ଅଷ୍ଟ୍ରେଲିଆ 236/6, ଆଗୁଆ ଖେଳ ସରିଲା

ଅଷ୍ଟ୍ରେଲିଆ ବିପକ୍ଷ 4ର୍ଥ ଟେଷ୍ଟର ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ଦୃଢ଼ ସ୍ଥିତିରେ ରହିଛି। ତୃତୀୟ ଦିନରେ ଆହୁରି 16 ଓଭର୍‌ ବାକିଥିବା ବେଳେ  ଖରାପ ପାଗ ଯୋଗୁ ମ୍ୟାଚ୍‌କୁ ଆଗୁଆ ବନ୍ଦ କରାଯାଇଛି।

ତୃତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ ଅଷ୍ଟ୍ରେଲିଆ ତା’ର ପ୍ରଥମ ଇନିଂସ୍‌ରେ 6 ୱିକେଟ୍‌ ହରାଇ 236 ରନ୍‌ କରିଛି। ପିଟର ହ୍ୟାଣ୍ଡସ୍କମ୍ବ 28 ଓ ପ୍ୟାଟ୍‌ କମିନ୍ସ 25 ରନ୍‌ କରି ଅପରାଜିତ ରହିଛନ୍ତି। କଙ୍ଗାରୁ ଟିମ୍‌ ତା’ର ପ୍ରଥମ ଇନିଂସ୍‌ରେ ଭାରତର ବିଶାଳ 622ରନ୍‌ଠାରୁ ଆହୁରି 386 ରନ୍‌ ପଛରେ ରହିଛି। ଟିମ୍‌ ଇଣ୍ଡିଆ ପକ୍ଷରୁ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳୁଥିବା କୁଲଦୀପ ଯାଦବ ସର୍ବାଧିକ 3ଟି ୱିକେଟ୍‌ ନେଇଥିବା ବେଳେ ରବୀନ୍ଦ୍ର ଜାଡେଜା 2ଟି ଓ ମହମ୍ମଦ ଶାମି ଗୋଟିଏ ୱିକେଟ୍‌ ନେଇଛନ୍ତି।

24 ରନ୍‌ରୁ ଆଜିର ଇନିଂସ୍‌ ଆରମ୍ଭ କରିଥିବା ଅଷ୍ଟ୍ରେଲିଆକୁ ପ୍ରଥମ ଝଟ୍‌କା ଦଳୀୟ ସ୍କୋର 72ବେଳେ ଲାଗିଥିଲା। ଓପନର ଉସମାନ ଖ୍ୱାଜା 27 ରନ୍‌ କରି କୁଲଦୀପ ଯାଦବଙ୍କ ପ୍ରଥମ ଶିକାର ହୋଇଥିଲେ। ଲଞ୍ଚ ପର୍ଯ୍ୟନ୍ତ ଭଲ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ କିନ୍ତୁ ଏହାପରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ବିଶେଷ କରି କୁଲଦୀପ ଯାଦବ ଏବଂ ରବୀନ୍ଦ୍ର ଜାଡେଜା ଗୋଟିଏ ପରେ ଗୋଟିଏ ୱିକେଟ୍‌ ନେଇ ଅଷ୍ଟ୍ରେଲିଆକୁ ବ୍ୟାକ୍‌ଫୁଟ୍‌କୁ ଠେଲି ଦେଇଥିଲେ। ଲଞ୍ଚ ପରେ ଜାଡେଜା ପ୍ରଥମେ ଫର୍ମରେ ଥିବା ମାରକସ୍‌ ହ୍ୟାରିସ୍‌(77)ଙ୍କୁ ଆଉଟ୍‌ କରିଥିଲେ। ପରେ ସେ ଶନ୍‌ ମାର୍ଶ(8)ଙ୍କୁ ଆଉଟ୍‌ କରି ନିଜର ଦ୍ୱିତୀୟ ୱିକେଟ୍‌ ପାଇଥିଲେ।

Spread the love