ICC ଟି-୨୦ ରାଙ୍କିଙ୍ଗରେ କୋହଲିଙ୍କୁ ଶକ୍ତ ଧକ୍କା, ରାହୁଲଙ୍କୁ ଉପହାର: ଟପ୍‌-୧୦ରେ ନାହାଁନ୍ତି ଭାରତୀୟ ବୋଲର

ନୂଆଦିଲ୍ଲୀ ୧୦/୧୧: ଟି-୨୦ ବିଶ୍ବକପ୍‌ର ସୁପର ୧୨ ରାଉଣ୍ଡ ଶେଷ ହୋଇଥିବା ବେଳେ ସେମିଫାଇନାଲ୍‌ ପୂର୍ବରୁ ଆଇସିସି ରାଙ୍କିଙ୍ଗ ଜାରି କରିଛି। ଏଥିରେ ଭାରତୀୟ ଅଧିନାୟକ ବିରାଟ କୋହଲି ୪ଟି ସ୍ଥାନ ଖସିଆସିଛନ୍ତି। ଏହା ସହ ଜବରଦସ୍ତ ବ୍ୟାଟିଂ ପାଇଁ କେଏଲ୍‌ ରାହୁଲଙ୍କୁ ବିରାଟ ଉପହାର ମିଳିଛି। ସେ ୩ଟି ସ୍ଥାନ ଉପରକୁ ଉଠି ପଞ୍ଚମ ସ୍ଥାାନ ଅଧିକାର କରିଛନ୍ତି । ୟୁଏଇ ଏବଂ ଓମାନ୍‌ରେ ଜାରି ଟି-୨୦ ବିଶ୍ବକପ୍‌ରେ ସୁପର ୧୨ ଷ୍ଟେଜ୍‌ରେ ହିଁ ଟିମ୍‌ ଇଣ୍ଡିଆର ଯାତ୍ରା ସାମପ୍ତ ହୋଇସାରିଛି ।

ଏହା ପୂର୍ବରୁ ଭାରତୀୟ ଟିମ୍‌ ଖେଳିଥିବା ୫ଟି ମ୍ୟାଚ୍‌ରେ ସର୍ବାଧିକ ୧୯୪ ରନ୍‌ କେଏଲ ରାହୁଲ ହିଁ କରିଥିଲେ। ବିରାଟ କୋହଲି ୬୮ ରନ୍‌ କରିଥିଲେ । ବିରାଟ କମ୍‌ ରନ୍‌ କରିବାର କାରଣ ସେ କିଛି ମ୍ୟାଚ୍‌ ବ୍ୟାଟିଂ ପାଇଁ ଆସିନଥିଲେ। ତାଙ୍କୁ କେବଳ ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବାକୁ ମଉକା ମିଳିଥିଲା। ଏଥିରେ ସେ ପାକିସ୍ତାନ ବିପକ୍ଷରେ ୫୭ ରନ୍‌ ଏବଂ ନ୍ୟୁଜିଲାଣ୍ଡ ବିପକ୍ଷରେ ୯ ରନ୍‌ କରିଥିଲେ। ଏହା ବ୍ୟତୀତ ସ୍କଟଲାଣ୍ଡ ବିପକ୍ଷରେ ୨ ରନ୍‌ କରି ଅପରାଜିତ ଥିଲେ।

ଆଇସିସି ପକ୍ଷରୁ ଜାରି ରାଙ୍କିଙ୍ଗ ଅନୁସାରେ ପାକିସ୍ତାନର ବାବର ଆଜମ ପୂର୍ବ ଭଳି ଏଥର ମଧ୍ୟ ନମ୍ବର ଓ୍ବାନ୍‌ରେ ଅଛନ୍ତି। ଏଥିରେ ଦକ୍ଷିଣ ଆଫ୍ରିକାର ଏଡେନ୍ ମାର୍କରମ୍‌ ୩ଟି ସ୍ଥାନ ଉପରକୁ ଉଠି ତୃତୀୟ ସ୍ଥାନରେ ପହଞ୍ଚିଛନ୍ତି । ବୋଲିଂ କଥା କହିବାକୁ ଗଲେ, ପୁଣି ଥରେ ବାନିନ୍ଦୁ ହସରଙ୍ଗା ପ୍ରଥମ ସ୍ଥାନରେ ଅଛନ୍ତି । ଅଷ୍ଟେ୍ରଲିଆର ଆଜମ ଜାମ୍ପା ଏବଂ ଜୋସ୍‌ ହେଜଲଉଡ୍‌ ଲମ୍ବା ଜମ୍ପ ମାରିଛନ୍ତି। ଜାମ୍ପା ପଞ୍ଚମ ସ୍ଥାନ ଅକ୍ତିଆର କରିଥିବା ବେଳେ ହେଜଲଉଡ୍‌ ୧୧ଟି ସ୍ଥାନ ଉଠି ଅଷ୍ଟମ ସ୍ଥାନରେ ପହଞ୍ଚିଛନ୍ତି। ଟପ୍‌ ୧୦ ବୋଲରଙ୍କ ଲିଷ୍ଟରେ ଜଣେ ହେଲେ ଭାରତୀୟ ଖେଳାଳି ସ୍ଥାନ ପାଇନାହାନ୍ତି । ସବୁଠୁ ଅଧିକ କଙ୍ଗାରୁ ଦଳର ୩ ଖେଳାଳି ଟପ୍‌ ୧୦ରେ ସ୍ଥାନ ଅକ୍ତିଆର କରିଛନ୍ତି ।

Spread the love