“ଘରେ ଲୁଚି ବସିବନି” ସମର୍ଥକଙ୍କୁ ଇମ୍ରାନଙ୍କ ଆହ୍ବାନପରେ ବଢିଲା ହିଂସା ଆଶଙ୍କା

ଲାହୋର : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ଗିରଫ କରାଯିବା ପରେ ସେଠାକାର ରାଜନୈତିକ ପାଣିପାଗ ହଠାତ୍ ସରଗରମ ହୋଇଯାଇଛି । ଦେଶରେ ପୁଣି ହିଂସା ଆରମ୍ଭ ହେବାର ଆଶଙ୍କା ଦେଖାଦେଇଛି । ସବୁଠାରୁ ଅଧିକ ଚିନ୍ତା ବଢାଇଛି ନିଜର ଦଳୀୟ କର୍ମୀ ଓ ସମର୍ଥକମାନଙ୍କୁ ଇମ୍ରାନଙ୍କ ବାର୍ତ୍ତା । ସେଥିରେ ସେ ରାସ୍ତାକୁ ଓହ୍ଲାଇ ଲଢେଇ କରିବାକୁ କର୍ମୀମାନଙ୍କୁ ଆହ୍ବାନ କରୁଛନ୍ତି ।

ଗିରଫଦାରି ପରେ ଇମ୍ରାନଙ୍କ ଏକ୍ସ ହାଣ୍ଡଲ ( ଟୁଇଟର)ରେ ଏକ ଭିଡିଓ ସେୟାର କରାଯାଇଛି । ସେଥିରେ ଇମ୍ରାନ କହୁଛନ୍ତି “ଏହି ଗିରଫଦାରି ସମ୍ପର୍କରେ ସେ ପୂର୍ବରୁ ଜାଣିଥିଲେ । ଏଣୁ ଏହି ଭିଡିଓକୁ ପ୍ରସ୍ତୁତ ରଖାଯାଇଥିଲା । ଯେ ପର୍ଯ୍ୟନ୍ତ ଆପଣମାନଙ୍କ ପାଖକୁ ଏହି ଭିଡିଓ ପହଞ୍ଚିବ ସେତେବେଳକୁ ବୋଧହୁଏ ଗିରଫଦାରି ହୋଇଯାଇଥିବ । ଏଣୁ ମୋର ଅନୁରୋଧ ଯେ ଆପଣମାନେ ଘରେ ଲୁଚି ବସିବେ ନାହିଁ । କାରଣ ଏହି ଲଢେଇ ମୁଁ ମୋ ନିଜ ପାଇଁ କରୁନାହିଁ, ବରଂ ଦେଶ ପାଇଁ,ଆପଣମାନଙ୍କ ପାଇଁ ଓ ଆପଣମାନଙ୍କ ପିଲାମାନଙ୍କ ପାଇଁ କରୁଛି । ଯଦି ଆପଣମାନେ ନିଜ ଅଧିକାର ପାଇଁ ଲଢିବେନି, ଆପଣ ଦାସତ୍ବର ଜୀବନ ବଞ୍ଚିବେ ଓ ଗୋଲାମ (ଦାସ) ମାନଙ୍କ କୌଣସି ଜୀବନ ନଥାଏ । ଏଣୁ ଆପଣମାନଙ୍କୁ ଲଢେଇ କରିବାକୁ ପଡ଼ିବ କାରଣ କେହି ଏକ ପ୍ଲେଟରେ ରଖି ଆପଣଙ୍କୁ ସ୍ବାଧୀନତା ଦେବନି ।“

ଇମ୍ରାନଙ୍କ ଏହି ବୟାନ ପରେ ଦେଶରେ ପୁଣି ହିଂସା ଆରମ୍ଭ ହେବାର ଆଶଙ୍କା ଦେଖାଦେଇଛି । ଏହାକୁ ଦୃଷ୍ଟିରେ ରଖି ସାରା ପାକିସ୍ତାନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଗତ ମେ ମାସରେ ଇମ୍ରାନଙ୍କ ଗିରଫଦାରି ପରେ ବ୍ୟାପକ ହିଂସା ହୋଇଥିଲା ।

Spread the love