ମାମିନା ପ୍ରଧାନ ଓ ୩ବର୍ଷର ସନ୍ତାନ ଦୀପୁନ ହତ୍ୟା ମାମଲା: ସ୍ବାମୀ ଓ ଶାଶୁଙ୍କୁ ଆଜୀବନ କାରାଦଣ୍ଡ

ଖୋର୍ଦ୍ଧା: ୨୦୧୫ରେ ନିରାକାରପୁର ଥାନା ଅନ୍ତର୍ଗତ ହରିପୁର ନିକଟର ମୋରମୋରସିଂହ ଗାଁରେ ମାମିନା ଜେନା ଓ ତାଙ୍କର ୩ ବର୍ଷର ପୁତ୍ର ସନ୍ତାନଙ୍କ ହତ୍ୟା ମାମଲାରେ ଆଜି ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।
ଅତିରିକ୍ତ ଜିଲ୍ଲା ଦୌରା ଜଜ୍‌ ଅଜୟ କୁମାର ପ୍ରଧାନ ଉଭୟ ପକ୍ଷର ବାଦପ୍ରତିବାଦ ଓ ସାକ୍ଷ୍ୟ ପ୍ରମାଣ ଆଧାରରେ ମାମିନାଙ୍କ ସ୍ବାମୀ ତପନ ପ୍ରଧାନ (୪୨) ଓ ଶାଶୁ ପ୍ରମିଳା ପ୍ରଧାନ (୬୦)ଙ୍କୁ ମାମିନା ଓ ତାଙ୍କ ଶିଶୁପୁତ୍ରର ହତ୍ୟାରେ ଦୋଷୀ ସାବ୍ୟସ୍ତ କରିଥିଲେ। ଭାରତୀୟ ପିଙ୍ଗଳ ​କୋଡ୍‌ର ଧାରା ୩୦୧, ୩୦୪(ଖ), ୨୦୧, ୪୯୮ (ଖ), ୪ ଡିପି ଆଇନରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହି ମାମଲାରେ ତୃତୀୟ ଅଭିଯୁକ୍ତ ତଥା ମାମିନାଙ୍କ ଦିଅର ତରୁଣ ପ୍ରଧାନ ଫେରାର୍‌ ରହିଛି।

ମାମଲାର ପରିଚାଳନା କରୁଥିବା ସରକାରୀ ଓକିଲ ରଜନୀକାନ୍ତ ପଟ୍ଟନାୟକଙ୍କ ସୂଚନାନୁସାରେ, ୨୫ ଜୁଲାଇ ୨୦୧୫ରେ ମାମିନାଙ୍କ ପିତା ଜଟଣୀ ବେଲପଡ଼ା ନିବାସୀ ନରେନ୍ଦ୍ର ଜେନା ନିରାକାରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁସାରେ, ୨୦୧୦ରେ ବୈଦିକ ରୀତିରେ ମାମିନା ଓ ତପନଙ୍କ ବିବାହ ହୋଇଥିଲା। ବୁଝାମଣା ଅନୁସାରେ, ଯୌତୁକ ବାବଦରେ ୪୦ ହଜାର ଟଙ୍କା ନଗଦ, ସୁନା ଚେନ, ସୁନା ମୁଦି ଓ ଅନ୍ୟ ଆସବାବପତ୍ର ପ୍ରଦାନ କରିଥିଲେ। ତେବେ ବିବାହର କିଛି ଦିନ ପରଠାରୁ ଅଧିକ ଯୌତୁକ ଅର୍ଥ ଦାବି କରି ମାମିନା ଉପରେ ଅତ୍ୟାଚାର ଆରମ୍ଭ ହୋଇଯାଇଥିଲା। ଏନେଇ ମାମିନା ସେମାନଙ୍କୁ ଫୋନ୍‌ରେ ଜଣାଇବା ପରେ ସେମାନେ ପହଞ୍ଚି ବୁଝାଶୁଝା କରି ମାମିନାକୁ ଘରକୁ ଆଣି ପୁଣି ଛାଡ଼ିଦେଉଥିଲେ। ୨୪ ଜୁଲାଇ ୨୦୧୫ରେ ମାମିନା ତାଙ୍କ ସାନ ଭଉଣୀକୁ ଫୋନ୍‌ କରି ୧୨ ହଜାର ଟଙ୍କା ନଦେଲେ ତାଙ୍କୁ ଓ ତାଙ୍କ ପୁଅକୁ ମାରିଦେବେ ବୋଲି କାନ୍ଦିକାନ୍ଦି କହିଥିଲେ। ତେବେ ୨୫ ତାରିଖ ସକାଳୁ ତରୁଣ ପ୍ରଧାନ ଜଟଣୀ ବେଲପଡ଼ାରେ ପହଞ୍ଚି ଗତକାଲି ରାତି ଠାରୁ ମାମିନା ଓ ପୁଅ ଦୀପୁନ କେଉଁ ଆଡ଼େ ଚାଲିଯାଇଛନ୍ତି ବୋଲି କହିଥିଲେ। ଏହାଶୁଣି ସେମାନେ ଖୋଜାଖୋଜି କରିବା ଆରମ୍ଭ କରିଥିଲେ। ଏହି ସମୟରେ ସେମାନେ ଖବର ପାଇଲେ ଯେ ମୋରମୋରସିଂହ ନିକଟ ଜଙ୍ଗଲର ଏକ ଆକାଶିଆ ଗଛରେ ତାଙ୍କ ଝିଅ ଓନାତିର ମୃତଦେହ ଝୁଲୁଛି। ସେଠାରେ ପହଞ୍ଚି ମୃତଦେହର ଅବସ୍ଥା ଦେଖି ଉଭୟଙ୍କୁ ମାରି ଦେବା ପରେ ଟାଙ୍ଗି ଦେଇ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରାଯାଇଥିବା ସନ୍ଦେହ କରିଥିଲେ। ଏନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମଧ୍ୟ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତରେ ତପନ, ପ୍ରମିଳା ଓ ତରୁଣଙ୍କ ବିରୋଧରେ ପ୍ରମାଣ ପାଇଥିଲା।

Spread the love