ଏଆଇ ଅଧିକ ବୁଦ୍ଧିଆ ହେଲେ ସମସ୍ତେ ମରିବେ: ବୈଜ୍ଞାନିକ

ୱାସିଂଟନ: ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଉପରେ କିଛି ସପ୍ତାହ ହେଲା ବିତର୍କ ଚାଲିଛି। ଗୁଗ୍‌ଲର ପୂର୍ବତନ ସିଇଓ ଏରିକ୍ ସ୍ମିଡ୍‌ଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଏହାର ବିପଦ ସମ୍ପର୍କରେ ନିଜର ମତବ୍ୟକ୍ତ କରିଛନ୍ତି। ଏବେ ଜଣେ ଖ୍ୟାତନାମା ଏଆଇ ଗବେଷକ ଆଉ ପାଦେ ଆଗକୁ ଯାଇ କହିଛନ୍ତି ‘ପୃଥିବୀର ପ୍ରତ୍ୟେକ ବ୍ୟକ୍ତିଙ୍କର ବାସ୍ତବରେ ମୃତ୍ୟୁ ହେବ’।

ଆମେ ପ୍ରଯୁକ୍ତିର ଏକ ଅନୁପମ ଯୁଗରେ ପ୍ରବେଶ କରୁଛୁ- ତାହା ହେଉଛି ଏଆଇର ବିକାଶ। ବହୁଦିନରୁ ଏହା ଆମ ଭିତରେ ଅଛି, କିନ୍ତୁ ନିକଟରେ ଏହାର ଦକ୍ଷତା, କ୍ଷମତା ଓ ବୁଦ୍ଧିମତ୍ତା ଏପରି ସ୍ତରକୁ ଉନ୍ନୀତ ହୋଇଛି, ଯେଉଁଠି ଏହା ମଣିଷକୁ ବି ପଛରେ ପକାଇଦେଇପାରେ। ଏହାର ଏକ ପ୍ରମୁଖ ଉଦାହରଣ ହେଉଛି ଓପନଏଆଇ ନିର୍ମିତ ଚାଟଜିପିଟି। ଜିପିଟି-୪ ଲାଙ୍ଗୁଏଜ ପ୍ରସେସିଂ ମଡେଲ ଉପରେ ପର୍ଯ୍ୟବସିତ ଏହି ଏଆଇ ଚାଟବଟ ବ୍ୟାପକ ପରିମାଣର ଡାଟା ପ୍ରସେସିଂ କରିବା, ଏହାର ବିଶ୍ଳେଷଣ କରିବା ଓ ତା’ପରେ କଣ୍ଟେଣ୍ଟ (ଲେଖା) ପ୍ରସ୍ତୁତ କରିବାରେ ସମର୍ଥ। ବାସ୍ତବରେ ଏହା ଯେ କୌଣସି ପ୍ରଶ୍ନର ଉତ୍ତର ଦେଇପାରିବ। କିନ୍ତୁ ଏହା ଆରମ୍ଭ ମାତ୍ର। ଜଣେ ଏଆଇ ଗବେଷକ ନିକଟରେ ଦାବି କରିଛନ୍ତି ଯେ, ଯଦି ଏଆଇକୁ ବିନା ନିୟନ୍ତ୍ରଣରେ ଅଧିକ ବୁଦ୍ଧିମାନ ହେବାକୁ ଦିଆଯାଏ, ତେବେ ‘ବାସ୍ତବରେ ସମସ୍ତଙ୍କର ମୃତ୍ୟୁ ହେବ’। ଏହି ଗବେଷକ ଜଣକ ହେଉଛନ୍ତି କାଲିଫର୍ଣ୍ଣିଆର ବର୍‌କ୍ଲିସ୍ଥିତ ମେସିନ ଇଣ୍ଟଲିଜେନ୍ସ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ର ଏଲିଜର ୟୁଦକୋସ୍କି। ସେ ଏକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି,- ମୋ ସମେତ ଅନେକ ଗବେଷକ ଏହା ଉପରେ କାମ କରୁଛନ୍ତି। କିନ୍ତୁ ଏହା ଯଦି ସୁପରହ୍ୟୁମ୍ୟାନ ପରି ବୁଦ୍ଧିମାନ ହୋଇଯାଏ, ତେବେ ବାସ୍ତବରେ ପୃଥିବୀରେ ସମସ୍ତଙ୍କର ମୃତ୍ୟୁ ହେବ। ଏହା କେବଳ ସମ୍ଭବନା ନୁହେଁ, ନିଶ୍ଚୟ ହେବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ୟୁଦକୋସ୍କିଙ୍କ କହିବା ଅନୁସାରେ, ଏବେ ଚାଟବଟ ମଣିଷ ପାଇଁ ଏକ ସହାୟକ ଉପକରଣରେ ପରିଣତ ହୋଇଛି। ଏହା ମଣିଷର ଦକ୍ଷତା ଓ ଉତ୍ପାଦକତା ବୃଦ୍ଧି କରୁଛି। ଏହା ଇଣ୍ଟରନେଟ୍‌ରେ ଉପଲବ୍ଧ ତଥ୍ୟଗୁଡ଼ିକର ଉତ୍ସ ଭାବେ କାମ କରିପାରୁଛି। ନିକଟରେ ଚାଟଜିପିଟି ଏକ କୁକୁରର ରୋଗ ନିଦାନ ବାହାର କରି ତା’ର ଜୀବନ ବଞ୍ଚାଇବାରେ ସମର୍ଥ ହୋଇଛି। ପ୍ରାଣୀ-ଚିକିତ୍ସକମାନେ ଏହା ଦେଖି ଚକିତ ହୋଇଯାଇଛନ୍ତି। ତେବେ ଏହାର ଏକ ଅନ୍ଧକାର ଦିଗ ମଧ୍ୟ ଅଛି। ତାହା ହେଉଛି ଭୁଲ୍ ତଥ୍ୟ, ମିଥ୍ୟା ତଥ୍ୟ, ଡାଟାର ବ୍ୟକ୍ତିଗତ ଗୋପନୀୟତା, ସୁରକ୍ଷା ପ୍ରସଙ୍ଗ, ମାଲ୍‌‌ୱେୟାର ଇତ୍ୟାଦି। ଏଆଇ ଏବେ ଶିଶୁ ଅବସ୍ଥାରେ ଥିଲେ ବି ଏସବୁ ବିପଦ ରହିଛି। କିନ୍ତୁ ଯେତେବେଳେ ଏହା ଅତି-ବୁଦ୍ଧିମତ୍ତା ସ୍ତରରେ ଉପନୀତ ହେବ, ଏହାର ନିଜର ବୋଧଶକ୍ତି ସୃଷ୍ଟି ହେବ, ସେତେବେଳେ ଏହା ମଣିଷ ସମାଜ ପାଇଁ ଖରାପ ଖବର ଆଣିବ। ସେଥିପାଇଁ ଏଲନ ମସ୍କ ଏବଂ ଆପଲ ସହପ୍ରତିଷ୍ଠାତା ଷ୍ଟିଭ୍ ଓଜନିଆକ ଏକ ପିଟିସନରେ ସ୍ବାକ୍ଷର କରିଛନ୍ତି, ଯେଉଁଥିରେ ଏକ ନିୟାମକ ସଂସ୍ଥା ଗଠନ ହେବା ପର୍ଯ୍ୟନ୍ତ ସମସ୍ତ ଏଆଇ କାର୍ଯ୍ୟକଳାପ ଉପରେ ରୋକ ଲଗାଇବା ପାଇଁ ଦାବି କରାଯାଇଛି।

Spread the love