ଓଡିଶାରୁ ଜାତୀୟ ଓ ଆନ୍ତର୍ଜାତୀୟ ଖେଳାଳୀ ସୃଷ୍ଟି ପାଇଁ ଖୋର୍ଦ୍ଧାରେ ହେବ ପ୍ରୟାସ

ଭୁବନେଶ୍ୱର: କ୍ରିକେଟରେ ରୁଚି ରଖୁଥିବା ଓ କ୍ୟାରିୟର ଗଠନ କରିବାକୁ ଆଗ୍ରହୀ ଥିବା ଯୁବ କ୍ରିକେଟରଙ୍କ ପାଇଁ ଏକ ଭଲ ସୁଯୋଗ ଆସିଛି। ଖୋର୍ଦ୍ଧାର ବରୁଣେଇ ସ୍ଥିତ କେଟି ଗ୍ଲୋବାଲ ସ୍କୁଲ ପରିସରରେ ଖୋଲିବ ଆଇଆଇଜି କ୍ରିକେଟ୍ ଏକାଡେମୀ। ଆନ୍ତର୍ଜାତୀକ ଖ୍ୟାତି ସମ୍ପନ୍ନ କ୍ରିକେଟ୍ ଖେଳାଳୀ ତଥା ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ ଅଧିନାୟକ ମହମ୍ମଦ ଆଜାରୁଦ୍ଧିନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏଠାରେ ଖୋଲିବ ଆଇଆଇଜି କ୍ରିକେଟ୍ ଏକାଡେମୀ ଚାଲିବ। ବରୁଣେଇ ପାହାଡ ତଳେ ପ୍ରକୃତିର ମନୋରମ ପରିବେଶ କୋଳରେ ଏଥିପାଇଁ ଏକ ବିଶ୍ୱ ସ୍ତରୀୟ କ୍ରିକେଟ୍ ଖେଳର ଭିତିଭୂମି ସୃଷ୍ଟି ହୋଇଛି। ଉନ୍ନତ ମାନର ଖେଳ ପଡିଆ, ଦୈନଦିନ ଅଭ୍ୟାସ ପାଇଁ ଅତ୍ୟନ୍ତ ଉଚ୍ଚ କୋଟିର ବ୍ୟବସ୍ଥା ଓ ସରଞ୍ଜାମ ସହିତ ଜାତୀୟ ଓ ଆନ୍ତର୍ଜାତୀୟସ୍ତରରେ ସୁନାମ ଅର୍ଜନ କରିଥିବା କୋଚ୍ ଓ ଖେଳାଳୀମାନେ ଏଠାରେ ଯୋଗଦେଇ ପ୍ରଶିକ୍ଷଣ ଦେବାର କାର୍ଯ୍ୟକ୍ରମ ରହିଛି। ଆଇଆଇଜି କ୍ରିକେଟ୍ ଏକାଡେମୀର ଷ୍ଟାଡିୟମ ତଥା ଅନ୍ୟାନ୍ୟ ସୁବିଧା ସୁଯୋଗର ଅଗ୍ରଗତିକୁ ନୀରିକ୍ଷଣ ଓ ପରିଦର୍ଶନ ପାଇଁ ମହମ୍ମଦ ଆଜାରୁଦ୍ଧିନ ଓଡିଶା ଆସିଛନ୍ତି। କ୍ୟାମ୍ପସ ପରିଦର୍ଶନ ପରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ସେ କହିଛନ୍ତି ଯେ ସଂପ୍ରତି ଓଡିଶା, ଜାତୀୟ ଓ ଆନ୍ତର୍ଜାତୀୟ କ୍ରିଡା ମାନଚିତ୍ରରେ ଏକ ବିଶେଷ ସ୍ଥାନ ଗ୍ରହଣ କରିଛି।  ଆଇଆଇଜି କ୍ରିକେଟ୍ ଏକାଡେମୀ  ଓଡିଶାର କୋଣ ଅନୁକୋଣରେ ଅନେକ କ୍ରିକେଟ ପ୍ରେମୀ ବାଳକ ବାଳିକା ଅଛନ୍ତି, ଯେଉଁମାନେ କ୍ରିକେଟରେ ସେମାନଙ୍କର କ୍ୟାରିୟର୍ ଗଠନ କରିବାକୁ ଚାହାନ୍ତି, ସେମାନଙ୍କ ପାଇଁ ପ୍ରତିବର୍ଷ ଟ୍ୟାଲେଣ୍ଟ ସର୍ଚ୍ଚ କାର୍ଯ୍ୟକ୍ରମ କରାଯିବ। ଓସିଏ ସହଯୋଗରେ ପ୍ରତି ଜିଲ୍ଲା ଏବଂ ରାଜ୍ୟ ସ୍ତରରେ ଓଡିଶା କ୍ରିକେଟ୍ ଲିଗ୍ ଆୟୋଜିତ ହେବ। ସେମାନଙ୍କ ଭିତରୁ ଭଲ ଖେଳାଳୀଙ୍କୁ ଚୟନ କରାଯାଇ ଆଇଆଇଜି କ୍ରିକେଟ୍ ଏକାଡେମୀରେ କୋଚିଂ ଦିଆଯିବ, ଯେପରି ସେମାନେ ଜାତୀୟ ଓ ଆର୍ନ୍ତଜାତୀୟ କ୍ରିକେଟ୍ ଖେଳିବାକୁ ସମର୍ଥ ହେବେ। ସେଥିପାଇଁ ସେ ନିଜେ ସମୟ ଦେବା ସହିତ ତାକୁ ନିକଟରୁ ତଦାରଖ କରିବେ। ଓଡିଶାର ଆଦିବାସୀ ଯୁବକ ଯୁବତୀମାନଙ୍କ ଭିତରେ କ୍ରିକେଟର ପ୍ରତିଭାମାନଙ୍କ ପାଇଁ ଆଇଆଇଜି କ୍ରିକେଟ୍ ଏକାଡେମୀ ବିଶେଷ ଧ୍ୟାନ ଦେବ ବୋଲି ମହମ୍ମଦ ଆଜାରୁଦ୍ଧିନ କହିଛନ୍ତି।କେଟି ଗ୍ଲୋବାଲ ସ୍କୁଲର ଟ୍ରଷ୍ଟି ସୋମଦତ୍ତ ବେହୁରା, ଉପଦେଷ୍ଟା ତଥା ଚିଫ୍ ମେଣ୍ଟର ଅରୁଣ ଦାସ ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।

Spread the love