙ୍କୁ, ଆମ ସମସ୍ତଙ୍କୁ ବହୁତ କଷ୍ଟ ସ୍ବୀକାର କରିବାକୁ ପଡୁଛି। ଅନେକ ତ୍ୟାଗ କରିବାକୁ ପଡୁଛି। କିନ୍ତୁ ପରିସ୍ଥିତିର ମୁକାବିଲା କରିବା ପାଇଁ ଏହା ହିଁ ଏକମାତ୍ର ବାଟ।

Spread the love