ଛତିଶଗଡ଼ରେ ଆଇଏଏସ ଅଧିକାରୀ ରାନୁ ସାହୁଙ୍କୁ ଗିରଫ କଲା ଇଡି, ରାୟପୁର ସ୍ବତନ୍ତ୍ର କୋର୍ଟରେ କଲା ହାଜର

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଛତିଶଗଡ଼ର ଆଇଏଏସ୍ ଅଧିକାରୀ ରାନୁ ସାହୁଙ୍କୁ ଶୁକ୍ରବାର ଗିରଫ କରିଛି । ଚାଉଳ ଦୁର୍ନୀତି ମାମଲାରେ ରାଜ୍ୟର ୧୮ଟି ସ୍ଥାନରେ ଚଢଉ ପରେ ସାହୁଙ୍କୁ ଗିରଫ କରାଯାଇଥିବା କୁହାଯାଉଛି । ତେବେ ଇଡି ପକ୍ଷରୁ ଏ ସଂପର୍କରେ କୌଣସି ଔପଚାରିକ ବୟାନ ଜାରି କରାଯାଇନାହିଁ । ଗିରଫ ପରେ ତାଙ୍କୁ ରାୟପୁର ସ୍ବତନ୍ତ୍ର କୋର୍ଟରେ ହାଜର କରାଯାଇଛି ।ଶ୍ରୀ ସାହୁଙ୍କ ବ୍ୟତୀତ ଇଡି ଟିମ୍ ରାଜ୍ୟ କଂଗ୍ରେସ ନେତା ରାମଗୋପାଳ ଅଗ୍ରୱାଲଙ୍କ ଘରେ ମଧ୍ୟ ଚଢ଼ଉ କରିଥିଲା। ସର୍ଚ୍ଚ ଅପରେସନ ସମୟରେ ଇଡି ଟିମକୁ ସିଆଇଏସଏଫ ଯବାନମାନେ ସାହାଯ୍ୟ କରୁଛନ୍ତି ।

ଇଡି ରାୟପୁର ଦେବେନ୍ଦ୍ର ନଗରରେ ଥିବା ଅଗ୍ରୱାଲ ଓ ସାହୁଙ୍କ ଘରେ ଚଢ଼ାଉ କରିଥିଲା। କୋରବା ମ୍ୟୁନିସିପାଲିଟି କମିଶନର ପ୍ରଭାକର ପାଣ୍ଡେଙ୍କ ବାସଭବନରେ ଇଡିର ଆଉ ଏକ ଟିମ୍ ଦେଖିବାକୁ ମିଳିଥିଲା ।ଚଢ଼ାଉ ସମୟରେ ସିଆଇଏସଏଫ ଯବାନମାନେ କାହାକୁ ଘର ଭିତରକୁ ପ୍ରବେଶ କରିବାକୁ ଦେଇନଥିଲେ । ମୁଖ୍ୟ କବାଟ ତାଲା ପଡ଼ିଥିଲା ଏବଂ ତା’ପରେ ଇଡି ଟିମ୍ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା। ଜୁଲାଇ ୧୮ତାରିଖରେ ସୁପ୍ରିମ୍ କୋର୍ଟ ଇଡିକୁ ୨ହଜାର କୋଟି ଟଙ୍କାର ମଦ ଦୁର୍ନୀତିର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଗତ ମାସରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଛତିଶଗଡ଼ରେ ବେଆଇନ କୋଇଲା ସଂଗ୍ରହ ଦୁର୍ନୀତି ରେ ୫୧.୪୦ କୋଟି ଟଙ୍କାର ସମ୍ପତ୍ତି ଜବତ କରିଥିଲା।

Spread the love