ଅବସ୍ଥା ଗୁରୁତର ଥିଲେ ପଜିଟିଭ୍‌ ରିପୋର୍ଟ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରାଯିବ ନାହିଁ: ଜିଲ୍ଲାପାଳ

ଗଞାମ ଜିଲ୍ଲାକୁ ବର୍ତ୍ତମାନ ସୁଦ୍ଧା ୧୧ ହଜାର ପ୍ରବାସୀ ଫେରିଛନ୍ତି । ପ୍ରତି ବ୍ଳକରେ ୩ ଶହରୁ ୪ଶହ ପ୍ରବାସୀ ଫେରିଥିବା ସୂଚନା ରହିଛି । ସେମାନଙ୍କ ପାଇଁ କ୍ବାରେଣ୍ଟାଇନ୍, ଚିକିତ୍ସା ଏବଂ ଟେଷ୍ଟିଂର ବ୍ୟବସ୍ଥା କରାଯାଇଛି ।

ଗତବର୍ଷ ଯେଉଁଭଳି ଭାବେ ପ୍ରବାସୀ ଫେରିଥିଲେ ଏବେ ସେଭଳି ଅବସ୍ଥା ନାହିଁ । ସବୁ ପ୍ରକାର ସ୍ଥିତିକୁ ମୁକାବିଲା କରିବା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ଥିବା ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି । ଏବେ ଜିଲ୍ଲାରେ ଦୁଇଟି କୋଭିଡ୍ ହସ୍ପିଟାଲ୍ ଚାଲୁ ରହିଛି । ଆଉ ଗୋଟିଏ ଖୋଲିବା ପାଇଁ ପ୍ରସ୍ତୁତି ଚାଲିଥିବା ଜିଲ୍ଲାପାଳ କହିଛନ୍ତି ।

କୋଭିଡ୍ ଟେଷ୍ଟ୍ ରିପୋର୍ଟକୁ ଅପେକ୍ଷା ନକରି ଗୁରୁତର ଥିବା ସଂକ୍ରମିତ ବ୍ୟକ୍ତିଙ୍କ ତୁରନ୍ତ ଚିକିତ୍ସା ଉପରେ ଗୁରୁତ୍ୱ ଦେବାକୁ ଗଞାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ନିର୍ଦ୍ଦେଶ ଦେଇଛନ୍ତି । ହୋଟେଲରେ ବସି ଖାଇବା ବଦଳରେ ପାର୍ସଲ ଦେବାକୁ ହୋଟେଲ୍ ମାଲିକମାନଙ୍କୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି । ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର ଗୁଡିକୁ କୋଭିଡ୍ କେୟାର୍ ସେଣ୍ଟର୍ ଭାବେ ପ୍ରସ୍ତୁତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ସରପଞ୍ଚ ଓ ଲୋକ ପ୍ରତିନିଧିଙ୍କ ସହ ଆଲୋଚନା କରି କୋଭିଡ୍ ପରିଚାଳନାକୁ ସୁଦୃଢ କରିବା ପାଇଁ ବିଡିଓ ମାନଙ୍କୁ ଗଞାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ନିର୍ଦ୍ଦେଶ ଦେଇଛନ୍ତି । ମାସ୍କ୍ ପରିଧାନ କରିବା ସହ ସାମାଜିକ ଦୂରତ୍ବ ରକ୍ଷା କରିବାକୁ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି ଗଞାମ ଜିଲ୍ଲାପାଳ ।

Spread the love