କ୍ଷମତାରେ ଥିବାବେଳେ ବିପଜ୍ଜନକ ନ ଥିଲି, ଏଥର ବିପଜ୍ଜନକ ହେବି: ଇମ୍ରାନ୍‌ ଖାଁ

ଇସ୍‌ଲାମାବାଦ୍‌:ଗତକାଲି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ପେଶାୱାର୍‌ରେ ଆୟୋଜିତ ରାଲିରେ ଉଦ୍‌ବୋଧନ ଦେବା ବେଳେ କହିଛନ୍ତି, ସରକାରର ଅଂଶବିଶେଷ ଥିବା ବେଳେ ମୁଁ ବିପଜ୍ଜନକ ନ ଥିଲି କିନ୍ତୁ ଏଥର ଅଧିକ ବିପଜ୍ଜନକ ହେବି।ଷଡ଼ଯନ୍ତ୍ର କରି ତାଙ୍କୁ ପ୍ରଧାନମନ୍ତ୍ରୀ ପଦର ହଟାଇ ଦିଆଯାଇଛି ବୋଲି ଅଭିଯୋଗ କରି ସେ ପଚାରିଛନ୍ତି ଯେ, ଗତ ସପ୍ତାହରେ ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପୂର୍ବରୁ ରାତି ଅଧରେ କାହିଁକି ଅଦାଲତ ସବୁ ଖୋଲାଯାଇଥିଲା? ମୁଁ କ’ଣ କ‌ୌଣସି ଆଇନ ଉଲ୍ଲଂଘନ କରିଥିଲି?ସେ କହିଛନ୍ତି, ବିଚାର ବିଭାଗ ସ୍ବାଧୀନ ଭାବେ କାର୍ଯ୍ୟ କରି ନ ଥିଲା। ମୁଁ ମୋର ସମୁଦାୟ ରାଜନୈତିକ କ୍ୟାରିୟର୍‌ରେ ଜନସାଧାରଣଙ୍କୁ ପ୍ରତିଷ୍ଠାନମାନଙ୍କ ବିରୋଧରେ ଉସ୍‌କାଇ ନାହିଁ।

ସୂଚନାଯୋଗ୍ୟ, ଇମ୍ରାନ୍‌ ଖାଁଙ୍କ ସରକାର ବିପକ୍ଷରେ ଅନାସ୍ଥା ପ୍ରସ୍ତାବ ଆଗତ ନିମନ୍ତେ ଶେଷ ତାରିଖ ଧାର୍ଯ୍ୟ କରିବା ଲାଗି ହୋଇଥିବା ଆବେଦନର ଶୁଣାଣି ଲାଗି ଏପ୍ରିଲ୍‌ ୯ ତାରିଖ ବିଳମ୍ବିତ ରାତ୍ରରେ ପାକିସ୍ତାନ ସୁପ୍ରିମ୍‌ କୋର୍ଟ ପ୍ରସ୍ତୁତି କରିଥିଲା। ସୁପ୍ରିମ୍‌ କୋର୍ଟଙ୍କ ଆଦେଶ ସତ୍ତ୍ବେ ତତ୍କାଳୀନ ବାଚସ୍ପତି ଅସାଦ୍‌ କାଇଜର୍‌ ମଧ୍ୟରାତ୍ର ସୁଦ୍ଧା ଅନାସ୍ଥା ଭୋଟ୍‌ ଆରମ୍ଭ କରାଇ ଦେଇ ନ ଥିଲେ। ଅନ୍ୟ ଏକ ଆବେଦନର ଶୁଣାଣି ନିମନ୍ତେ ଇସ୍‌ଲାମାବାଦର ହାଇକୋର୍ଟ ମଧ୍ୟ ରାତି ଅଧ ବେଳକୁ ଖୋଲିଥିଲା।ଇମ୍ରାନ୍‌ ଆହୁରି ମଧ୍ୟ କହିଛନ୍ତି ଯେ, ‘ଆମଦାନି’ ହୋଇଥିବା ନୂଆ ସରକାର ଗ୍ରହଣୀୟ ନୁହେଁ। ଏ କଥା ଜନସାଧାରଣ ପ୍ରତିବାଦ କରି ଜଣାଇ ଦେଇଛନ୍ତି।

Spread the love