ଆଇଆଇଏମସିରେ ଓଡି଼ଆ ସାମ୍ବାଦିକତା ନାମଲେଖା ବିଜ୍ଞାପନ ପ୍ରକାଶିତ

ଢେଙ୍କାନାଳ: ଢେଙ୍କାନାଳସ୍ଥିତ ଜାତୀୟସ୍ତରର ଗଣମାଧ୍ୟମ ଶିକ୍ଷା ପ୍ରତିଷ୍ଠାନ ଭାରତୀୟ ଜନ ସଞ୍ଚାର ସଂସ୍ଥାନ(ଆଇଆଇଏମସି)ରେ ଓଡି଼ଆ ବିଭାଗରେ ସାମ୍ବାଦିକତା ନାମଲେଖା ପାଇଁ ବିଜ୍ଞାପନ ପ୍ରକାଶିତ ହୋଇଛି। ୨୦୨୦-୨୧ ଶିକ୍ଷାବର୍ଷ ପାଇଁ ଛାତ୍ରଛାତ୍ରୀମାନେ ଚଳିତ ମାସ ୨୭ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ। ଆସନ୍ତାମାସ ଅଗଷ୍ଟ ୪ ତାରିଖରେ ଓଡି଼ଆ ସାମ୍ବାଦିକତା ନିମନ୍ତେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ।

ଓଡି଼ଆ ସାମ୍ବାଦିକତା ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ସର୍ବନିମ୍ନ ଯୋଗ୍ୟତା ସ୍ନାତକ ହୋଇଥିବା ଦରକାର। ଯେଉଁମାନେ ଚଳିତବର୍ଷ ସ୍ନାତକ ଶ୍ରେଣୀ ପରୀକ୍ଷା ଦେଇଛନ୍ତି, ସେମାନେ ମଧ୍ୟ ଏଥିପାଇଁ ଆବେଦନ କରିପାରିବେ। ତେବେ ପରବର୍ତ୍ତୀ ପର୍ଯ୍ୟାୟରେ ସେମାନଙ୍କୁ ଉତ୍ତୀର୍ଣ୍ଣ ପ୍ରମାଣପତ୍ର ଦାଖଲ କରିବାକୁ ପଡି଼ବ। ଓଡି଼ଆ ପାଠ୍ୟକ୍ରମ ନିମନ୍ତେ ଆବେଦନର ବୟସ ସୀମା ସର୍ବାଧିକ ୨୫ ବର୍ଷ ହୋଇଥିବାବେଳେ ସଂରକ୍ଷିତ ବର୍ଗଙ୍କ ନିମନ୍ତେ ସରକାରୀ ନିୟମ ଅନୁସାରେ ବୟସ କୋହଳ କରାଯାଇଛି । ଭାରତୀୟ ଜନ ସଞ୍ଚାର ସଂସ୍ଥାନ, ଢେଙ୍କାନାଳରେ ଓଡି଼ଆ ସାମ୍ବାଦିକତା ପାଠ୍ୟକ୍ରମରେ ସମୁଦାୟ ୨୫ଟି ସିଟ୍‍ ରହିଛି। ନାମଲେଖା ସଂପର୍କରେ ଅଧିକ ଜାଣିବାକୁ ଛାତ୍ରଛାତ୍ରୀମାନେ www.iimc.gov.in ଦେଖିପାରିବେ । ଜାତୀୟସ୍ତରରେ ଭାଷା ସାମ୍ବାଦିକତା ଆରମ୍ଭ କରିବାରେ ଆଇଆଇଏମସି ଦେଶର ପ୍ରଥମ ଶିକ୍ଷାନୁଷ୍ଠାନ। କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନରେ ଥିବା ଏହି ସ୍ୱୟଂଶାସିତ ଅନୁଷ୍ଠାନ ୨୦୦୧-୦୨ ମସିହାରେ ଓଡ଼ିଆ ଭାଷାରେ ସାମ୍ବାଦିକତା ଶିକ୍ଷା ପ୍ରଦାନ ଆରମ୍ଭ କରିଥିଲା। ସେବେଠାରୁ ଆଜି ପର୍ଯ୍ୟନ୍ତ ଏହା ଜାତୀୟ ସ୍ତରରେ ସବୁଠାରୁ ସଫଳ ଭାଷା ସାମ୍ବାଦିକତା ଶିକ୍ଷା ଭାବେ ବିବେଚିତ ହୋଇଛି । ଆଇଆଇଏମସିରୁ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନେ ରାଜ୍ୟ ଓ ଜାତୀୟସ୍ତରରେ ବିଭିନ୍ନ ଗଣମାଧ୍ୟମ, ପ୍ରତିଷ୍ଠାନ, ସରକାରୀ ପଦବୀରେ ସୁନାମ ଅର୍ଜନ କରିଛନ୍ତି।

ବିଶେଷ କରି ଢେଙ୍କାନାଳ ଆଇଆଇଏମସି ରେ ସାମ୍ବାଦିକତା ଶିକ୍ଷାଦାନର ଶୈଳୀ, ପରିପାର୍ଶିକ ପରିବେଶ ଭିନ୍ନ ରହିଥାଏ । ଏଠାରେ ପାଠ ପଢା ସହ ପ୍ରାକ୍ଟିକାଲକୁ ଅଧିକ ଗୁରୁତ୍ଵ ଦିଆଯାଇଥାଏ । ସାରା ଦେଶରୁ ଖ୍ୟାତନାମା ବ୍ୟକ୍ତି ଛାତ୍ରଛାତ୍ରୀ ମାନଙ୍କୁ ପଢେଇବା ପାଇଁ ଏଠାକୁ ଆସି ଥାଆନ୍ତି। ଏହାବାଦ୍ କେବଳ ସାମ୍ବାଦିକତାରେ ସୀମିତ ନ ରହି ଅନ୍ୟ ବିଭାଗ ଯଥା ଗଣ ଯୋଗାଯୋଗ, ରେଡ଼ିଓ, ଲୋକସମ୍ପର୍କ, ବିଜ୍ଞାପନ ଓ ଫଟୋଗ୍ରାଫି ଉପରେ ମଧ୍ୟ ଛାତ୍ରଛାତ୍ରୀ ମାନଙ୍କୁ ପଢା ଯାଇଥାଏ। ଏଥିପାଇଁ ସ୍ଵତନ୍ତ୍ର ପାଠ୍ୟ ଖସଡ଼ା ପ୍ରସ୍ତୁତ ହୋଇଥାଏ।

Spread the love