ସିରିଜ୍ କବଜା କଲା ଟିମ ଇଣ୍ଡିଆ

ଟିମ ଇଣ୍ଡିଆର ଦମଦାର ବିଜୟ l  ତୃତୀୟ ତଥା ନିର୍ଣ୍ଣାୟକ ଦିନିକିଆରେ ଅଷ୍ଟ୍ରେଲିଆକୁ ୭ ୱିକେଟରେ ପରାସ୍ତ କରିଛି ଭାରତ। ଏଥିସହ ତିନିମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୧ରେ ଜିତି ନେଇଛି। ପ୍ରଥମ ମ୍ୟାଚରେ ୧୦ ୱିକେଟରେ ହାରିଥିବା ଭାରତ ଦ୍ୱିତୀୟ ମୁକାବିଲାରେ ଜବରଦସ୍ତ କମବ୍ୟାକ୍ କରି ୩୬ ରନରେ ବିଜୟୀ ହୋଇ ସିରିଜକୁ ୧-୧ରେ ବରାବର କରିଥିଲା।

ରବିବାର ଏମ୍‌. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ସିରିଜ୍ ଡିସାଇଡର୍ ମୁକାବିଲାରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ଷ୍ଟିଭ୍ ସ୍ମିଥଙ୍କ ଶତକ ବଳରେ ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍ ହରାଇ ୨୮୬ ରନ୍ କରିଥିଲା। ସ୍ମିଥ୍ ସର୍ବାଧିକ ୧୩୧ (୧୩୨ ବଲ୍‌, ୧୪ ଚୌକା, ୧ ଛକା) ରନ୍ କରିଥିଲେ। ଜବାବରେ ଭାରତ ୪୭.୩ ଓଭରରେ ୩ ୱିକେଟ୍ ହରାଇ ୨୮୯ ରନ୍ କରି ବିଜୟୀ ହୋଇ ସିରିଜ୍ ହାତେଇଛି। ଭାରତ ପକ୍ଷରୁ ରୋହିତ୍ ଶର୍ମା ସର୍ବାଧିକ ୧୧୯ (୧୨୮ ବଲ୍‌, ୮ଚୌକା, ୬ ଛକା) ଏବଂ କୋହଲି ୮୯ (୯୧ ବଲ୍‌, ୮ ଚୌକା) ରନ୍ କରିଛନ୍ତି।

୨୮୭ ରନର ପିଛା କରୁଥିବା ଭାରତ ପକ୍ଷରୁ ରୋହିତଙ୍କ ସହ ଲୋକେଶ ରାହୁଲ ଓପନ୍ କରିବାକୁ ଆସିଥିଲେ। ଶିଖର ଧୱନ୍ ଆହତ କାରଣରୁ ବ୍ୟାଟିଂ କରିବାକୁ ଆସିନଥିଲେ। ରୋହିତ୍ ଓ ରାହୁଲ ଆରମ୍ଭରୁ ଅଷ୍ଟ୍ରେଲିଆ ବୋଲରଙ୍କ ବିପକ୍ଷରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଆପଣାଇଥିଲେ। ଦୁହେଁ ପ୍ରଥମ ୱିକେଟ୍ ପାଇଁ ୬୯ ରନ୍ ଯୋଡ଼ିଥିଲେ। ଇନଫର୍ମ ରାହୁଲ୍ ୧୯ ରନ୍ କରି ଅଷ୍ଟନ୍ ଆଗରଙ୍କ ବଲରେ ଏଲବିଡବ୍ଲ୍ୟୁ ହୋଇଥିଲେ। ଏହା ପରେ ରୋହିତଙ୍କୁ ସାଥ୍ ଦେଇଥିଲେ କ୍ୟାପଟେନ୍ କୋହଲି। ଦୁହେଁ ସତର୍କତାର ସହ ବ୍ୟାଟିଂ କରିଥିଲେ। ରୋହିତ୍ ୫୬ ବଲରେ ଅର୍ଦ୍ଧଶତକ ଏବଂ ୧୧୦ ବଲରେ ନିଜର ୨୮ତମ ଶତକ ପୂରଣ କରିଥିଲେ।

Spread the love