ପାଣି ନାହିଁ ତ ଭୋଟ୍ ନାହିଁ, ପାଣି ନହେଲେ ଆମେ ଦେବୁନି ଭୋଟ୍

ପାଣି ନାହିଁ ତ ଭୋଟ୍ ନାହିଁ । ପାଣି ନହେଲେ ଆମେ ଭୋଟ୍ ଦେବୁନି । ଖରା ଆରମ୍ଭରୁ ଗାଁର ପିଇବାପାଣି ସମସ୍ୟା ଉପୁଜିଲାଣି । ରାତି ପାହିଲେ ଭଙ୍ଗା ଦଦରା ନଳକୂଅରୁ ପାଣି ମୁନ୍ଦାଏ ନେବାକୁ ଲାଗୁଛି ଲମ୍ବା ଲାଇନ୍ । ଛୋଟରୁ ବଡ ସମସ୍ତେ ଗରା ବାଲଟି ଧରି ଘଣ୍ଟା ଘଣ୍ଟା ପର୍ଯ୍ୟନ୍ତ ପାଣି ପାଇଁ ଛିଡା ହୋଇ ରହୁଛନ୍ତି । ନୀଳଗିରି ଓøପଦା ବ୍ଳକ ସୁନ୍ଦରପୁର ପଞ୍ଚାୟତ କାଇଁଶପାଳ ଗାଁରେ ରୁହନ୍ତି ୩ଶହରୁ ଅଧିକ ଲୋକ । ଗାଁରେ ମୁଖ୍ୟ ସମସ୍ୟା ଏବେ ପିଇବାପାଣି ସମସ୍ୟା ପାଲଟିଛି । ଦୀର୍ଘ ୨୦ ବର୍ଷ ହେଲା ଗାଁରେ ଏହି ସମସ୍ୟା ଲାଗିଥିବା ବେଳେ ବହୁବାର ବିରୋଧ ବି କରାଯାଇଛି । ହେଲେ ସମସ୍ୟା ପ୍ରତି ଯେମିତି କାହାର ଗୁରୁତ୍ୱ ନାହିଁ ।

ଖରାଦିନ ଆରମ୍ଭ ନ ହେଉଣୁ ଗାଁର ଲୋକମାନେ ପାଣି ମୁନ୍ଦାଏ ପାଇଁ ଡହଳ ବିକଳ ହେଉଛନ୍ତି । ନିର୍ବାଚନ ଆସିଲେ ମାଳ ମାଳ ନେତାଙ୍କୁ ସୁଅ ଛୁଟିବା ସହ ମିଳିଥାଏ ଅନେକ ପ୍ରତିଶ୍ରୁତି । ହେଲେ ଗାଁର ଲୋକଙ୍କ ସମସ୍ତ ସମସ୍ୟା ଆଉ ପ୍ରତିଶ୍ରୁତି ଭୁଲିଯାନ୍ତି ସମସ୍ତେ । ଗାଁର ଲୋକଙ୍କୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ସମସ୍ୟା ନେଇ ବାରାମ୍ବାର ସରପଞ୍ଚଙ୍କଠାରୁ ନେଇ ବିଭିନ୍ନ ଅଧିକାରୀଙ୍କୁ ଜଣାଯାଇଛି । ହେଲେ ସେହି ସମସ୍ୟା ପ୍ରତି ଯେମିତି କାହାର ଗୁରୁତ୍ୱ ନାହିଁ । ଗାଁରେ ପିଇବାପାଣି ଯୋଗୁ ଏବେଠୁ ସମସ୍ୟା ବଢିବାରେ ଲାଗିଲାଣି । ଏନେଇ ଖୁବଶୀଘ୍ର ପିଇବାପାଣିର ସୁବିଧା କରାଯିବା ଜରୁରୀ ହୋଇଛି ।

Spread the love