ଲୋକେଶ ରାହୁଲଙ୍କ ଲଢୁଆ ଇନିଂସ, ଅଷ୍ଟ୍ରେଲିଆକୁ ୫ ଓ୍ବିକେଟରେ ହରାଇଲା ଭାରତ
ମୁମ୍ବାଇର ଓ୍ବାଙ୍ଖଡ଼େ ଷ୍ଟାଡିୟମଠାରେ ଚାଲିଥିବା ପ୍ରଥମ ଦିନିକିଆରେ ଅଷ୍ଟ୍ରେଲିଆକୁ ୫ ଓ୍ବିକେଟରେ ପରାସ୍ତ କରିଛି ଭାରତ । ଏହି ବିଜୟ ସହ ଭାରତ ସିରଜରେ ୧-୦ରେ ଆଗୁଆ ହୋଇଯାଇଛି । ଅଷ୍ଟ୍ରେଲିଆ ପକ୍ଷରୁ ଭାରତ ଆଗରେ ୧୮୯ ରନର ବିଜୟ ଲକ୍ଷ୍ୟ ରଖାଯାଇଥିବାବେଳେ ଭାରତ ତାହାକୁ ୩୯.୫ ତମ ଓଭରରେ ହାସଲ କରିନେଇଥିଲା । ତେବେ ଆରମ୍ଭରୁ ଭାରତ ନିୟମିତ ବ୍ୟବଧାନରେ ଓ୍ବିକେଟ ହରାଇ ସଂକଟରେ ପଡ଼ିଥିଲା । ତେବେ ଲୋକେଶ ରାହୁଲଙ୍କ ଲଢୁଆ ୭୫ ରନ ତଥା ରବୀନ୍ଦ୍ର ଜାଦେଜାଙ୍କ ୪୫ ରନ ବଳରେ ଭାରତ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା । ହାର୍ଦ୍ଦିକ ପାଣ୍ଡ୍ୟା ବି ୨୫ ରନର ଯୋଗଦାନ ଦେଇଥିଲେ ।
ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରୁଥିବା ଅଷ୍ଟ୍ରେଲିଆ ଆରମ୍ଭରୁ ଟ୍ରାଭିସ ହେଡଙ୍କୁ ହରାଇ ଝଟକା ପାଇଥିଲା । ତେବେ ମିଚେଲ ମାର୍ସ ଓ ଷ୍ଟିଭେନ ସ୍ମିଥ ଲଢୁଆ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ମାର୍ସ ୮୧ ରନ କରି ରବୀନ୍ଦ୍ର ଜାଦେଜାଙ୍କ ବଲରେ ଆଉଟ ହୋଇଥିଲେ । ସ୍ମିଥ ୨୨ରନ କରିଥିଲେ । କିନ୍ତୁ ଏହା ପରେ ଦଳର ବ୍ୟାଟିଂ ବିପର୍ଯ୍ୟୟ ଆରମ୍ଭ ହୋଇଥିଲା । ଦଳର ମଧ୍ୟକ୍ରମ ବ୍ଯାଟରମାନେ ସଂପୂର୍ଣ୍ଣ ବିଫଳ ହୋଇଥିଲେ । କେବଳ ଇଙ୍ଗଲିସ୍ ୨୬ ରନ କରିଥିବାବେଳେ ଲାବୁସଚେନ ୧୫ରନ କରିଥିଲେ । ଗ୍ଲେନ ମାକ୍ସଓ୍ବେଲ ମାତ୍ର ୮ ରନ କରି ଆଉଟ ହୋଇଥିଲେ ।