ଉତ୍ତରକାଶୀରୁ ଉଦ୍ଧାର ହୋଇଥିବା ୪୧ଜଣଙ୍କୁ ନେଇ ବାୟୁସେନାର ଚିନୁକ୍‌ ହେଲିକପ୍ଟଟର ଋଷିକେଶରେ ଅବତରଣ କଲା

ନୂଆଦିଲ୍ଲୀ: ଉତ୍ତରକାଶୀରେ ଭୁଶୁଡ଼ି ପଡ଼ିଥିବା ସିଲ୍‌କିୟାରା ଟନେଲରୁ ଉଦ୍ଧାର ହୋଇଥିବା ୪୧ ଜଣ ଶ୍ରମିକ ବୁଧବାର ଋଷିକେଶରେ ପହଞ୍ଚି ଏମ୍‌ସରେ ଡାକ୍ତରୀ ପରୀକ୍ଷା ପାଇଁ ଯାଇଛନ୍ତି। ନଭେମ୍ବର ୧୨ ତାରିଖରେ ଭୂସ୍ଖଳନ ଯୋଗୁଁ କେନ୍ଦ୍ରର ମହତ୍ତ୍ୱାକାଂକ୍ଷୀ ଚାରିଧାମ ପ୍ରକଳ୍ପର ଏକ ଅଂଶ ସିଲ୍‌କିୟାରା ଟନେଲ ଭୁଶୁଡ଼ି ପଡ଼ିଥିଲା। ଗତକାଲି (ମଙ୍ଗଳବାର) ସନ୍ଧ୍ୟା ପ୍ରାୟ ୭ଟା ବେଳେ ଖଣି ବିଶେଷଜ୍ଞମାନେ ଭଗ୍ନାବଶେଷର ଶେଷ ଭାଗକୁ ଭାଙ୍ଗି ଦେଇଥିଲେ। ପରେ ଜାତୀୟ ବିପର୍ଯ୍ୟୟ ମୁକାବିଲା ବାହିନୀ (ଏନଡିଆରଏଫ) ଏବଂ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ବାହିନୀ, ଆସାମ (ଏସଡିଆରଏଫ)ର ଏକ ଟିମ୍‌ ଭିତରେ ପଶି ଫସି ରହିଥିବା ଶ୍ରମିକଙ୍କ ନିକଟରେ ପହଞ୍ଚି ସେମାନଙ୍କୁ ଗୋଟିଏ ପରେ ଗୋଟିଏ ଚକଲଗା ଷ୍ଟ୍ରେଚରରେ ବାହାରକୁ ଆଣିଥିଲେ।

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ବୁଧବାର ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଉଦ୍ଧାର ହୋଇଥିବା ସମସ୍ତ ୪୧ ଜଣ ଶ୍ରମିକଙ୍କୁ ନେଇ ଭାରତୀୟ ବାୟୁସେନାର ଚିନୁକ୍‌ ହେଲିକପ୍ଟଟର ବୁଧବାର ଋଷିକେଶରେ ଅବତରଣ କରିଛି, ଯେଉଁଠାରେ ସମସ୍ତ ଶ୍ରମିକଙ୍କ ଏମ୍‌ସରେ ଡାକ୍ତରୀ ପରୀକ୍ଷା କରାଯିବ। ମିଳିଥିବା ସୂଚନା ଅନୁଯାୟୀ, ଭୁଶୁଡ଼ି ପଡ଼ିଥିବା ସୁଡ଼ଙ୍ଗ ତଳେ ଫସି ରହିଥିବା ଶ୍ରମିକମାନେ ଗତ ୧୭ ଦିନ ମଧ୍ୟରେ କୌଣସି ଆଘାତ କିମ୍ବା ସଂକ୍ରମଣର ଶିକାର ହୋଇଛନ୍ତି କି ନାହିଁ ତାହା ଏମ୍‌ସର ଡାକ୍ତର ଓ ବିଶେଷଜ୍ଞମାନେ ଯାଞ୍ଚ କରିବେ।

ଆଜି ମୁଖ୍ୟମନ୍ତ୍ରୀ ଧାମି ଚିନିଆଳିସୋର ଡାକ୍ତରଖାନାରେ ଉଦ୍ଧାର ହୋଇଥିବା ଶ୍ରମିକମାନଙ୍କୁ ଭେଟିଥିଲେ, ଯେଉଁଠାରେ ମଙ୍ଗଳବାର ସନ୍ଧ୍ୟାରେ ସେମାନଙ୍କୁ ଉଦ୍ଧାର କରାଯିବା ପରେ ଆଣି ରଖାଯାଇଥିଲା। ମୁଖ୍ୟମନ୍ତ୍ରୀ ଧାମୀ ନିଶ୍ଚିତ କରିଛନ୍ତି ଯେ ଶ୍ରମିକମାନେ ଭଲ ଅଛନ୍ତି ଏବଂ ଅଧିକ ପରୀକ୍ଷା ପାଇଁ ସେମାନଙ୍କୁ ଋଷିକେଶ ଏମ୍‌ସକୁ ନିଆଯିବ।

Spread the love