ଭାରତୀୟ ବାୟୁସେନାର ସଫଳତା : ପ୍ରଥମ ଥର ପାଇଁ ରାତିରେ କାରଗିଲରେ ଓହ୍ଲାଇଲା ବାୟୁସେନା ବିମାନ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ଏକ ନୂଆ ଏବଂ ଅତ୍ୟନ୍ତ ଚ୍ୟାଲେଞ୍ଜିଂ ସଫଳତା ହାସଲ କରିଛି। ପ୍ରଥମ ଥର ପାଇଁ ବାୟୁସେନା କାର୍ଗିଲର ଏୟାରଷ୍ଟ୍ରିପ୍ ରେ ସି-୧୩୦ଜେ ହର୍କୁଲିସ୍ ବିମାନର ସୁରକ୍ଷିତ ଅବତରଣ କରିଛି। ଏହା ବାୟୁସେନା ପାଇଁ ଏକ ଐତିହାସିକ ସଫଳତା ବୋଲି ବିବେଚନା କରାଯାଉଛି। ପୁଣି ଚୀନ ବିପଦକୁ ବିଚାରକୁ ନେଲେ ଏହି ସଫଳତା ଆହୁରି ମହତ୍ତ୍ବପୂର୍ଣ୍ଣ ହୋଇଯାଉଛି ।

ରାତି ଅବତରଣର ଏହି ଭିଡିଓକୁ ସେୟାର କରି ବାୟୁସେନା କହିଛି, ପ୍ରଥମ ଥର ପାଇଁ ବାୟୁସେନାର ସି-୧୩୦ ଜେ ବିମାନ କାର୍ଗିଲ ଏୟାରଷ୍ଟ୍ରିପ୍ ରେ ରାତ୍ରୀକାଳୀନ ଅବତରଣ କରିଛି। ତେବେ ବାୟୁସେନା ଏହି ପ୍ରଶିକ୍ଷଣ ମିଶନ ସମ୍ପର୍କରେ ଅଧିକ କିଛି ସୂଚନା ଦେଇନାହିଁ।

ଗତ ବର୍ଷ ନଭେମ୍ବର ମାସରେ ଭାରତୀୟ ବାୟୁସେନା ଉତ୍ତରାଖଣ୍ଡର ଏକ ଅଳ୍ପବିକଶିତ ଓ ଅବ୍ୟବହୃତ ଏୟାରଷ୍ଟ୍ରିପ୍ ରେ ନିଜର ଦୁଇଟି ସି-୧୩୦ଜେ-୩୦ ‘ସୁପର ହର୍କୁଲିସ୍’ ସାମରିକ ପରିବହନ ବିମାନକୁ ସଫଳତାର ସହ ଅବତରଣ କରିଥିଲା। ଖରାପ ପାଗରେ ନିକଟସ୍ଥ ନିର୍ମାଣାଧୀନ ପର୍ବତ ସୁଡ଼ଙ୍ଗ ଭିତରେ ଫସି ରହିଥିବା ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ ଭାରୀ ଇଞ୍ଜିନିୟରିଂ ଉପକରଣ ପହଞ୍ଚାଇବା ପାଇଁ ଏହି ଅଭିଯାନ କରାଯାଇଥିଲା। କିନ୍ତୁ କାର୍ଗିଲ ପରି ଅତ୍ୟନ୍ତ ଦୁର୍ଗମ ଅଂଚଳରେ ହରକୁଲେସ ବିମାନର ନାଇଟ୍ ଲାଣ୍ଡିଂ କରିବା ଏକ ବଡ଼ ସଫଳତା ବୋଲି କୁହାଯାଉଛି । ବଡ଼ ବିମାନ ହୋଇଥିବାରୁ ଏହା ମାଧ୍ୟମରେ ଅଧିକ ସଂଖ୍ୟକ ସୈନ୍ୟ ସୀମାନ୍ତରେ ପହଞ୍ଚିପାରିବେ ।

Spread the love