ପ୍ରତିଶୋଧ ନେଲା ଭାରତ, ପାକିସ୍ତାନରେ ପଶି 1000 କେଜି ବୋମାମାଡ; ବହୁ ଆତଙ୍କୀ ଶିବିର ଧ୍ୱଂସ
ପୁଲୱାମା ଆତଙ୍କବାଦୀ ଆକ୍ରମଣର ଭାରତ ନେଲା ବଦଲା । ପାକିସ୍ତାନ ଭିତରେ ପଶି ବୋମା ମାଡ କରିଛି ଭାରତ । ଭାରତୀୟ ବାୟୁସେନା ମଙ୍ଗଳବାର ସକାଳେ 3ଟା 30ରେ ବହୁତ ବଡ କାର୍ଯ୍ୟାନୁଷ୍ଠାନ ନେଇଛି । ଭାରତୀୟ ଏୟାରଫୋର୍ସର କେତେକ ବିମାନ ଏଲଓସି ପାର କରି ପାକିସ୍ତାନରେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ବାୟୁସେନା ସେପଟେ ଥିବା ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ଠିକଣାକୁ ଧ୍ୱଂସ କରିଦିଆଯାଇଛି ।
ଏହି ସମୟରେ ବାୟୁସେନା ବୋମା ବର୍ଷଣ କରି ଅନେକ ଆତଙ୍କବାଦୀ ଠିକଣାକୁ ଧ୍ୱଂସ କରିଦେଇଛି । ଜଣାପଡିଛି କି, ବାୟୁସେନା ଏହି ଅପରେସନ ପାଇଁ 10ରୁ ଅଧିକ ମିରାଜ 2000 ବିମାନର ବ୍ୟବହାର କରିଛି । ପାକିସ୍ତାନରେ ଆତଙ୍କୀ ଶିବିର ଉପରକୁ ଭାରତୀୟ ସେନାର ଆକ୍ରମଣ ନେଇ ଜଣାପଡିଛି ।
ଭାରତର 12 ମିରାଜ୍ 2000 ଜେଟ୍ ପାକିସ୍ତାନରେ1000 କିଲୋର ବୋମା ପକାଇଥିବା ସୂଚନା ମିଳିଛି । ତେବେ ଏଯାବତ୍ ଭାରତୀୟ ବାୟୁସେନା ତରଫରୁ ସେଭଳି କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହି । ମିରାଜ୍ ଫାଇଟର ଜେଟ ପାକିସ୍ତାନର ଆତଙ୍କୀ କ୍ୟାମ୍ପକୁ ନଷ୍ଟ କରିପକାଇଛି । ପାକିସ୍ତାନର ସେନା ନିଜେ ଏହାକୁ ସ୍ୱୀକାର କରିଛି ଏବଂ ଭାରତର ବିମାନ ସୀମାପାର କରି ପାକିସ୍ତାନ ସୀମାରେ ପ୍ରବେଶ କରିଛି ବୋଲି ଅଭିଯୋଗ ଆଣିଛି । ସୂଚନା ମୁତାବକ, ରାତି ପାଖାପାଖି ସାଢେ 3 ଟା ବେଳେ ଭାରତୀୟ ଜେଟ୍ ପାକିସ୍ତାନରେ ପଶି ମୁହଁତୋଡ ଜବାବ ଦେଇଛି । ଜୈସ ଏବଂ ଅନ୍ୟ ଆତଙ୍କୀ ସଂଗଠନମାନଙ୍କର ଲଞ୍ଚ ପ୍ୟାଡକୁ ଟାର୍ଗେଟ କରାଯାଇଥିଲା ।
ପୁଲବାମା ଆକ୍ରମଣ ପରଠୁ ହିଁ ଭାରତ ପକ୍ଷରୁ ବଡ କାର୍ଯ୍ୟାନୁଷ୍ଠାନର ସଂକେତ ଦିଆଯାଉଥିଲା । ଆତଙ୍କୀ ଆଡ୍ଡା ଉପରେ ଆକ୍ରମଣ ଦ୍ୱାରା ବହୁ କ୍ଷୟ କ୍ଷତି ହୋଇଛି ମାତ୍ର ଏହାର କୌଣସି ସଠିକ୍ ଆକଳନ ମିଳିପାରିନାହିଁ । କାଶ୍ମୀରର ଏଲଓସିରେ ମଧ୍ୟ ଏହାକୁ ନେଇ ଅସନ୍ତୋଷ ପରିସ୍ଥିତି ସୃଷ୍ଟି ହୋଇଛି ଏବଂ ଏୟାରଫୋର୍ସ ବେସରେ ହାଇ ଏକ୍ଟିଭିଟି ନଜର ଆସିଛି ।
ପାକିସ୍ତାନୀ ସେନା ମୁଖପାତ୍ର ଜେନେରାଲ ଆସିଫ ଗଫୁର ଭାରତ ବିରୋଧରେ ଅଭିଯୋଗ ଆଣି ଟୁଇଟରେ କହିଛନ୍ତି, ଭାରତୀୟ ବାୟୁସେନା ମୁଜଫରାପୁର ସେକ୍ଟରରେ ପ୍ରବେଶ କରିବାକୁ ଉଦ୍ୟମ କରିଛି । ସେ ଲେଖିଛନ୍ତି, ପାକିସ୍ତାନୀ ସେନା ଦ୍ୱାରା ଠିକ ସମୟରେ ପ୍ରଭାବୀ ଜବାବ ଦିଆଯାଇଛି । ସେ କହିଛନ୍ତି, ଏହି ଘଟଣା ଯୋଗୁଁ କୌଣସି ଅସୁବିଧା ହୋଇ ନାହିଁ । ପାକିସ୍ତାନ ସୋମବାର ଏବଂ ମଙ୍ଗଳବାର ରାଜୌରୀ ଏବଂ ପୁଂଛ ଜିଲ୍ଲାରେ ନିୟନ୍ତ୍ରଣ ରେଖା ନିକଟରେ ଅସ୍ତ୍ରବିରତି ଉଲଂଘନ କରିଛି ।