ବରିଷ୍ଠ ଆଇଏଏସ୍ ଅଫିସର ସ୍ତରରେ ଅଦଳବଦଳ

ଭୁବନେଶ୍ୱର, ୨୭/୦୭: ରାଜ୍ୟ ସରକାର ବରିଷ୍ଠ ଆଇଏଏସ୍ ଅଫିସର ସ୍ତରରେ ଗୁରୁତ୍ୱପୂର୍ଣ୍ଣ ଅଦଳବଦଳ କରିଛନ୍ତି । ୧୯୮୭ ବ୍ୟାଚ୍ ର ଆଇଏଏସ୍ ଅଧିକାରୀ ତଥା ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜ କୁମାର ଶର୍ମାଙ୍କୁ କୃଷି ଉତ୍ପାଦନ କମିଶନର ପଦରେ ଅବସ୍ଥାପିତ କରାଯାଇଛି।
ସେହିପରି ୧୯୯୧ ବ୍ୟାଚ୍ ଅଧିକାରୀ ତଥା ଶ୍ରମ, ନିୟୋଜନ ଏବଂ ଇଏସଆଇ ବିଭାଗର ପ୍ରମୁଖ ସଚିବ ଅନୁ ଗର୍ଗଙ୍କୁ ଜଳସମ୍ପଦ ବିଭାଗର ପ୍ରମୁଖ ସଚିବ ଭାବେ ବଦଳି କରାଯାଇଛି । ଶିଶୁ ଓ ମହିଳା ବିକାଶ ତଥା ମିଶନ୍ ଶକ୍ତି ବିଭାଗର ପ୍ରମୁଖ ସଚିବ ଭାବେ ସେ ପୂର୍ବଭଳି ଅତିରିକ୍ତ ଦାୟିତ୍ୱରେ ରହିବେ । ଏମଏସ ଏବଂ ଏମଇ ବିଭାଗର ପ୍ରମୁଖ ସଚିବ ପଦରେ ନିଯୁକ୍ତି ପାଇଥିବା ୧୯୯୧ ବ୍ୟାଚ୍ ଅଧିକାରୀ ସତ୍ୟବ୍ରତ ସାହୁଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।
ଜଳସମ୍ପଦ ବିଭାଗର ପ୍ରମୁଖ ସଚିବ ତଥା ୧୯୯୩ ବ୍ୟାଚ୍ ଅଧିକାରୀ ସୁରେନ୍ଦ୍ର କୁମାରଙ୍କୁ ଇସ୍ପାତ ଓ ଖଣି ବିଭାଗର ପ୍ରମୁଖ ସଚିବ ଭାବେ ଅବସ୍ଥାପିତ କରାଯାଇଛି । କଟକ ଉନ୍ନୟନ କର୍ତ୍ତୃପକ୍ଷ(ସିଡ଼ିଏ)ର ଅଧ୍ୟକ୍ଷ ଭାବେ ସେ ଅତିରିକ୍ତ ଦାୟିତ୍ୱ ତୁଲାଇବେ ।
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ତଥା ୧୯୯୫ ବ୍ୟାଚ୍ ଅଧିକାରୀ ଚିତ୍ରା ଅରୁମୁଗମ୍ ଙ୍କୁ ଶ୍ରମ, ନିୟୋଜନ ଏବଂ ଇଏସଆଇ ବିଭାଗର ପ୍ରମୁଖ ସଚିବ ପଦରେ ଅବସ୍ଥାପିତ କରାଯାଇଛି ।

Spread the love