ଭାରତୀୟ ମୁସଲମାନଙ୍କୁ ନେଇ ଓଆଇସିର ମନ୍ତବ୍ୟକୁ ଭାରତର ନିନ୍ଦା
ନୂଆଦିଲ୍ଲୀ: ଆତଙ୍କବାଦକୁ ‘ରାଷ୍ଟ୍ରନୀତି’ରେ ପରିଣତ କରିଥିବା ପାକିସ୍ତାନର ପ୍ରଭାବରେ ଥିବା ଅର୍ଗାନାଇଜେସନ୍ ଅଫ୍ ଇସଲାମିକ୍ କୋଅପରେସନ୍ (ଓଆଇସି)ର ମନ୍ତବ୍ୟକୁ ଭାରତ ଅଯଥା ଓ ତଥ୍ୟଗତ ଭୁଲ୍ ବୋଲି କହି ସମାଲୋଚନା କରିଛି। ତୁର୍କୀରେ ଓଆଇସିର ଦୁଇଦିନିଆ ବୈଦେଶିକ ମନ୍ତ୍ରିସ୍ତରୀୟ ସମ୍ମିଳନୀରେ ଭାରତୀୟ ମୁସଲମାନ ‘ସାମାଜିକ ଅବହେଳା’ର ଶିକାର ହେଉଛନ୍ତି ବୋଲି ଅଭିଯୋଗ କରାଯିବା ପରେ ଭାରତ ଏଭଳି କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛି।
ସିନ୍ଧୁ ଜଳ ଚୁକ୍ତି ସମେତ ଭାରତ ଓ ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ ଚୁକ୍ତିକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଓଆଇସି ଆହ୍ୱାନ ଦେବା ସହ ସମସ୍ତ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ବ୍ୟାପକ ଆଲୋଚନାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଓଆଇସିର ବୈଦେଶିକ ମନ୍ତ୍ରିପରିଷଦ ବୈଠକରେ ଭାରତ ବିଷୟରେ ଅଯଥା ଓ ତଥ୍ୟଗତ ଭୁଲ୍ ଉଲ୍ଲେଖକୁ ଭାରତ ପ୍ରତ୍ୟାଖ୍ୟାନ କରିଛି। ଆତଙ୍କବାଦକୁ ରାଷ୍ଟ୍ରନୀତି କରିଥିବା ପାକିସ୍ତାନ ଦ୍ୱାରା ପରିଚାଳିତ ଏହି ବୟାନ ସଂକୀର୍ଣ୍ଣ ରାଜନୈତିକ ଉଦ୍ଦେଶ୍ୟ ପାଇଁ ଓଆଇସି ପ୍ଲାଟଫର୍ମର ନିରନ୍ତର ଅପବ୍ୟବହାରକୁ ପ୍ରତିଫଳିତ କରୁଛି।
ବିଦେଶ ମନ୍ତ୍ରଣାଳୟ କହିଛି ଯେ ଜଘନ୍ୟ ପହଲଗାମ ଆକ୍ରମଣରେ ପାକିସ୍ତାନରୁ ସୃଷ୍ଟି ହୋଇଥିବା ଆତଙ୍କବାଦର ବିପଦକୁ ସ୍ୱୀକାର କରିବାରେ ଓଆଇସି ବାରମ୍ବାର ବିଫଳ ହେବା ତଥ୍ୟ ପ୍ରତି ଜାଣିଶୁଣି ଅବହେଳାକୁ ପ୍ରତିଫଳିତ କରୁଛି। ଏଥିରେ କୁହାଯାଇଛି ଯେ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଜମ୍ମୁ-କାଶ୍ମୀର ସମେତ ଭାରତର ଆଭ୍ୟନ୍ତରୀଣ ବ୍ୟାପାର ଉପରେ ମନ୍ତବ୍ୟ ଦେବାର ଓଆଇସିର କୌଣସି ଅଧିକାର ନାହିଁ। ପାକିସ୍ତାନର ଭିତ୍ତିହୀନ ଅଭିଯୋଗକୁ ମଧ୍ୟ ଭାରତ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରିଛି। ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବରେ ଭାରତର ଅପରେସନ ସିନ୍ଦୂର ପାକିସ୍ତାନୀ ଅଞ୍ଚଳରୁ ସକ୍ରିୟ ଥିବା ଆତଙ୍କବାଦୀ ଶିବିର ବିରୋଧରେ ଆତ୍ମରକ୍ଷାର ଏକ ସଠିକ୍ ଓ ବୈଧ ପଦକ୍ଷେପ ବୋଲି ବୈଦେଶିକ ମନ୍ତ୍ରଣାଳୟ କହିଛି। ଏହା ବିଡମ୍ବନାର ବିଷୟ ଯେ ମାନବାଧିକାର ରେକର୍ଡ ଖରାପ ଥିବା ଏବଂ ଆତଙ୍କବାଦୀଙ୍କୁ ଆଶ୍ରୟ ଦେବାର ଇତିହାସ ଥିବା ପାକିସ୍ତାନ ଆତଙ୍କବାଦ ମୁକାବିଲା ଓ ମାନବିକ ଅଧିକାର ଉପରେ ଅନ୍ୟମାନଙ୍କୁ ଭାଷଣ ଦେଉଛି। ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଓଆଇସି ବୈଠକରେ ପାକିସ୍ତାନ ଦେଇଥିବା ମନ୍ତବ୍ୟ ରାଷ୍ଟ୍ର-ପ୍ରାୟୋଜିତ ଆତଙ୍କବାଦ, ସଂଖ୍ୟାଲଘୁ ନିର୍ଯାତନା ଓ ସାମ୍ପ୍ରଦାୟିକ ହିଂସାର ଭୟଙ୍କର ରେକର୍ଡରୁ ଅନ୍ତର୍ଜାତୀୟ ଦୃଷ୍ଟି ହଟାଇବା ପାଇଁ ଏକ ‘ହତାଶ ପ୍ରୟାସ’ ବ୍ୟତୀତ ଅନ୍ୟ କିଛି ନୁହେଁ।
