ମସ୍କୋ ଗସ୍ତ କରିଥିଲେ ଇମ୍ରାନ୍, ତେଣୁ ଦଣ୍ଡ ଦେଉଛି ଆମେରିକା’ : ପାକ୍ ସଙ୍କଟକୁ ନେଇ ଏମିତି କହିଲା ଋଷ

ନୂଆଦିଲ୍ଲୀ ୦୭/୦୪:  ପାକିସ୍ତାନରେ ରାଜନୈତିକ ସଙ୍କଟ ଘନେଇବାରେ ଲାଗିଛି । ସେଠାରେ ଇମ୍ରାନ ଖାନଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ହଟାଇବା ପରେ ରାଜନୈତିକ ଅସ୍ଥିରତା ସୃଷ୍ଟି ହୋଇଛି । ତେବେ ଏହି ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ରଖିଛି ଋଷ  । ପାକିସ୍ତାନରେ ଚାଲିଥିବା ସଙ୍କଟ ପାଇଁ ଆମେରିକାକୁ ଦାୟୀ କରିଛି ଋଷ । ଇମ୍ରାନ ଋଷ ଗସ୍ତ କରିଥିଲେ । ତେଣୁ ଆମେରିକା ଏହାର ପ୍ରତିଶୋଧ ନେଇ ପାକ୍‌କୁ ଦଣ୍ଡ ଦେଉଥିବା ସେ କହିଛନ୍ତି ।

ଋଷ ବୈଦେଶିକ ମନ୍ତ୍ରାଳୟର ଅଧିକାରୀ ମାରିୟା ଜଖାରୋବା କହିଛନ୍ତି ଯେ,  ପାକ୍ ସଂସଦ ଭଙ୍ଗ ପରେ ସେଠାରେ ସରକାର ପତନ ପାଇଁ ଆମେରିକାର ଦଖଲ ଲଜ୍ଜାଜନକ । ଆମେରିକା ନିଜ ସ୍ୱାର୍ଥ ପାଇଁ ଅନ୍ୟ ଦେଶର ସ୍ୱତନ୍ତ୍ରତା ମାମଲାରେ ଦଖଲ ଦେଉଛି ।

ସେ ଆହୁରି କହିଛନ୍ତି ଯେ, ପାକ୍ ସଂସଦ ଭାଙ୍ଗିବା ପୂର୍ବରୁ ଇମ୍ରାନ ଋଷ ଗସ୍ତ କରିଥିଲେ । ଗସ୍ତ ପୂର୍ବରୁ ଆମେରିକା ସମେତ ସହଯୋଦୀ ଦେଶ ଋଷ ନଯିବାକୁ ଇମ୍ରାନଙ୍କ ଉପରେ ଚାପ ପକାଇଥିଲେ । ଅଲଟିମେଟମ୍ ଦେଇଥିଲେ । ଯାହା ଉପରେ ଏପ୍ରିଲ ୩ ତାରିଖରେ ଭୋଟିଂ ହେବାର ଥିଲା ।  କିନ୍ତୁ ସେ ଚାପର ବଶବର୍ତ୍ତୀ ହୋଇନଥିଲେ । ପରେ ଇମ୍ରାନଙ୍କ ଅନେକ ସହଯୋଗୀ ବିଦ୍ରୋହୀ ହୋଇଯାଇଥିଲେ ।

ସୂଚନାଯୋଗ୍ୟ, ଏହାପୂର୍ବରୁ ଇମ୍ରାନ ରବିବାର ଆମେରିକା ଉପରେ ସଙ୍ଗୀନ ଅଭିଯୋଗ ଲଗାଇଥିଲେ । ବରିଷ୍ଠ ଆମେରିକୀୟ କୁଟନୈତିଜ୍ଞ ଡୋନାଲ୍ଡ ଲୁ ଅବିଶ୍ୱାସ ପ୍ରସ୍ତାବ ଜରିଆରେ ତାଙ୍କ ସରକାରର ପତନ କରିଥିବା ସେ କହିଥିଲେ ।

Spread the love