ସ୍ତ୍ରୀଙ୍କୁ ହତ୍ୟା କଲା ସ୍ବାମୀ

ଜୟପୁର: ଖାଇବାକୁ ଦେବାରେ ସାମାନ୍ୟ ବିଳମ୍ବ ହେବାରେ ସ୍ବାମୀ–ସ୍ତ୍ରୀ ମଧ୍ୟରେ କଥା କଟାକଟି ହୋଇଥିଲେ। ଏହା ପରେ ରାଗରେ ଉତ୍ତେଜିତ ହୋଇ ସ୍ବାମୀ ଘରେ ଥିବା କାଠ ପାଳିଆରେ ସ୍ତ୍ରୀର ମୁଣ୍ଡକୁ ମାରି ହତ୍ୟା କରିଛି। ଏଭଳି ଏକ ସ୍ପର୍ଷକାତର ଘଟଣା ଜୟପୁର ଟ‌ାଉନଥାନା ଅର୍ନ୍ତଗତ ଡଙ୍ଗାଗୁଡାରେ ସଂଘଟିତ ହୋଇଛି। ପରେ ପୁଲିସ ହାତରେ ଧରା ପଡ଼ିଛନ୍ତି ଅଭିଯୁକ୍ତ ସ୍ବାମୀ ଭଗତ ହରିଜନ। ପୁଲିସ ଏହି ମାମଲାର ତଦନ୍ତ କରି ଅଭିଯୁକ୍ତକୁ ବୋରିଗୁମ୍ମା ଥାନା ଅର୍ନ୍ତଗତ ପୁରୁଣାବ‌ୋରିଗୁମ୍ମାରୁ ଗିରଫ କରି ଥାନାକୁ ଆଣିଥିବା କହିଛନ୍ତି ଟାଉନଥାନା ଅଧିକାରୀ ସତ୍ୟାନନ୍ଦ ପାତ୍ର।

ସୂଚନା ମୁତାବକ, ଜୟପୁର ଟାଉନଥାନା ଅନ୍ତର୍ଗତ ଡଙ୍ଗାଗୁଡାରେ ରହୁଛନ୍ତି ପୁରୁଣା ବୋରିଗୁମ୍ମା ଅଂଚଳର ଭଗତ ହରିଜନ। ସେ ଏହି ଅଂଚଳର କୁସୁମା ପରଜା(୬୩)ଙ୍କୁ ଦ୍ବିତୀୟ ପତ୍ନୀ ଭାବେ ରଖିଥିଲେ। ଗତ କାଲି  ଦିନ ୨ଟା ପର୍ଯ୍ୟନ୍ତ ମଧ୍ୟାହ୍ନ ଭୋଜନ ଖାଇବାକୁ ଦେବାରେ କୁସୁମା ବିଳମ୍ବ କରିଥିଲେ। ଏହାକୁ  ନେଇ ଉତ୍ତେଜିତ ହୋଇ ପଡିଥିଲେ ଅଭିଯୁକ୍ତ ଭଗତ । ଘରେ ଥିବା କାଠ ପାଳିଆରେ କୁସୁମାଙ୍କ ମୁଣ୍ଡରେ ଜୋରରେ ମାରିଦେଇଥିଲେ। ଏଥିରେ କୁସୁମାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ରକ୍ତବୋହିବା ତଳେ ପଡ଼ିଯାଇଥିଲେ ଏବଂ କୁସୁମାର ପ୍ରାଣବାୟୁ ଉଡିଯାଇଥିଲା। ହତ୍ୟା ଦିନ ୨ଟା ବେଳେ ଅଭିଯୁକ୍ତ ଜଣକ କରିବା ପରେ ଘର ମଧ୍ୟରେ ହିଁ  ମୃତ କୁସୁମାଙ୍କ ଶବକୁ କମ୍ବଳରେ ଘୋଡାଇ ସେଭଳି ରଖିଥିଲେ ଅଭିଯୁକ୍ତ। ମରଶରୀର ସହ ସେହି ଘରେ ୧୦ଘଣ୍ଟା କାଳ ରହିଥିଲେ ଅଭିଯୁକ୍ତ। ରାତି ୧୨ଟା ବେଳେ ଘରର କବାଟ ପାଖକୁ ପକାଇ ଚାଳି ଚାଳି ଅଭିଯୁକ୍ତ ଭଗତ ପୁରୁଣା ବୋରିଗୁମ୍ମାରେ ଥିବା ଘରକୁ ପଳାଇ ଯାଇଥିଲେ। ସକାଳୁ କୁସୁମା ଘରୁ ନ ବାହାରିବାରୁ ସାହି ପଡ଼ିସାକୁ ସଂଦେହ ହୋଇଥିଲା।

ପରେ ଜୟପୁର ଟାଉନଥାନା ପୁଲିସକୁ ସୂଚନା ଦେବା ପରେ ପୁଲିସ ଆସି କବାଟ ଖୋଲି ଦେଖିବାରେ କୁସୁମାଙ୍କ ମରଶରୀର ତଳେ ପଡ଼ିଥିବା ଦେଖିଥିଲେ। ଘର ମଧ୍ୟରେ ପଥର , ମେଟାଲ ଆଦି ପଡ଼ି ରହିଥିବାରୁ ପ୍ରଥମେ ଆତ୍ମହତ୍ୟା କି ହତ୍ୟା ଏହାକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଥିଲେ। କୁସୁମାଙ୍କ ପୂର୍ବ ସ୍ବାମୀଙ୍କ ପୁଅ ଡମୁ ପରଜା ଏ ନେଇ ପୁଲିସ ନିକଟରେ ଅଭିଯୁକ୍ତ ଭଗତ ହିଁ ତାଙ୍କ ମାଙ୍କୁ ହତ୍ୟା କରିଥିବା ନେଇ ଅଭିଯୋଗ କରିଥିଲେ। ପୁଲିସ ପକ୍ଷରୁ  ନବରଙ୍ଗପୁର ଜିଲ୍ଲା ଫରେନସିକ୍ ଲ୍ୟାବର ସାଇଣ୍ଟିଫିକ୍ ଟିମ୍ ତ୍ରିଭୁଜ ମହାଲିଙ୍ଗଙ୍କ ନେତୃତ୍ବରେ ଆସି ତନ୍ନ ତନ୍ନ କରି ଯାଂଚ କରିଥିଲେ। ଏହା ପରେ ପୁଲିସକୁ ହତ୍ୟାରେ ବ୍ୟବହୃତ କାଠ ପାଳିଆ ମିଳିଥିଲା।  ଅଭିଯୁକ୍ତ ସ୍ବାମୀ ଭଗତ ଫେରାର ରହିଥିବାରୁ ପୁଲିସ ଅଭିଯୁକ୍ତକୁ ଧରିବାକୁ ବୋରିଗୁମ୍ମା ଥାନା ଅର୍ନ୍ତଗତ ପୁରୁଣା ବୋରିଗୁମ୍ମା ଘର ଉପରେ ଚଢ଼ାଉ କରିଥିଲେ। ସେଠାରେ ଅଭିଯୁକ୍ତ ଧରାପଡ଼ିବା ପରେ ପୁଲିସ ଗିରଫ କରିଥିଲା। ଅଭିଯୁକ୍ତ ଜଣକ ‘ଖାଦ୍ୟ ଦେବାକୁ ବାରମ୍ବାର ମାଗିବା ପରେ ବି ବିଳମ୍ବ କରିବାରୁ ରାଗିକି ଉତ୍ତେଜିତ ହୋଇ କାଠ ପାଳିଆ’’ରେ ହତ୍ୟା କରିଥିବା ସ୍ବୀକାର କରିଥିବା କହିଛନ୍ତି ଟାଉନଥାନା ଅଧିକାରୀ। ମୃତ କୁସୁମାଙ୍କ ଶବକୁ ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ନେଇ ବ୍ୟାବଛେଦ କରି ପରିବାରବର୍ଗକୁ ହସ୍ତାନ୍ତର କରାଯାଇଥିଲା।  ପ୍ରକାଶଯୋଗ୍ୟ, ଅଭିଯୁକ୍ତ ଭଗତ ଏଥି ପୂର୍ବରୁ ପ୍ରଥମ ପତ୍ନୀକୁ ହତ୍ୟା କରି ୧୫ବର୍ଷ କାଳ ଆଜୀବନ କାରାଦଣ୍ଡ ଭୋଗୀ ଜେଲରୁ ଅଳ୍ପ ଦିନ ତଳେ ଫେରିଥିଲେ। ଅଭିଯୁକ୍ତକୁ ଆସନ୍ତାକାଲି କୋର୍ଟକୁ ଚାଳାଣ କରାଯିବ ବୋଲି କହିଛନ୍ତି ଟାଉନଥାନା ଅଧିକାରୀ।

Spread the love