ଭାରତୀୟଙ୍କୁ ଫେରାଇ ଆଣିବାକୁ ଆଫଗାନିସ୍ତାନରେ ପହଞ୍ଚିଲା ବାୟୁସେନା ବିମାନ, ନାଗରିକଙ୍କୁ ମିଳିଲା ଆଶ୍ୱସ୍ତି

କାବୁଲ୍‌, ୧୬/୦୮: ଆଫଗାନିସ୍ତାନରେ ତାଲିବାନ୍‌ ରାଜ୍ ନିଶ୍ଚିତ ହେବା ପରେ ସେଠାରେ ଫସି ରହିଥିବା ଭାରତୀୟଙ୍କ ମଧ୍ୟରେ ଏକ ପ୍ରକାର ଖୁସିର ମାହୋଲ ସୃଷ୍ଟି ହୋଇଛି । କାବୁଲ୍‌ ଏୟାରପୋର୍ଟରେ କମର୍ସିଆଲ୍‌ ଫ୍ଲାଇଟ୍‌କୁ ବନ୍ଦ କରିଦିଆଯାଇଛି । ଏହାରି ମଧ୍ୟରେ ଭାରତୀୟ ଦୂତାବାସରେ କାର୍ଯ୍ୟରତ କର୍ମଚାରୀ ଏବଂ ଦେଶର ଅନ୍ୟ ନାଗରିକଙ୍କୁ ଭାରତ ଫେରାଇ ଆଣିବା ପାଇଁ ବାୟୁସେନାର ବିମାନ ସେଠାରେ ଅବତରଣ କରିଛି ।

ଆଫଗାନିସ୍ତାନ ନିଜ ଦେଶର ନାଗରିକଙ୍କ ପାଇଁ ଏୟାରସ୍ପେସ୍‌କୁ ବନ୍ଦ କରିଦେଇଛି । କିନ୍ତୁ ମିଲିଟାରୀ ବିମାନ ଜରିଆରେ ଏବେବି ଲୋକଙ୍କୁ ସେଠାରୁ ବାହାରକୁ ଆଣାଯିବା କାର୍ଯ୍ୟ ଜାରି ରହିଛି । ଏଥି ମଧ୍ୟରେ ସୋମବାର ମଧ୍ୟାହ୍ନରେ କାବୁଲ୍‌ରେ ପହଞ୍ଚିଛି ବାୟୁସେନା ବିମାନ ।  ସେଠାରୁ ବିଭିନ୍ନ ଦେଶର ନାଗରିକଙ୍କୁ ନିଜ ଦେଶକୁ ଫେରିବା ପାଇଁ ଆମେରିକା ସୈନ୍ୟ ସହାୟତା କରୁଥିବା ଜଣାପଡ଼ିଛି ।

କାବୁଲ୍‌ରେ ପହଞ୍ଚିଥିବା ଭାରତୀୟ ବାୟୁସେନାର ବିମାନ ପାକିସ୍ତାନ ରାସ୍ତାରେ ନଯାଇ ଇରାନ୍‌ର ରାସ୍ତାରେ ଯାଇଥିଲା । ଏହାର ଏକ ମାସ ପୂର୍ବରୁ ଯେତେବେଳେ ବିମାନ କାନ୍ଧାର ସ୍ଥିତ ଦୂତାବାସ ଅଧିକାରୀଙ୍କୁ ନେଇ ଭାରତ ଫେରୁଥିଲା ସେତେବେଳେ ପାକିସ୍ତାନ ଫ୍ଲାଇଟ୍‌କୁ ନିଜ ଏୟାରସ୍ପେସ୍‌ରେ ଉଡ଼ିବାକୁ ଅନୁମତି ଦେଇନଥିଲା ।

କାବୁଲ୍‌ ଏୟାପୋର୍ଟରେ ପ୍ରବଳ ଭିଡ଼ ରହିଛି । ବିଦେଶୀ ନାଗରିକଙ୍କ ସହିତ ଆଫଗାନିସ୍ତାନ ବାସିନ୍ଦା ମଧ୍ୟ ଦେଶ ବାହାରକୁ ଆସିବା ପାଇଁ ବ୍ୟାକୁଳ ହୋଇ ରହିଛନ୍ତି । ଯାହା ଫଳରେ ବନ୍ଧୁକ ଚାଳନା ମଧ୍ୟ ହୋଇଥିଲା । ଯେଉଁଥିରେ ୫ ଜଣଙ୍କର ମୃତ୍ୟୁ ହୋଇଛି ।

Spread the love