ମୁଁ ଏହି କାରଣରୁ ଜି-୨୦ ଶିଖର ସମ୍ମିଳନୀରେ ଅଛି

ନୂଆଦିଲ୍ଲୀ: ଜି-୨୦ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ଭାରତରେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ  ପହଞ୍ଚିଯାଇଛନ୍ତି। ଦିଲ୍ଲୀ‌ରେ ଆୟୋଜିତ ଜି-୨୦ରେ ନିଜର ପ୍ରାଥମିକତାକୁ ଆଲୋଚନା କରି ଭାରତୀୟ ବ‌ଂଶୋଦ୍ଭବ  ତଥା ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନକ କହିଛନ୍ତି, ‘ବିଶ୍ବସ୍ତରୀୟ ପ୍ରସଙ୍ଗ ପାଇଁ ଦେଶଗୁଡ଼ିକୁ ମିଳିତ ଭାବେ କାମ କରିବା ପଡ଼ିବ।’

‘ମୁଁ ଜି-୨୦ରେ କାହିଁକି ଅଛି’…. ଶୀର୍ଷକ ଥିବା ଏକ ଭିଡିଓରେ ଋଷି ସୁନକ ଶନିବାର  ଶିଖର ସମ୍ମିଳନୀ ପାଇଁ ନିଜ ସ୍ତ୍ରୀ ଅକ୍ଷତା ମୂର୍ତ୍ତିଙ୍କ ସହିତ ଶୁକ୍ରବାର ନୂଆ ଦିଲ୍ଲୀରେ ପହଞ୍ଚିଥିଲେ। ଆଉ ପ୍ରତିଟି ମୁହୂର୍ତ୍ତକୁ ସେ କୈଦ କରିଥିବାର ଦେଖିବାକୁ ମିଳିଥିଲା।

ଏକ୍ସ (ଟୁଇଟର)ରେ ପୋଷ୍ଟ କରାଯାଇଥିବା ଏକ ଭିଡିଓରେ ଭାରତର ସରକାରୀ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ କୁମାର ଚୌବେ ଋଷି ସୁନକ ଓ ତାଙ୍କ ସ୍ତ୍ରୀଙ୍କ ସ୍ବାଗତ କରୁଥିବା ଦେଖିବାକୁ ମିଳୁଛି। ଭିଡିଓର ପୃଷ୍ଠଭୂମିରେ ଋଷି ସୁନକଙ୍କ କଣ୍ଠସ୍ବର ଶୁଣିବାକୁ ମିଳୁଛି। ‌ଯେଉଁଥିରେ ସେ ସ୍ପଷ୍ଟ ଭାବେ କହୁଛନ୍ତି, ବିଶ୍ବସ୍ତରୀୟ ପ୍ରସଙ୍ଗ ଗୁରୁତ୍ବ ରଖିଥାଏ… ଆମେ ଏକା କିଛି କରି ପାରିବା ନାହିଁ। ଦେଶକୁ ମିଳିତ ଭାବେ କାମ କରିବାକୁ ହେବ, ଆଗକୁ ବଢ଼ିବାକୁ ହେବ। ମୁଁ କୋଭିଡ ସମୟ ଦେଖିଛି। ଆମକୁ ସାଥୀ ହୋଇ ସବୁକାମ କରିବାର ଅଛି। ତାହାଲେ ଯାଇ ଆମେ ସଫଳତା ପାଇବା।

ଜି-୨୦ ଶିଖର ସମ୍ମିଳନୀରେ ଅନ୍ୟ ଦେଶର ନେତାଙ୍କ ସହିତ ସାମ୍ନାସାମ୍ନୀ କଥା ‌ହେବା ସହିତ ବିଭିନ୍ନ ପ୍ରସଙ୍ଗ ଉପରେ ଖୋଲାଖୋଲି ଆଲୋଚନା କରିହେବ। ଯେଉଁ ନିର୍ଣ୍ଣୟ ଆମେ ସେଠାରେ ନେବୁ ତାହା ରୋଜଗାର, ବିକାଶ ଓ ସୁରକ୍ଷା ପ୍ରଦାନ କରିବ। ଯାହାର ଆଶା ବ୍ରିଟେନ ନାଗରିକ ତାଙ୍କ ପ୍ରଧାନମନ୍ତ୍ରୀଙ୍କ ଠାରୁ ରଖିଛନ୍ତି। ଆଗାମୀ ଦିନରେ ଏହା ସାର୍ଥକ ହେବ ବୋଲି ମୁଁ ଆଶା ରଖିଛି। ଏହି କାରଣରୁ ମୁଁ ଜି-୨୦ରେ ସାମିଲ ହୋଇଛି।’

ଋଷ ତଥା ବ୍ରିଟେନର ପ୍ରଧାନମନ୍ତ୍ରୀ ସୁନକ ଇନଫୋସିସର ପ୍ରତିଷ୍ଠାତା ଏନଆର୍‌ ନାରାୟଣମୂର୍ତ୍ତିଙ୍କ ଝିଅ ଅକ୍ଷତା ମୂର୍ତ୍ତିଙ୍କୁ ବିବାହ କରିଛନ୍ତି। ସେ ଦୃଷ୍ଟିରୁ ସୁନକଙ୍କୁ ଭାରତର ଜ୍ବାଇଁ ବୋଲି ମଧ୍ୟ କୁହାଯାଇଥାଏ।

Spread the love