ଚଳିତ ବର୍ଷ ନବରାତ୍ରିରେ କେଉଁ ବାହନରେ ଆସିବେ ମା’ ଦୁର୍ଗା? ଜାଣନ୍ତୁ କ’ଣ ରହିବ ପ୍ରଭାବ

ହିନ୍ଦୁ ଧର୍ମରେ ଶକ୍ତି ପୂଜାକୁ ଅଧିକ ଗୁରୁତ୍ୱ ଦିଆଯାଏ । କଥାରେ ଅଛି ବାର ମାସରେ ତେର ପର୍ବ । ସେଥି ମଧ୍ୟରୁ ଦୁର୍ଗା ପୂଜା ହେଉଛି ଅନ୍ୟତମ । ଭକ୍ତମାନେ ଦୁର୍ଗା ପୂଜାରେ ମା’ଙ୍କର ୯ଟି ରୂପକୁ ୯ଦିନ ଧରି ପୂଜା କରଥାନ୍ତି । ମା’ ଙ୍କର ସେହି ରୂପଗୁଡ଼ିକ ହେଉଛି ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚିତ୍ରଘଣ୍ଟା, କୁଷ୍ମାଣ୍ଡା, ସ୍କନ୍ଦମାତା, କାତ୍ୟାୟନୀ, କାଳରାତ୍ରି , ମହାଗୌରୀ ଏବଂ ସିଦ୍ଧିଦାତ୍ରୀ । ଏହି କାରଣରୁ ଏହାକୁ ନବରାତ୍ରୀ ବୋଲି କୁହାଯାଏ । ପ୍ରତ୍ୟେକ ବର୍ଷ ମା’ ଭିନ୍ନ ଭିନ୍ନ ବାହନରେ ଆସିଥାନ୍ତି ଏବଂ ଏହାର ପ୍ରଭାବ ଲୋକଙ୍କ ଉପରେ ପଡ଼େ ବୋଲି ବିଶ୍ୱାସ ରହିଛି ।

ଆଜି ଆମେ ଆପଣଙ୍କୁ କହିବୁ ଯେ ଚଳିତ ବର୍ଷରେ ମା’ କେଉଁ ବାହନରେ ଆସିବାକୁ ଯାଉଛନ୍ତି ଏବଂ ଏହାର ପ୍ରଭାବ ଲୋକଙ୍କ ଉପରେ କ’ଣ ରହିବ । ୨୦୨୪ ନବରାତ୍ରି ପୂଜା ୩ ଅକ୍ଟୋବରରୁ ଆରମ୍ଭ ହେବାକୁ ଯାଉଛି । ପ୍ରଥମ ଦିନ ଘଟ ସ୍ଥାପନା କରିବା ସହିତ ମା’ ଶୈଳପୁତ୍ରୀଙ୍କ ପୂଜା କରାଯିବ । ୧୧ ଅକ୍ଟୋବରରେ ନବରାତ୍ରି ଶେଷ ହେବ ଓ ୧୨ ଅକ୍ଟୋବରରେ ବିଜୟା ଦଶମୀ ପାଳନ କରାଯିବ । ଏହା ପରେ ମା’ଙ୍କର ମେଲାଣି ହେବ ।

କେଉଁ ବାହନରେ ଆସିବେ ମା’ ?
ମା’ଙ୍କ ବାହନ ବାର ଅନୁସାରେ ସ୍ଥିର କାରାଯାଏ । ଯଦି ନବରାତ୍ରି ପୂଜା ରବିବାର ଓ ସୋମବାରରୁ ଆରମ୍ଭ ହେଉଛି ତେବେ ଦେବୀ ହାତୀରେ ଆସିବେ । ମଙ୍ଗଳ ଏବଂ ଶନିବାର ଦିନ ଯଦି ନବରାତ୍ରି ଆରମ୍ଭ ହେଉଛି ମା’ ଘୋଡାରେ ଆସିବେ । ସେହିପରି ଯଦି ନବରାତ୍ରି ଗୁରୁବାର କିମ୍ବା ଶୁକ୍ରବାରରେ ପଡିଥାଏ ତେବେ ମା’ ସବାରୀରେ ଆସିଥାନ୍ତି । ଯେହେତୁ ଚଳିତ ବର୍ଷ ନବରାତ୍ରି ଗୁରୁବାର ଠାରୁ ଆରମ୍ଭ ହେଉଛି, ତେଣୁ ମା’ ସବାରୀରେ ଆସିବେ ।

ପ୍ରଭାବ କ’ଣ ରହିବ:
ଶାସ୍ତ୍ରବିତ୍ତଙ୍କ ମତ ଅନୁଯାୟୀ, ଯଦି ମା’ ଦୁର୍ଗା ସବାରୀରେ ଆସନ୍ତି, ଏହା ଏକ ଶୁଭ ସଙ୍କେତ ନୁହେଁ । ଏହାର ପ୍ରଭାବରୁ ସମାଜରେ ଖୁବ୍‌ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଥାଏ । ଲୋକମାନଙ୍କ ସ୍ୱାସ୍ଥ୍ୟରେ ପ୍ରଭାବ ପକାଇବା ସହ ସମାଜରେ ବଡ଼ ଧରଣର ମହାମାରୀ ବ୍ୟାପିବାର ବିପଦ ରହିଛି । ଏହା ବ୍ୟତୀତ ଯେବେ ମା’ ସବାରୀରେ ଆସିଥାନ୍ତି, ସେତେବେଳେ ଅରାଜକତା ପରିସ୍ଥିତି ଉପୁଜିପାରେ ଏବଂ କୌଣସି କାରଣରୁ ଦେଶରେ ହିଂସା ମଧ୍ୟ ହୋଇପାରେ । ଲୋକଙ୍କ ପାରିବାରିକ ଜୀବନରେ ମଧ୍ୟ ଏହାର ପ୍ରଭାବ ପଡ଼ିବ । ତେଣୁ ନବରାତ୍ରି ସମୟରେ ଶ୍ରଦ୍ଧା ଓ ନିଷ୍ଠାପୂର୍ବକ ମା’ଙ୍କ ପୂଜାର୍ଚ୍ଚନା କଲେ ଆପଣଙ୍କ ଉପରେ ମା’ଙ୍କ କୃପା ରହିବ ।

Spread the love