ଇସ୍ଲାମାବାଦ ହାଇକୋର୍ଟ ନିକଟରୁ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଗିରଫ

ଇସ୍ଲାମବାଦ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା  ରାଜନୈତିକ ଦଳ ପାକିସ୍ତାନ ତେହେରିକ-ଏ ଇନସାଫ (ପିଟିଆଇ) ନେତା ଇମ୍ରାନ ଖାଁଙ୍କୁ ମଙ୍ଗଳବାରଦିନ ଗିରଫ କରାଯାଇଛି ।  ତାଙ୍କୁ ଇସ୍ଲାମାବାଦ ହାଇକୋର୍ଟ ନିକଟରୁ ଗିରଫ କରାଯାଇଛି । ଇମ୍ରାନ ଏକ ମାମଲାର ଶୁଣାଣିରେ ଯୋଗ ଦେବାକୁ ହାଇକୋର୍ଟ ଆସିଥିବାବେଳେ ତାଙ୍କୁ ରେଞ୍ଜର୍ସ ପକ୍ଷରୁ ଗିରଫ କରାଯାଇଥିଲା । ହାଇକୋର୍ଟ ପରିସରରୁ ଇମ୍ରାନଙ୍କୁ ଗିରଫ କରାଯାଇଥିବାରୁ ହାଇକୋର୍ଟ ମୁଖ୍ୟ ବିଚାରପତି ଆମିର୍ ଫାରୁକ୍ ଅସନ୍ତୋଷ ପ୍ରକାଶ କରିବା ସହ ୧୫ ମିନିଟ ମଧ୍ୟରେ କୋର୍ଟରେ ହାଜର ହେବାକୁ ଇସ୍ଲାମାବାଦ ପୁଲିସ ମୁଖ୍ୟ, ଆଭ୍ୟନ୍ତରୀଣ ମନ୍ତ୍ରାଳୟର ସଚିବ ଓ ଅତିରିକ୍ତ ଆଟର୍ଣ୍ଣି ଜେନେରାଲଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି । ପୁଲିସ ମୁଖ୍ୟ ୧୫ ମିନିଟ ମଧ୍ୟରେ ହାଜର ନହେଲେ ଖୋଦ୍ ପ୍ରଧାନମନ୍ତ୍ରୀଙ୍କୁ ବି ସମନ ପଠାଇବାକୁ ମୁଖ୍ୟ ବିଚାରପତି କହିଛନ୍ତି ।

କୋର୍ଟ ଆସି କେଉଁ ମାମଲାରେ ଇମ୍ରାନଙ୍କୁ ଗିରଫ କରାଯାଇଛି ତାହା ଜଣାଇବାକୁ କୋର୍ଟ ପୁଲିସ ମୁଖ୍ୟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁସାରେ କୋର୍ଟରେ ହାଜର ହେବାକୁ ଇମ୍ରାନଙ୍କ ଗାଡ଼ି କୋର୍ଟ ପରିସର ମଧ୍ୟରେ ପ୍ରବେଶ କରିବା ପରେ ପୁଲିସ ଗାଡ଼ିଗୁଡ଼ିକ ହାଇକୋର୍ଟ ଗେଟକୁ ବନ୍ଦ କରିଦେବା ସହ ତାଙ୍କୁ ଗିରଫ କରିଥିଲେ ।

Spread the love