ଓଡ଼ିଶାରେ କେତୋଟି ଲୋକସଭା ଆସନରେ ଜିତିବେ ବିଜେପି, ବିଜେଡ଼ି ?

ଭୁବନେଶ୍ବର : ୨୦୨୪ ସାଧାରଣ ନିର୍ବାଚନକୁ ଆଉ ମାତ୍ର ୮-୯ ମାସରୁ କମ ସମୟ ଥିବାବେଳେ ଉଭୟ ଏନଡିଏ ଓ ନବଗଠିତ ଇଣ୍ଡିଆ ମେଣ୍ଟ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ଓଡ଼ିଶାରେ ଇଣ୍ଡିଆ ମେଣ୍ଟର ବିଶେଷ ପ୍ରଭାବ ନଥିବାବେଳେ ବିଜେଡ଼ି ଓ ବିଜେପି ମଧ୍ୟରେ ମୁଖ୍ୟ ପ୍ରତିଦ୍ବନ୍ଦ୍ବିତା ହେବା ପରି ଲାଗୁଛି । ଏ ପରିପ୍ରେକ୍ଷୀରେ ଇଣ୍ଡିଆ ଟିଭି-ସିଏନଏକ୍ସ ପକ୍ଷରୁ ଏକ ମତାମତ ସର୍ଭେ କରାଯାଇଛି । ଏହି ସର୍ଭେରୁ ଜଣାପଡ଼ିଛି ଯେ ଲୋକସଭା ନିର୍ବାଚନରେ ବିଜେଡ଼ିର ସିଟ ସଂଖ୍ୟା ବର୍ତ୍ତମାନର ୧୨ରୁ ବୃଦ୍ଧି ପାଇ ୧୩ରେ ପହଞ୍ଚିପାରେ । ସେହିପରି ବିଜେପିର ସିଟ ସଂଖ୍ୟା ବର୍ତ୍ତମାନ ପରି ୮ ରହିବ । ତେବେ ଏବେ ରାଜ୍ୟରେ କଂଗ୍ରେସର ଜଣେ ସାଂସଦ ଥିବାବେଳେ ବର୍ତ୍ତମାନ ନିର୍ବାଚନ ହେଲେ କଂଗ୍ରେସର ଖାତା ଶୂନ ହୋଇଯିବ ।

ଜନମତ ସର୍ବେକ୍ଷଣ ଅନୁଯାୟୀ ମୋଟ ୫୪୩ ଲୋକସଭା ଆସନରୁ ଏନଡିଏକୁ ୩୧୮, ବିରୋଧୀ ଭାରତ ମେଣ୍ଟକୁ ୧୭୫ ଏବଂ ଅନ୍ୟମାନଙ୍କୁ ୫୦ ଆସନ ମିଳିପାରେ। ଅନ୍ୟମାନଙ୍କ ମଧ୍ୟରେ ଅନେକ ଆଞ୍ଚଳିକ ଦଳ ଓ ସ୍ୱାଧୀନ ପ୍ରାର୍ଥୀ ରହିଛନ୍ତି ।

ସର୍ଭେ ଅନୁସାରେ ଲୋକସଭା ନିର୍ବାଚନରେ ବିଜେପିର ଆସନ ସଂଖ୍ୟା ୩୦୩ରୁ ୨୯୦କୁ ଆସନ ହ୍ରାସ ପାଇବାର ସମ୍ଭାବନା ଥିବା ବେଳେ ମୁଖ୍ୟ ବିରୋଧୀ ଦଳ କଂଗ୍ରେସର ଆସନ ସଂଖ୍ୟା ୫୨ରୁ ୬୬କୁ ବୃଦ୍ଧି ପାଇବାର ସମ୍ଭାବନା ରହିଛି ।

Spread the love