ବେଆଇନ ରେଳ ଟିକଟ ବିକ୍ରି; ୩ ଦଲାଲ ଗିରଫ

ସମ୍ବଲପୁର: ସମ୍ବଲପୁର ରେଳ ଷ୍ଟେସନରେ ବେଆଇନ ଭାବରେ ତତ୍କାଳ ରେଳ ଟିକଟ ବିକ୍ରି ସମୟରେ ୩ ଜଣ ଦଲାଲ ଧରାପଡିଛନ୍ତି । ସୂଚନା ଅନୁଯାୟୀ, ରେଳବାଇ ସୁରକ୍ଷା ବଳ ଓ ରେଳବାଇ ଗୁଇନ୍ଦା ଦଳ ମିଳିତ ଭାବରେ ପେଟ୍ରୋଲିଂ କରୁଥିବା ବେଳେ ଗତ ଶୁକ୍ରବାର ରେଳ ଷ୍ଟେସନର ଟିକଟ କେନ୍ଦ୍ର ନିକଟରେ ସନ୍ଦେହଜନକ ଭାବରେ ୩ ଜଣ ବ୍ୟକ୍ତି ଘୂରି ବୁଲୁଥିବା ବେଳେ ନଜରରେ ରଖିଥିଲେ । ଉକ୍ତ ବ୍ୟକ୍ତି ମାନେ ରେଳବାଇ ଏଜେନ୍ଟ ସାଜି ପୂର୍ବରୁ ରେଳ ଟିକଟ କେନ୍ଦ୍ର ସମ୍ମୁଖରେ ଲାଇନରେ ଲାଗି ପ୍ରିମିୟମ ତତ୍କାଳ ଓ ତତ୍କାଳ ଟିକଟ ହାସଲ କରି ପରବର୍ତ୍ତୀ ସମୟରେ ଅନ୍ୟ ବ୍ୟକ୍ତି ମାନଙ୍କୁ ବେଆଇନ ଭାବରେ ଚଢ଼ା ଦରରେ ବିକ୍ରି କରି ଦେଉଥିଲେ । ଏଭଳି କାର୍ଯ୍ୟ ସେମାନେ ନିୟମିତ କରୁଥିବା ବେଳେ ଗତ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ବାଲେଶ୍ୱରରୁ ଚେନ୍ନାଇ ଯିବା ପାଇଁ ପ୍ରିମିୟମ ଟିକଟ ବିକ୍ରି କରୁଥିବା ବେଳେ ପୁଲିସ ଦଳ ସେମାନଙ୍କୁ ଧରିଥିଲେ ।ସମ୍ବଲପୁରର ନୟାପଡା ନିବାସୀ ତପନ ସାହୁ (୪୭), ବୁଢ଼ାରଜା ନିବାସୀ ଭୋଳା ଶଙ୍କର ମହାନା ଓ କ୍ଷେତରାଜପୁରର ପନକାପଡା ନିବାସୀ ସନ୍ଦୀପ କୁମାର ଚୌହାନ (୨୨)ଙ୍କ ନିକଟରୁ ପୁଲିସ ଚେକିଂ ସମୟରେ ୩,୨୪୦ ଟଙ୍କା ମୂଲ୍ୟର ଏକ ପ୍ରିମିୟମ ତତ୍କାଳ ଟିକଟ, ନଗଦ ୨୭୨୦ ଟଙ୍କା ଓ ଗୋଟିଏ କଳା ରଙ୍ଗର ମୋବାଇଲ ଜବତ କରିଥିଲା । ଏଣୁ ରେଳବାଇ ପୁଲିସ ମାମଲା ସଂଖ୍ୟା ସି୩ସି – ୪୫୯/୨୦୨୨ ରୁଜୁ କରି ଅଭିଯୁକ୍ତ ମାନଙ୍କୁ ଅଦାଲତକୁ ଚାଲାଣ କରିଛି ବୋଲି ଜଣାଇଛି ।

Spread the love