ମୋଦୀ ସରକାରର ବଡ ପ୍ଲାନ୍ । ଲାକ୍ଷାଦ୍ୱୀପରେ ନିର୍ମାଣ ହେବ ନୂଆ ବିମାନବନ୍ଦର

ଲାକ୍ଷାଦ୍ୱୀପକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନୂଆ ପ୍ଲାନ୍ । ଭାରତ ସରକାର ଲାକ୍ଷାଦ୍ୱୀପର ମିନିକୟ ଦ୍ୱୀପ ଉପରେ ଏକ ନୂଆ ଏୟାରପୋର୍ଟର ନିର୍ମାଣ କରିବାକୁ ଯାଉଛନ୍ତି । ତେବେ ଏହି ନୂଆ ବିମାନବନ୍ଦରଟି ଦୁଇଟି ଉଦ୍ଦେଶ୍ୟରେ ବ୍ୟବହାର କରାଯିବ ବୋଲି ସୂଚନା ମିଳୁଛି । ପ୍ରଥମତଃ ଏଠାରୁ ସେନାର ଲଢୁଆ ବିମାନ ଓ ସେନାର ଏୟାରକ୍ରାଫ୍ଟମାନେ ଉଡାଣ ଭରିବେ ଏବଂ ଲ୍ୟାଣ୍ଡ କରିବେ । ଦ୍ୱିତୀୟତଃ ଏହି ବିମାନବନ୍ଦରରୁ ସାଧାରଣ ଯାତ୍ରୀ ଏବଂ ବିମାନ ମଧ୍ୟ ଉଡାଣ ଭରିପାରିବ । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଲାକ୍ଷାଦ୍ୱୀପର ମିନିକୟ ଦ୍ୱୀପରେ ଏହି ବିମାନବନ୍ଦରର ନିର୍ମାଣ କରାଯିବ । ଯାହାକୁ ଭାରତୀୟ ସେନା ସହିତ ସାଧାରଣ ଲୋକ ମଧ୍ୟ ବ୍ୟବହାର କରିପାରିବେ ।
ଏହା ପୂର୍ବରୁ ସେଠାରେ କେବଳ ଏକ ମିଲିଟ୍ରି ଏୟାରଫିଲ୍ଡ ପ୍ରସ୍ତୁତ କରିବାକୁ ପ୍ରସ୍ତାବ ଦିଆଯାଇଥିଲା । ହେଲେ ଏହାକୁ ଏବେ ଅପଗ୍ରେଡ୍ କରି ବର୍ତ୍ତମାନ ସାଧାରଣ ଲୋକଙ୍କ ପାଇଁ ମଧ୍ୟ ଉପଲବ୍ଧ କରାଯିବ । ତେବେ ଯଦି ସେଠାରେ ଏହି ବିମାନବନ୍ଦର ନିର୍ମାଣ ହୁଏ, ତେବେ ଭାରତ ଆରବ ସାଗର ଓ ଭାରତ ମହାସାଗର ଉପରେ ଭଲ ଭାବେ ନଜର ରଖିପାରିବ ।

ଖାଲି ସେତିକି ନୁହେଁ, ନୌସେନା ଏବଂ ବାୟୁସେନା ପାଇଁ ଭାରତ ମହାସାଗର ଓ ଆରବ ସାଗରରେ ଅପରସେନ୍ କରିବା ସହଜ ହେଇଯିବ । ଏହାସହ ଚୀନର ଗତିବିଧି ଉପରେ ମଧ୍ୟ ନଜର ରଖିହେବ । ତେବେ ମିନିକୟ ଦ୍ୱୀପ ଉପରେ ବିମାନବନ୍ଦର ନିର୍ମାଣ କରିବାକୁ ସର୍ବପ୍ରଥମେ ଭାରତୀୟ ତଟରକ୍ଷୀ ବାହିନୀ ପ୍ରସ୍ତାବ ଦେଇଥିଲା । ଆଉ ବର୍ତ୍ତମାନ ସେହି ପ୍ରସ୍ତାବ ଅନୁସାରେ, ଭାରତୀୟ ବାୟୁସେନା ଏହି ବିମାନବନ୍ଦରର ସଞ୍ଚାଳନ କରିବ ।

ସୂଚନାଯୋଗ୍ୟ ଯେ, ଲାକ୍ଷାଦ୍ୱୀପ ପାଖରେ ବର୍ତ୍ତମାନ ଏବେ କେବଳ ଗୋଟିଏ ଏୟାରଷ୍ଟ୍ରିପ୍ ରହିଛି । ଯାହାକି ଅଗାତି ଦ୍ୱୀପ ଉପରେ ରହିଛି । ହେଲେ ସେଠାରେ ବର୍ତ୍ତମାନ ସବୁ ପ୍ରକାର ବିମାନ ଲ୍ୟାଣ୍ଡ କରିପାରୁନି । ହେଲେ ନୂଆ ବିମାନବନ୍ଦର ହେଲେ ଲାକ୍ଷାଦ୍ୱୀପର ପର୍ଯ୍ୟଟନକୁ ନୂଆ ଦିଗ ମିଳିବ ବୋଲି କୁହାଯାଉଛି ।

Spread the love